ମହାମାରୀ ବେଳେ ଦୁର୍ଘଟଣା ମୃତ୍ୟୁ । କରୋନା ମୃତ୍ୟୁକୁ ଟପିଲା ରାସ୍ତା ଦୁର୍ଘଟଣା । ମହାମାରୀ ଠାରୁ ଢ଼େର ଅଧିକ ହେଉଛି ଦୁର୍ଘଟଣାରେ ମୃତ୍ୟୁ । ଏପ୍ରିଲରୁ ଅଗଷ୍ଟ, ୫ ମାସରେ ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁ ୨୮୬ । ଏପ୍ରିଲରୁ ମେ’ ମାତ୍ର ୨ ମାସରେ ସଡ଼କ ଦୁର୍ଘଟଣାରେ ଗଲାଣି ୩୬୦ ଜୀବନ

786

କନକ ବ୍ୟୁରୋ: କରୋନା ଠାରୁ ଅଧିକ ଘାତକ ଦୁର୍ଘଟଣା । କରୋନା ଠାରୁ ଢ଼େର ଅଧିକ ଦୁର୍ଘଟଣାରେ ମୃତ୍ୟୁ । ଲକଡାଉନ ହେଉଛି, ସପ୍ତାହନ୍ତ ସଟଡାଉନ୍ ହେଉଛି, ଗାଡି ଚଳାଚଳ ଉପରେ କଟକଣା ଲଗାଯାଇଛି ହେଲେ ସଡ଼କ ଦୁର୍ଘଟଣାରେ ଲୋକେ ପ୍ରାଣ ହରାଉଛନ୍ତି । ଆଶ୍ଚର୍ଯ୍ୟର କଥା ହେଉଛି କରୋନାରେ ଯେତିକି ଲୋକ ମରିଛନ୍ତି, ତା’ଠାରୁ ଢ଼େର ଅଧିକ ମୃତ୍ୟୁ ହୋଇଛି ଦୁର୍ଘଟଣାରେ ।

ନଜର ପକାନ୍ତୁ କେଉଁଥିରେ ଯାଇଛି କେତେ ଜୀବନ ?
ଏପ୍ରିଲ୍ରୁ ଅଗଷ୍ଟ – ୫ ମାସ – ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁ ୨୮୬
ଏପ୍ରିଲ୍ରୁ ମେ’ – ମାତ୍ର ୨ ମାସ – ସଡ଼କ ଦୁର୍ଘଟଣାରେ ମୃତ୍ୟୁ ୩୬୦

କରୋନା ସଂକ୍ରମଣ ରୋକିବାକୁ ଲକଡାଉନ କଟକଣା ଉଲଂଘନ ଉପରେ କଡ଼ା ନଜର ରଖାଯାଉଛି ଏବଂ ସହରର ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରି ଫାଇନ କାଟୁଛି ପୋଲିସ । ଏପଟେ କିନ୍ତୁ ବେପରୁଆ ଗାଡ଼ି ଚାଳନା ଯୋଗୁଁ ମଝି ରାସ୍ତାରେ ଯାଉଛି ଲୋକଙ୍କ ଜୀବନ ।
ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଅଧିକାଂଶ ପ୍ରାଣଘାତୀ ଦୁର୍ଘଟଣାର କାରଣ ପଛରେ ରହିଛି ବାଇକ୍ ବା ଦୁଇ ଚକିଆ ଯାନ । ଗତ ଜୁଲାଇ ଶେଷ ସପ୍ତାହରେ ସଡ଼କ ସୁରକ୍ଷା ସଂକ୍ରାନ୍ତରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏ ନେଇ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା ।

ସଡ଼କ ଦୁର୍ଘଟଣା ମୃତ୍ୟୁ ସଂଖ୍ୟା କମାଇବାକୁ ଏଣିକି ଚେକିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ । ଏ ନେଇ ପୋଲିସ ଡିଜି ଓ ପରିବହନ କମିସନରକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ବାଇକରେ ତିନି ଜଣ ଯିବା, ଅଧିକ ସ୍ପିଡରେ ଗାଡି ଚଳାଇବା ଏବଂ ବିନା ହେଲମେଟରେ ଗାଡ଼ି ଚଳାଉଥିବା ଲୋକଙ୍କ ଉପରେ ନଜର ରଖିବାକୁ ସଡ଼କ ସୁରକ୍ଷା ଆକ୍ସନ୍ ପ୍ଲାନ ବୈଠକରେ ନିଷ୍ପତି ନିଆଯାଇଛି ।

କିନ୍ତୁ ଗତ ବର୍ଷ ତୁଳନାରେ ଦୁର୍ଘଟଣାଜନିତ ମୃତ୍ୟୁ କମିଛି । ୨୦୧୯ ଜାନୁୟାରୀରୁ ମେ’ ମାସ ମଧ୍ୟରେ ଦୁର୍ଘଟଣାରେ ଯେତିକି ମୃତ୍ୟୁ ହୋଇଥିଲା, ୨୦୨୦ରେ ତାହା ୩୨ ପ୍ରତିଶତ ହ୍ରାସ ପାଇଛି । ତେବେ ଏପ୍ରିଲ ଓ ମେ’ ମାସରେ ଲକଡାଉନ୍ ଓ ଗାଡ଼ି ଚଳାଚଳ ଉପରେ କଡ଼ା କଟକଣା ଥିବା ସତ୍ୱେ ଏତେ ସଂଖ୍ୟକ ପ୍ରାଣହାନୀ ହେବା ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଇ ଦିଆଯାଇଛି ।