୨ ମାସ ଭିତରେ ଗଞ୍ଜାମରେ ମୃତକଙ୍କ ସଂଖ୍ୟା ବଢାଇଛି ଦୁର୍ଘଟଣା : ଦୁର୍ଘଟଣାରେ ୫୯ ଲୋକଙ୍କ ଗଲାଣି ଜୀବନ । 

60

ରାଜ୍ୟର ଦୁର୍ଘଟଣାପ୍ରବଣ ଜିଲ୍ଲା ମଧ୍ୟରେ ଗଞ୍ଜାମ ସ୍ଥିତି ଉଦ୍‌ବେଗଜନକ। ଜିଲ୍ଲାରେ ସଡ଼କ ଦୁର୍ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଦୁର୍ଘଟଣା ଓ ଏଥିଜନିତ ମୃତ୍ୟୁ କମାଇବାକୁ ସୁପ୍ରିମକୋର୍ଟ ବାରମ୍ବାର ତାଗିଦ୍‌ କରୁଛନ୍ତି। କିନ୍ତୁ ଜିଲ୍ଲାରେ ଦୁର୍ଘଟଣା କମିବା ନାଁ ଧରୁନି। ୨୦୧୯ ସେପ୍ଟେମ୍ବର ଓ ଅକ୍ଟୋବର ୨ମାସ ମଧ୍ୟରେ ଗଞ୍ଜାମରେ ସଡ଼କ ଦୁର୍ଘଟଣାରେ ୩୫ଜଣଙ୍କ ମୃତ୍ୟୁ ଘଟିଥିଲା। ଗତ ବର୍ଷ ତୁଳନାରେ ଚଳିତ ବର୍ଷ‌ ଏହି ଦୁଇ ମାସରେ ୬୮.୫୭ ପ୍ରତିଶତ ଅଧିକ ଲୋକ ଦୁର୍ଘଟଣାରେ ମରିଛନ୍ତି। ଏଥିସହ ରାଜ୍ୟରେ ମଧ୍ୟ ଦୁର୍ଘଟଣା ବୃଦ୍ଧି ପାଇଛି। ଏହାକୁ ନେଇ ରାଜ୍ୟ ପରିବହନ ବିଭାଗ ଅସନ୍ତୋଷ ଓ ଉଦ୍‌ବେଗ ବ୍ୟକ୍ତ କରିଛି। ଏହାର କାରଣ ଓ ପ୍ରତିକାର ଲାଗି କ’ଣ ସହଯୋଗ ଲୋଡ଼ା ଜଣାଇବାକୁ ରାଜ୍ୟ ପରିବହନ ବିଭାଗ ମୁଖ୍ୟ ଶାସନ ସଚିବ ଗଞ୍ଜାମ ଜିଲ୍ଲାପାଳଙ୍କ ସମେତ ସମସ୍ତ ଜିଲ୍ଲାପାଳ, ଏସ୍‌ପିଙ୍କୁ ଚିଠି ଲେଖିଛନ୍ତି। ଏ ସଂକ୍ରାନ୍ତରେ ୧୫ଦିନ‌ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଗଞ୍ଜାମ ଜିଲ୍ଲା ଦେଇ ଜାତୀୟ ରାଜପଥ-୧୬ ଯାଇଛି। ଏହା ଜିଲ୍ଲା ମଧ୍ୟରେ ଖଲ୍ଲିକୋଟ ନାରାୟଣୀ ଛକ ଠାରୁ ଗରିଶୋଲା ଗେଟ୍‌ ପର୍ୟ୍ୟନ୍ତ ରହିଛି। ସେହିପରି ଜିଲ୍ଲା ଦେଇ ଗୋପାଳପୁର-ରାୟପୁର ଜାତୀୟ ରାଜପଥ -୫୯ ଯାଇଛି। ଏହା ସହିତ ଜିଲ୍ଲାରେ ରାଜ୍ୟ ରାଜପଥ ଓ ଅନ୍ୟାନ୍ୟ ସଡ଼କ ରହିଛି। ଗତ ଜାନୁଆରିରୁ ସେପ୍ଟେମ୍ବର ମଧ୍ୟରେ ଜିଲ୍ଲାରେ ୪୨୧ଟି ଦୁର୍ଘଟଣା ଘଟିଥିବା ବେଳେ ୨୬୫ଜଣଙ୍କ ମୃତ୍ୟୁ ଘଟିଛି। ୨୩୦ଜଣ ଆହତ ହୋଇଛନ୍ତି। ଜାନୁଆରି ଠାରୁ ମାର୍ଚ୍ଚ ମଧ୍ୟରେ ଜିଲ୍ଲାରେ ୧୮୨ଟି ଦୁର୍ଘଟଣାରେ ୧୩୪ ଜଣଙ୍କ ମୃତ୍ୟୁ ଘଟିଥିଲା। ଜାନୁଆରିରେ ୫୭, ଫେବ୍ରୁଆରିରେ ୪୪ ଓ ମାର୍ଚ୍ଚରେ ୩୩ ଜଣଙ୍କ ମୃତ୍ୟୁ ହୋଇଥିଲା। ମାର୍ଚ୍ଚ ୨୨ରୁ ଦେଶ ଲକ୍‌ଡାଉନ୍‌ ହୋଇଥିଲା। ପ୍ରାୟ ଅଗଷ୍ଟ ପର୍ୟ୍ୟନ୍ତ ଯାନବାହନ ବନ୍ଦ ରହିଥିଲା। ତଥାପି ଏପ୍ରିଲ, ମେ, ଜୁନ୍‌ ଓ ଜୁଲାଇ ଏହି ୪ ମାସରେ ଜିଲ୍ଲାରେ ୧୨୯ଟି ଦୁର୍ଘଟଣାରେ ୬୫ ଜଣଙ୍କ ମୃତ୍ୟୁ ଘଟିଥିଲା। ଲକ୍‌ଡାଉନ୍‌ କଟକଣା କୋହଳ ସାଙ୍ଗକୁ ଅନ୍‌ଲକ୍‌ରେ ଯାନବାହନ ଚଳାଚଳ ପରେ ପୁଣି ଜିଲ୍ଲାରେ ଦୁର୍ଘଟଣା ବଢ଼ିବାରେ ଲାଗିଛି। ଅଗଷ୍ଟରେ ୫୬ଟି ଦୁର୍ଘଟଣାରେ ୩୩ଜଣ ଓ ସେପ୍ଟେମ୍ବର ୫୪ଟି ଦୁର୍ଘଟଣାରେ ୩୩ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

 

ସେପ୍ଟେମ୍ବର ଓ ଅକ୍ଟୋବର ଦୁଇ ମାସରେ ସମୁଦାୟ ୫୯ଜଣଙ୍କ ମୃତ୍ୟୁ ଘଟିଛି। ରାଜ୍ୟ ପରିବହନ ବିଭାଗ ପକ୍ଷରୁ କୁହାଯାଇଛି, ଇଣ୍ଟରସେପ୍ଟର୍‌ ଯାନ କ୍ରୟ, ବ୍ରିଥ୍‌ ଆନାଲାଇଜର୍‌, ବିଭିନ୍ନ ସ୍ଥାନରେ ବ୍ୟାରିକେଡ଼୍‌ ନିର୍ମାଣ ଏବଂ ଯନ୍ତ୍ରପାତି ପରିଚାଳନା ଲାଗି ବ୍ୟାପକ ଅର୍ଥ ବ୍ୟୟ କରାଯାଉଛି। କିନ୍ତୁ ଦୁର୍ଘଟଣା ସ୍ଥିତି ଅନୁଧ୍ୟାନ କଲେ ଏ ସବୁର ଉପଯୁକ୍ତ ବିନିଯୋଗ ହେଉ ନ ଥିବା ମନେ ହେଉଛି। ଦୁର୍ଘଟଣା ବୃଦ୍ଧିକୁ ନେଇ ସୁପ୍ରିମକୋର୍ଟ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। ତେଣୁ ଦୁର୍ଘଟଣା କମାଇବା ଲାଗି ପଦକ୍ଷେପ ନେବାକୁ ପରିବହନ ବିଭାଗ ଚିଠିରେ ଦର୍ଶାଇଛି। ଓଭର୍‌ସ୍ପିଡ୍‌, ମଦ୍ୟପାନ କରି ଗାଡ଼ି ଚାଳନା, ହେଲମେଟ୍‌ ନ ପିନ୍ଧି ଗାଡ଼ି ଚାଳନା, ଗାଡ଼ି ଚାଳନା ବେଳେ ମୋବାଇଲ୍‌ ବ୍ୟବହାର ଉପରେ ନଜର ରଖିବା ସହ ଖିଲାପିଙ୍କ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ଲାଗି ପରିବହନ ବିଭାଗ ନିର୍ଦ୍ଦେଶ ଦେଇଛି। ହେଲମେଟ୍‌ ନ ପିନ୍ଧି ଗାଡ଼ି ଚଳାଉଥିବା ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ସସ୍‌ପେଣ୍ଡ କରିବା ଉପରେ ବିଶେଷ ଗୁରୁତ୍ବ ଦେବାକୁ କୁହାଯାଇଛି। ସୂଚନାଯୋଗ୍ୟ, ଜିଲ୍ଲାରେ ୨୦୧୭ ମସିହାରେ ଜିଲ୍ଲାରେ ୭୧୬ଟି ଦୁର୍ଘଟଣା ଘଟି ୩୮୦ ଜଣ, ୨୦୧୮ରେ ୭୩୮ଟି ସଡକ ଦୁର୍ଘଟଣା ୩୮୯ଜଣ ଏବଂ ୨୦୧୯ରେ ୭୩୩ଟି ଦୁର୍ଘଟଣା ଘଟି ୩୮୫ଜଣଙ୍କ ମୃତ୍ୟୁ ହୋଇଥିଲା।