ତୀର୍ଥଯାତ୍ରା ହେଲା ଶେଷଯାତ୍ରା: ଖୁସି ଛଡାଇ ନେଲା ନୂଆବର୍ଷ । ଆନ୍ଧ୍ରରୁ ତୀର୍ଥ ସାରି ଫେରିବା ବେଳେ ଅଧା ବାଟରେ ଲିଭିଗଲା ୫ ଜଣଙ୍କ ଜୀବନ ଦୀପ । ମୃତ୍ୟୁର ଆଁରୁ ଅଳ୍ପକେ ବର୍ତ୍ତିଗଲା ଗୋଟିଏ ଜୀବନ

812

କନକ ବ୍ୟୁରୋ: କିଏ ଜାଣିଥିଲା ନୂଆବର୍ଷର ପ୍ରଥମ ଯାତ୍ରା ଜୀବନର ଶେଷଯାତ୍ରା ହେବ । ନୂଆବର୍ଷର ପ୍ରଥମ ଖୁସି ଦୁଃଖରେ ବଦଳିଯିବ, ଅଧା ବାଟରେ ଜୀବନ ଦୀପ ଲିଭିଯିବ । ଆନ୍ଧ୍ରପ୍ରଦେଶର ସୀମାଂଚଳମକୁ ବୁଲିବାକୁ ଯାଇଥିବା ଦୁଇ ପରିବାର ଫେରିବା ବାଟରେ ଦୁର୍ଘଟଣାର ଶୀକାର ହୋଇଛନ୍ତି । ଫଳରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ କେବଳ ଜଣେ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଛନ୍ତି । ତେବେ ସମସ୍ତ ମୃତାହତ ଭୁବନେଶ୍ୱରର ସୁନ୍ଦରପଦାରେ ରହୁଥିଲେ ।

ଗୋଟିଏ ସଡକ ଦୁର୍ଘଟଣାରେ ଉଜୁଡି ଯାଇଛି ଦୁଇ ଦୁଇଟି ପରିବାର । ଆନ୍ଧ୍ର ପ୍ରଦେଶ ବୁଲି ଓଡିଶା ଅଭିମୁଖେ ଦ୍ରୁତ ବେଗରେ ଆସୁଥିଲା ଧଳା ରଙ୍ଗର କାର । କାର ଭିତରେ ବସିଥିଲେ ଡି. ପ୍ରକାଶ, ତାଙ୍କ ପତ୍ନୀ ଓ ଶାଳୀ ଏବଂ ବନ୍ଧୁ ତ୍ରିଲୋଚନ ଜେନାଙ୍କ ସମେତ ପତ୍ନୀ ଓ ଅଢେଇ ବର୍ଷର ପୁଅ । ନୂଆବର୍ଷରେ ସୀମାଂଚଳମ ଯାଇ ବରାହ ଲକ୍ଷ୍ମୀନରସିଂହାଙ୍କ ଦର୍ଶନ କରି ସେମାନେ ଭୁବନେଶ୍ୱର ଫେରୁଥିଲେ । ଖୋଲା ରାସ୍ତା ଓ ଶୀତୁଆ ସକାଳରେ ଗାଡି ଚାଲିଥିବା ବେଳେ ଘଟିଲା ମର୍ମନ୍ତୁଦ ସଡକ ଦୁର୍ଘଟଣା । କୋଟପଲ୍ଲୀ ନିକଟସ୍ଥ ପୋଲ ନିକଟରେ ହଠାତ ଭାରସାମ୍ୟ ହରାଇଥିଲେ ଚାଳକ ପ୍ରକାଶ ଏବଂ ନାଳ ଭିତରକୁ ଓଳଟି ଖସି ପଡିଥିଲା ଗାଡି । ଘଟଣାସ୍ଥଳରେ ପ୍ରାଣ ହରାଇଲେ ୫ ଜଣ ଯାତ୍ରୀ । ତେବେ ତ୍ରିଲୋଚନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି ।

ପ୍ରକାଶ ଓ ତ୍ରିଲୋଚନଙ୍କ ମଧ୍ୟରେ ଘନିଷ୍ଠ ବନ୍ଧୁତା ଥିଲା ଏବଂ ସେମାନେ ଭୁବନେଶ୍ୱର ସୁନ୍ଦରପଦା ଅଂଚଳରେ ରହୁଥିଲେ । ପ୍ରକାଶ ନିଜ ପରିବାର ସହ ଅନ୍ନପୂର୍ଣ୍ଣା ଟାୱାରରେ ରହୁଥିବା ବେଳେ ନିକଟସ୍ଥ ଲାଣ୍ଡମାର୍କ ଆପାର୍ଟମେଂଟରେ ରହୁଥିଲେ ତ୍ରିଲୋଚନଙ୍କ ପରିବାର । ନୂଆ ବର୍ଷ ପାଳନ ପାଇଁ ଦୁଇ ପରିବାର ସୀମାଂଚଳମ୍ ବୁଲିବାକୁ ଯାଇଥିଲେ ।

ଜାନୁଆରୀ ୨ ତାରିଖ ରାତିରେ ସୀମାଂଚଲମ୍ ଅଭିମୁଖେ ଯାଇଥିଲେ ଦୁଇ ପରିବାର । ହେଲେ ନୂଆ ବର୍ଷର ଏହି ଯାତ୍ରା ହୋଇଥିଲା ସେମାନଙ୍କ ପାଇଁ ଶେଷ ଯାତ୍ରା ।