କଳାପଥର ମାଇନ୍ସରେ ଧସିଲା ମାଟି ଅତଡ଼ା । ୩ ଶ୍ରମିକ ଚାପି ହୋଇ ରହିଥିବା ଅନୁମାନ

184

କନକ ବ୍ୟୁରୋ: ଯାଜପୁର ଧର୍ମଶାଳା ତହସିଲ ଡଙ୍କାରି ପାହାଡ଼ର କଳାପଥର ମାଇନ୍ସରେ ମାଟି ଅତଡ଼ା ଧସିପଡ଼ିଛି । ମାଟି ଅତଡ଼ା ଧସିବା ଫଳରେ ପାଖାପାଖି ଶହେ ଟ୍ରିପ କଳାପଥର ଖସି ପଡ଼ିଛି । ଏହି ବେଆଇନ କଳା ପଥର ଖାଦାନରେ ବିଳମ୍ବିତ ରାତିରେ ଡ୍ରିଲ ହେଉଥିବା ବେଳେ ମାଟି ଅତଡ଼ା ଧସି ତା ତଳେ ୩ ଜଣ ଆନ୍ଧ୍ରପ୍ରଦେଶର ଶ୍ରମିକ ଚାପି ହୋଇ ରହିଥିବା ସନ୍ଦେହ କରାଯାଉଛି ।

କିନ୍ତୁ ମାଫିଆଙ୍କ ଭୟରେ ସ୍ଥାନୀୟ ଲୋକ ଘଟଣାସ୍ଥଳକୁ ଆସିପାରୁନାହାନ୍ତି । ଜେନାପୁର ପୋଲିସର ନିଷ୍କ୍ରିିୟତା ଯୋଗୁଁ ମାଫିଆମାନେ ମୃତଦେହ ଉଠାଇ ନେବାକୁ ଉଦ୍ୟମ କରୁଥିବା ବେଳେ କ୍ୟାମେରାରେ ଧରାପଡ଼ିବା ଭୟରେ ଘଟଣାସ୍ଥଳରୁ ଛାଡ଼ି ପଳାଇଥିବା କ୍ୟାମେରାରେ କଏଦ ହୋଇଛି । ଗୋଟିଏ ମୃତଦେହ ମିଳିଥିବା ବେଳେ ଆଉ ୩ ଜଣ ପଥର ତଳେ ଚାପି ହୋଇ ରହିଥିବା ଅନୁମାନ କରାଯାଉଛି । ଜେନାପୁର ପୋଲିସ ପହଂଚି ଉଦ୍ଧାର ପ୍ରକ୍ରିୟା ଆରମ୍ଭ କରିଛି । ଘଟଣାସ୍ଥଳରେ ଧର୍ମଶାଳା ବିଜେପି ବିଧାୟକ ପ୍ରାର୍ଥୀ ସ୍ମୃତିରେଖା ପହି ପହଂଚି ମୃତକଙ୍କୁ ତୁରନ୍ତ କ୍ଷତିପୂରଣ ଦେବାକୁ ଦାବି କରିବା ସହ ବେଆଇନ ଖାଦାନ ଚଳାଉଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।