କନକ ବ୍ୟୁରୋ : ପରିବାର ଆଖିରୁ ଲୁହ ଶୁଖୁନି । ସ୍ତବ୍ଧ ହୋଇଯାଇଛି ପୂରା ଗାଁ । ଅବାକ ହୋଇଯାଇଛନ୍ତି ସମସ୍ତେ । ଦୁର୍ଘଟଣାରେ ଦୁଇଟି ପରିବାରର ୮ ଜଣଙ୍କ ଚାଲିଯାଇଛି ଜୀବନ । ବିଶ୍ୱାସ କରିପାରୁନାହାନ୍ତି ପରିବାର । କାନ୍ଦ ବୋବାଳିରେ ଫାଟିପଡୁଛି ପରିବେଶ ।

Advertisment

ସକାଳୁ ସକାଳୁ ତାରିଣୀ ଦର୍ଶନ ପାଇଁ ରାତିରେ ବାହାରିଥିଲେ ସାନଖେମୁଣ୍ଡି ବ୍ଲକ୍ ପୋଡାମରି ଗାଁର ଆକାଶ ପ୍ରଧାନ ଓ ବତାଗଡ଼ ଗାଁର ମଦନ ଗୌଡ଼ଙ୍କ ପରିବାରର ୨୪ଜଣ । ଅନ୍ଧାରର ଛାତି ଚିରି ୨୦ ନମ୍ବର ଜାତୀୟ ରାଜପଥରେ ଦ୍ରୁତ ଗତିରେ ଆଗକୁ ଯାଉଥିଲା ମିନିବସ । ସକାଳୁ ତାରିଣୀ ଦର୍ଶନ କରି ପୁରୀ ଅଭିମୁଖେ ଯିବା ପାଇଁ ଯୋଜନା ରହିଥିଲା । ତାରିଣୀ ପୀଠ ଆଉ ଅଳ୍ପ ଦୂର ଥିଲା    । ସମସ୍ତଙ୍କ ମନରେ ଥିଲା ଉତ୍ସାହ । ହେଲେ ଜାଣିନଥିଲେ ବାଟରେ ଛକି ବସିଥିଲା ମୃତ୍ୟୁ । କେହି କିଛି ଭାବିବା ପୂର୍ବରୁ ରାସ୍ତାରେ ଅଟକି ରହିଥିବା ଏକ ଟ୍ରକକୁ ପଛ ପଟୁ ଧକ୍କା ଦେଇଥିଲା ଟ୍ରାଭେଲର । ଦୁର୍ଘଟଣା ଏତେ ଜୋରରେ ହୋଇଥିଲା ଯେ ଟ୍ରାଭେଲରର ଆଗ ପଟ ଭାଙ୍ଗି ଚୁରମାର ହୋଇ ଯାଇଥିଲା । ରାସ୍ତା ଉପରକୁ ଛିଟିକି ପଡିଥିଲା ଖଣ୍ଡ ବିଖଣ୍ଡିତ ମୃତଦେହ । ଏ ହେଉଛି ଦୁର୍ଘଟଣା ପରର ଦୃଶ୍ୟ । ଘଟଣା ସ୍ଥଳରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଡାକ୍ତରଖାନାରେ ପ୍ରାଣ ହରାଇଛନ୍ତି । ୧୬ ଜଣ ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତି କରାଯାଇଛି । ୩ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ଖବର ପାଇବା ପରେ ପୋଡ଼ାମାରି ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ପରିବାର ଉପରେ ଭାଙ୍ଗି ପଡିଛି ଦୁଃଖର ପାହାଡ଼ । କାହାରି ପାଟିରୁ କଥା ବାହାରୁନାହିଁ । ଦୁଇ ସାଙ୍ଗ ଆକାଶ ପ୍ରଧାନ, ମଦନ ଗୌଡ଼ଙ୍କ ପରିବାର ଛାରଖାର ହୋଇଯାଇଛି । ଦୁର୍ଘଟଣାରେ ଦୁଇ ସାଙ୍ଗଙ୍କ ମୃତ୍ୟୁ ହୋଇଥିବା ବେଳେ ମଦନଙ୍କ ବାପା, ଭଉଣୀ, ଭିଣୋଇ ଓ ଭଣଜାଙ୍କର ମୃତ୍ୟୁ ହୋଇଛି । ସେହିପରି ଆକାଶଙ୍କ ମାଆ ଓ ପତ୍ନୀଙ୍କର ମଧ୍ୟ ଜୀବନ ଯାଇଛି । ମୃତକଙ୍କ ଭିତରେ ୪ ପୁରୁଷ, ୩ ମହିଳା ଜଣେ ଶିଶୁ ଅଛନ୍ତି ।

ଦୁର୍ଘଟଣାର ଶିକାର ହୋଇଥିବା ପରିବାର କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଏବଂ ପୂର୍ବତନ ରାଜ୍ୟସଭା ସାଂସଦ ରେଣୁବାଳା ପ୍ରଧାନଙ୍କ ସମ୍ପର୍କୀୟ ବୋଲି ଜଣାପଡିଛି । ଗତ ବର୍ଷ ମଧ୍ୟ କନ୍ୟା ଯାତ୍ରୀ ଫେରୁଥିବା ବେଳେ ବସ୍ ଦୁର୍ଘଟଣାରେ ପ୍ରଧାନ ପରିବାରର ୧୨ ଜଣଙ୍କ ମୃତ୍ୟୁ ହୋଇଥିଲା ।

ଗୋଟିଏ ପଟେ ଆଜିଠାରୁ ଆରମ୍ଭ ହୋଇଛି ଶୂନ୍ୟ ସଡ଼କ ମୃତ୍ୟୁ ସପ୍ତାହ । ଅନ୍ୟପଟେ ବଡ଼ିଭୋରରୁ ଘଟଗାଁ ଦୁର୍ଘଟଣା ସାରା ରାଜ୍ୟକୁ ଦୋହଲାଇ ଦେଇଛି । ଦୁର୍ଘଟଣାରେ ଶୋକବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ । ମୃତକଙ୍କ ପରିବାରକୁ ୩ଲକ୍ଷ ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରାଯାଇଛି ।