ରାଜଧାନୀରେ ପେଟ୍ରୋଲ ପମ୍ପରେ ବଡଧରଣର ଅଗ୍ନିକାଣ୍ଡ । ରାଜଭବନ ନିକଟ ଇଣ୍ଡିଆନ୍ ଅଏଲ ଟାଙ୍କିରେ ବିସ୍ଫୋରଣ : ନିଆଁ ଲାଗିବା ପରେ ପ୍ରଚଣ୍ଡ ଶବ୍ଦ କରି ଆକାଶକୁ ଉଡିଗଲା ଟାଙ୍କି

243

କନକ ବ୍ୟୁରୋ : ରାଜଧାନୀରେ ପେଟ୍ରୋଲ ପମ୍ପରେ ବଡଧରଣର ଅଗ୍ନିକାଣ୍ଡ । ରାଜଭବନ ନିକଟ ଇଣ୍ଡିଆନ୍ ଅଏଲ ପେଟ୍ରୋଲ ଟାଙ୍କିରେ ନିଆଁ ଲାଗିବା ପରେ ଜୋରଦାର ବିସ୍ଫୋରଣ ହୋଇଛି । ନିଆଁ ଲାଗିବା ପରେ ପ୍ରଚଣ୍ଡ ଶବ୍ଦ କରି ଆକାଶକୁ ଉଡିଯାଇଥିଲା ଟାଙ୍କି । ଏଥିରେ ତେଲ ଟାଙ୍କି ତଥା ଏହାର ଆଖପାଖ ଅଂଚଳ କ୍ଷତିଗ୍ରସ୍ତ ହୋଇଛି । ଘଟଣା ସ୍ଥଳରେ ନିଆଁ ଲିଭାଇବାକୁ ଅଗ୍ନିଶମ ବିଭାଗର ଏକାଧିକ ଟିମ୍ ଉଦ୍ୟମ ଜାରି ରଖିଛି ।

ନିଆଁ ଏତେ ଭୟଙ୍କର ରହିଥିଲା ଯେ ପ୍ରାୟ ୫ କିଲୋମିଟର ଦୂରରୁ ଆକାଶକୁ ନିଆଁ ଉଠୁଥିବାର ଦେଖିବାକୁ ମିଳିଥିଲା । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ନିଆଁ କେମିତି ଲାଗିଲା ଜଣାପଡିନାହିଁ । କିନ୍ତୁ ହଠାତ୍ ଜୋରଜାର ବିସ୍ଫୋରଣରେ ଥରି ଉଠିଥିଲା ସାରା ଅଂଚଳ । ପ୍ରାୟ ୩ କିଲୋମିଟର ଦୂରତା ଯାଏଁ ଏହି ବିସ୍ଫୋରଣର ଝଟକା ଅନୁଭବ ହୋଇଥିବା କୁହାଯାଉଛି । ଭୟଙ୍କର ବିସ୍ଫୋରଣ ପରେ ପରେ ପେଟ୍ରୋଲ ପମ୍ପ ଅଂଚଳରେ ନିଆଁ ଜଳି ଉଠିଥିଲା ।

ସୂଚନା ପାଇ ପୋଲିସ ଓ ଦମକଳ ବାହିନୀ ପହଁଚି ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ କରୁଛନ୍ତି । ରାଜଭବନ ନିକଟ ଇଣ୍ଡିଆନ୍ ଅଏଲ ପେଟ୍ରୋଲ ପମ୍ପକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ସିଲ୍ କରିଛି କମିଶନରେଟ୍ ପୋଲିସ । ପେଟ୍ରୋଲ ପମ୍ପ ଅଂଚଳକୁ ସିଲ୍ କରି ନିଆଁ ଲିଭାଇବା ଉଦ୍ୟମ ଚାଲିଛି ।