ଚଳନ୍ତା ଟ୍ରେନରେ ଅଘଟଣ !! ପୁଣି ମୋବାଇଲ ହେଲା କାଳ, ଟ୍ରେନରୁ ଖସି ଯୁବକଙ୍କ କଟିଲା ହାତ

740

କନକ ବ୍ୟୁରୋ: ଟ୍ରେନ୍ ଯାତ୍ରାବେଳେ ମୋବାଇଲ୍ ଖେଳ ଜଣେ ଯୁବକଙ୍କ ପାଇଁ କାଳ ହୋଇଛି। ମୋବାଇଲ୍ ଖେଳରେ ମସଗୁଲ ଥିବାବେଳେ ଟ୍ରେନ୍ରୁ ଖସି ପଡ଼ି ସେ ଗୋଟିଏ ହାତ ହରାଇବା ସହ ଗୁରୁତର ଅବସ୍ଥାରେ ରାଉରକେଲାରେ ଚିକିତ୍ସିତ ହେଉଛନ୍ତି। ଟ୍ରେନ୍ ନମ୍ବର ୧୨୭୬୭ ସାନ୍ତ୍ରାଗାଛି ଏକ୍ସପ୍ରେସ ରେ ରାଜୁ କୁମାର (୨୩) ଝାରସୁଗୁଡ଼ାରୁ ରାଉରକେଲା ଆସୁଥିଲେ। ସେଠାରେ ଷ୍ଟପେଜ୍ ନଥିଲେ ମଧ୍ୟ ପୂର୍ବାହ୍ନ ୧୧ଟା ୪୫ ମିନିଟ୍ ସମୟରେ କାଂସବାହାଲ ଠାରେ ଟ୍ରେନ କୌଣସି କାରଣବଶତଃ ଅଟକି ଥିଲା। ଏହି ସମୟରେ ରାଜୁ କବାଟ ପାଖରେ ଛିଡ଼ା ହୋଇ ନିଜ ମୋବାଇଲରେ ବ୍ୟସ୍ତ ଥିଲେ।

ଅଟକିବା ପରେ ଟ୍ରେନ୍ ଯେତେବେଳେ ଛାଡ଼ିଲା, ସେହି ସମୟର ଝଟକାରେ ସେ ନିଜର ଭାରସାମ୍ୟ ରଖି ନ ପାରି ଟ୍ରେନ୍ ବଗି ଏବଂ ପ୍ଲାଟଫର୍ମ ମଝିରେ ଥିବା ଫାଙ୍କବାଟେ ରେଳ ଧରଣାକୁ ଖସି ପଡ଼ିଥିଲେ। ଫଳରେ ତାଙ୍କ ବାମହାତଟି ବାହୁଠାରୁ କଟି ଯାଇଥିଲା ଏବଂ ବାମ ଗୋଡ଼ଟି ମଧ୍ୟ ଭାଙ୍ଗି ଯାଇଥିଲା। ଟ୍ରେନ୍ ଅଟକିବା ପରେ ତାଙ୍କୁ ଉଦ୍ଧାର କରି ଏକ ମାଲବାହୀ ଗାଡ଼ିରେ ରାଜଗାଙ୍ଗପୁର ସ୍ଥିତ ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ରାଉରକେଲାକୁ ସ୍ଥାନାନ୍ତର କରାଯାଇଛି । ରାଜୁ କୁମାରଙ୍କ ବାପାଙ୍କ ନାମ ମଧୁକି ଯାଦବ ଓ ତାଙ୍କ ଘର ବିହାରର ମୁଙ୍ଗେର ଜିଲ୍ଲାର ରାଇନିଆ ଗ୍ରାମରେ ବୋଲି ଜଣାପଡିଛି ।

Comments are closed.