ଏ କି ଅବ୍ୟବସ୍ଥା? ବର୍ଷା ପାଇଁ ବନ୍ଦ ହେଲା ଭାରତ-ଶ୍ରୀଲଙ୍କା ମ୍ୟାଚ୍ । ପିଚ୍ ଶୁଖାଇବା ପାଇଁ ଆସିଲା ହେୟାର ଡ୍ରାଏର ଓ ଆଇରନ, ଟ୍ୱିଟରରେ ଟ୍ରୋଲ କଲେ ପ୍ରଂଶସକ ।

658

ବର୍ଷା କାରଣରୁ ଗତକାଲି ଭାରତ-ଶ୍ରୀଲଙ୍କା ପ୍ରଥମ ଟି-ଟ୍ୱେଣ୍ଟି ମ୍ୟାଚ୍ ବାତିଲ ହୋଇଥିଲା । ତେବେ ଏହି ମ୍ୟାଚ୍ ରଦ୍ଦ ହେବା ପରେ ଆସାମ କ୍ରିକେଟ ସଂଘକୁ ଟାର୍ଗେଟ କରିଛନ୍ତି ପୂର୍ବତନ କ୍ରିକେଟର ଓ କ୍ରିକେଟ ପ୍ରଂଶସକ । ଏତେ କମ ବର୍ଷା ହେବା ସତ୍ତେ୍ୱ ମଧ୍ୟ କାହିଁକି ଖେଳ ହୋଇପାରିଲା ନାହିଁ ତାହାକୁ ନେଇ ଉଠିଛି ପ୍ରଶ୍ନ । କାରଣ ଏତେ କମ ବର୍ଷାରେ ଆଉଟଫିଲ୍ଡ ଶୁଖିଲା ଥିବା ବେଳେ ପିଚ୍ କିଭଳି ଓଦା ହେଲା । ଆଉ ସବୁଠୁ ବଡ କଥା ହେଲା, ପିଚକୁ ଶୁଖାଇବା ପାଇଁ ଭକ୍ୟୁମ କ୍ଲିନର, ଆଇରନ ଓ ହେୟାର ଡ୍ରାଏରର ବ୍ୟବହାର କରାଯିବାକୁ ନେଇ ଅନେକ କ୍ରିକେଟ ପ୍ରଂଶସକ ପ୍ରଶ୍ନ ଉଠାଇଛନ୍ତି । ଅନ୍ତର୍ଜାତୀୟ ମ୍ୟାଚ ପାଇଁ ଏଭଳି ବ୍ୟବସ୍ଥାକୁ ସମସ୍ତେ ନାପସନ୍ଦ କରିଛନ୍ତି ।

ପୂର୍ବ ଭାରତୀୟ କ୍ରିକେଟର ଜାହିର ଖାନ୍ ଏଭଳି ବ୍ୟବସ୍ଥା ପାଇଁ ଗ୍ରାଉଣ୍ଡ ଷ୍ଟାଫଙ୍କ ଉପରେ ବିରକ୍ତିଭାବ ପ୍ରକାଶ କରିଛନ୍ତି । ଜାହିର କହିଛନ୍ତି, ଯେତେବେଳେ ପିଚରେ ପାଣି ରୁହେ ସେତେବେଳେ ଅନେକ ଜିନିଷରେ ପରିବର୍ତ୍ତନ ଆସିଥାଏ । ତେବେ ଏତେ କମ ବର୍ଷା ହେବା ସତ୍ତେ୍ୱ ମଧ୍ୟ କିଭଳି ପିଚରେ ପାଣି ଜମିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ବୋଧହୁଏ ପିଚକୁ ଠିକ୍ ଭାବରେ ଘୋଡା ଯାଇନଥିଲା । ସେହିଭଳି ପୂର୍ବତନ କ୍ରିକେଟର ଭିଭିଏସ ଲକ୍ଷ୍ମଣ କହିଛନ୍ତି, କମ ବର୍ଷା କାରଣରୁ ମ୍ୟାଚ୍ ବନ୍ଦ ରଦ୍ଦ ହେବା ବେଶ ଦୁଭାଗ୍ୟପୂର୍ଣ୍ଣ । ବୋଧହୁଏ ଅନ୍ତର୍ଜାତୀୟ ମ୍ୟାଚ୍ ପାଇଁ ଗ୍ରାଉଣ୍ଡ ଷ୍ଟାଫ ଠିକ୍ ଭାବରେ ପ୍ରସ୍ତୁତ ନଥିଲେ ।

ଯେତେବେଳେ ଅନ୍ୟ ଦେଶରେ ବର୍ଷା ପରେ ପିଚ ଓ ଆଉଟଫିଲ୍ଡକୁ ଶୁଖାଇବା ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର ହେଉଛି ସେତେବେଳେ ଆସାମ କ୍ରିକେଟ ବୋର୍ଡ ପିଚ୍ ଶୁଖାଇବା ପାଇଁ ଭକ୍ୟୁମ କ୍ଲିନର, ଆଇରନ ଓ ହେୟାର ଡ୍ରାଏରର ବ୍ୟବହାର କରିବାକୁ ନେଇ ଟ୍ୱିଟରରେ ଟ୍ରୋଲ କରାଯାଇଛି । ରବିବାର ଗୌହାଟୀରେ ଭାରତ-ଶ୍ରୀଲଙ୍କା ମଧ୍ୟରେ ହେବାକୁ ଥିବା ୨୦୨୦ର ପ୍ରଥମ ଟି-୨୦ ମ୍ୟାଚ୍ ବର୍ଷା କାରଣରୁ ରଦ୍ଦ ହୋଇଥିଲା । ଗୋଟିଏ ବି ବଲ୍ ପଡିବା ପୂର୍ବରୁ ଅମ୍ପାୟାର ମ୍ୟାଚକୁ ବାତିଲ କରିଥିଲେ । ଖେଳ ଆରମ୍ଭ ହେବାକୁ ଆଉ ଅଳ୍ପ କିଛି ସମୟ ବାକି ଥିବା ବେଳେ ବର୍ଷା ଆରମ୍ଭ ହୋଇଥିଲା । ତେବେ ଗ୍ରାଉଣ୍ଡ ଷ୍ଟାଫ୍ ଠିକ୍ ଭାବେ ପିଚକୁ ଘୋଡାଇ ନଥିବାରୁ ପିଚରେ ପାଣି ଜମି ଯାଇଥିଲା ।