ରାଜରାସ୍ତାରେ ଗର୍ଜିଲେ ଏବିଭିପି ଛାତ୍ର ସଂଗଠନ! ଲୋୟର ପିଏମିଜିରେ ଏକାଠି ହେଲେ ହଜାର ହଜାର ଛାତ୍ରଛାତ୍ରୀ, ୩୦ ଦଫା ଦାବି ନେଇ ସରକାରଙ୍କୁ ମାଗିଲେ ଜବାବ

61

କନକ ବ୍ୟୁରୋ : ରାଜ୍ୟର ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା ଓ ବେକାରୀ ସମସ୍ୟା ନେଇ ଆଜି ରାଜଧାନୀର ରାଜରାସ୍ତାରେ ଗର୍ଜିଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ । ଏଥିପାଇଁ ସଙ୍ଗଠନ ପକ୍ଷରୁ ଭୁବନେଶ୍ୱରରେ ଆୟୋଜନ କରାଯାଇଛି ଛାତ୍ର ଅଧିକାର ସମାବେଶ । ଏଥିରେ ଏବିଭିପି ସରକାରଙ୍କ ସମ୍ମୁଖରେ ୩୦ ଦଫା ଦାବି ରଖିଛି । ଏଥିରେ କୃଷି ସମ୍ପର୍କୀୟ ଶିଳ୍ପକୁ ପ୍ରୋତ୍ସାହନ ଦେବା ସହ ମଦ ଓ ମାଦକ ଦ୍ରବ୍ୟର ବିକ୍ରିକୁ ବେଆଇନ ଘୋଷଣା କରିବାକୁ ଦାବି କରାଯାଇଛି । ଏହାଛଡା ଅନ୍ୟ ଦାବିଗୁଡିକ ମଧ୍ୟରେ ପ୍ରମୁଖ ରହିଛି—କଲେଜରେ ପରୀକ୍ଷା ଓ ଫଳ ପ୍ରକାଶନକୁ ଶୃଙ୍ଖଳିତ କରିବା , ଅଧାପକ ପଦବୀ ପୂରଣ କରିବା , କ୍ୟାମ୍ପସରେ ଛାତ୍ରୀଙ୍କୁ ସୁରକ୍ଷା ଦେବା, ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ପରିସରଗୁଡିକୁ ଦଳୀୟ ରାଜନୀତିରୁ ମୁକ୍ତ କରିବା, ଖାଲିଥିବା ଅଧ୍ୟାପକ ପଦବୀ ସ୍ଥାୟୀ ଭାବେ ପୂରଣ କରାଯାଉ ।

ଏଭଳି କିଛି ଦାବି ରଖି ଆଜି ଭୁବନେଶ୍ୱରରେ ସଙ୍ଗଠନ ପକ୍ଷରୁ ଏକ ବିଶାଳ ରାଲି କରାଯାଇଛି । ଏହି ରାଲିରେ ପାଖାପାଖି ୧୫ ହଜାରରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ ସାମିଲ ହୋଇଥିବା ପରିଷଦ ପକ୍ଷରୁ କୁହାଯାଇଛି । ଏହାଛଡା ଯଦି ଏହି ଦାବି ଗୁଡିକ ସରକାର ନ ଶୁଣନ୍ତି ତେବେ ଆଗାମୀ ଦିନରେ ଏହି ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ କୁହାଯାଇଛି ।
74