ନିଶା ନିବାରଣ କେନ୍ଦ୍ରରେ ଅନ୍ତେବାସୀଙ୍କୁ ଅତ୍ୟାଚାର: ପ୍ଲାଷ୍ଟିକ ପାଇପରେ ପିଟିଲେ ମାଲିକ, ଚପଲ ଖୋଲି ପାଦ ଚଟାଇଲେ ସହଯୋଗୀ

165

କନକ ବ୍ୟୁରୋ: ନିଶା ଛଡାଇବା ନାଁରେ ବାରିପଦା ତୁଳସୀପୁର ପ୍ରତିଜ୍ଞା ନିଶା ନିବାରଣ କେନ୍ଦ୍ରରେ ଅନ୍ତେବାସୀଙ୍କୁ ନିର୍ଯାତନା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । କେନ୍ଦ୍ରର ମାଲିକ ଅବନୀ ପତି ନିଶାଗ୍ରସ୍ତ ହୋଇ ଜଣେ ଦିବ୍ୟାଙ୍ଗ ଓ ଅନ୍ୟ ଅନ୍ତେବାସୀଙ୍କୁ ନିଧୁମ ପିଟୁଥିବାର ଭିଜୁଆଲ ଏବେ ଭାଇରାଲ ହୋଇଛି ।

କେନ୍ଦ୍ରରେ ଜଣେ ଦିବ୍ୟାଙ୍ଗଙ୍କୁ ମାଡ ମାରୁଛନ୍ତି ମାଲିକ । ହାତରେ ପ୍ଲାଷ୍ଟିକ ପାଇପ ଧରି ନିର୍ଧୁମ ମାଡ ମାରୁଛନ୍ତି । ନିଶାନିବାରଣ କେନ୍ଦ୍ରରେ ନିଜେ ନିଶାଗସ୍ତ ହୋଇ ହିତାହିତ ଜ୍ଞାନ ଭୁଲିଯାଇଛନ୍ତି । ମନରେ ନାହିଁ ଟିକିଏ ବି ଦୟା । ନିର୍ଯାତନା କେବଳ ଏତିକିରେ ଅଟକି ନାହିଁ । ସହଯୋଗୀଙ୍କୁ ଆଣି ପାଦ ଚଟାଉଛନ୍ତି । ଏହି ଭିଡିଓ ଏବେ ଭାଇରାଲ ହେଉଛି ।

ବାରିପଦା ପ୍ରତିଜ୍ଞା ନିଶା ନିବାରଣ କେନ୍ଦ୍ରର ଇଏ ହେଉଛି ଦ୍ୱିତୀୟ ଭିଡିଓ । ଭିଡିଓରେ ମାଲିକ ଅବନି ପତି ଅନ୍ତେବାସୀଙ୍କୁ ପ୍ଲାଷ୍ଟିକ୍ ପାଇପ୍ ଧରି ବାଡଉଥିବାର ଦେଖିବାକୁ ମିଳିଛି । ନିଜେ ନିଶାଶକ୍ତ ଅବସ୍ଥାରେ ସେ ଅନ୍ତେବାସୀଙ୍କୁ ଅତି ନିର୍ମମ ଭାବେ ମାଡ ମାରୁଛନ୍ତି । ଭିଡିଓ ଭାଇରାଲ ହେବା ପରେ ଆକ୍ସନକୁ ଆସିଛି ପୁଲିସ । ଅବନୀ ପତିଙ୍କୁ ଗିରଫ କରିଛି ପୁଲିସ । ଆଉ ଭିଡିଓ ସାମ୍ନାକୁ ଆସିବା ପରେ ବିତଣ୍ଡା ଯୁକ୍ତି କରିଛନ୍ତି ଅବନୀ ।

ନିଶାଶକ୍ତ ଲୋକଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଅନେକ ଉପାୟ ଅଛି । କିନ୍ତୁ ଏହି କେନ୍ଦ୍ରରେ ସବୁ କିଛି ଓଲଟା ଦେଖିବାକୁ ମିଳିଛି । ଅବନୀ ପତିଙ୍କ ନାଁରେ ଦୁଇଟି ମାମଲା ରହିଛି । ପୂର୍ବରୁ ହତ୍ୟା ଅଭିଯୋଗରେ ତାଙ୍କ ନାଁରେ ୩୦୨ ଦଫା ଲାଗିଛି । ଆଉ ଏବେ ଏଭଳି ଘଟଣା ସାମ୍ନାକୁ ଆସିବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ବାରିପଦାର ନିଶା ନିବାରଣ ଭିଡିଓ ସାମ୍ନାକୁ ଆସିବା ପରେ ନିଶା ନିବାରଣ କଣ ଏମିତ ହୁଏ ବୋଲି ପ୍ରଶ୍ନ ଉଠିଛି । ପୁଲିସ ଅବନୀ ପତି ଓ ତାଙ୍କ ସହ ଯୋଗୀଙ୍କ ନାଁରେ ମାମଲା ରୁଜୁ କରିଛି ।