କନକ ବ୍ୟୁରୋ: କୁଆଡେ ଗଲେ ମନ୍ତ୍ରୀ ? ବିଧାନସଭାର ଗୃହକାର୍ଯ୍ୟ ସମୟରେ ଉପସ୍ଥିତ ରହୁନାହାନ୍ତି ମନ୍ତ୍ରୀ । ଏହି ପ୍ରସଙ୍ଗ ଉଠାଇ ଗୃହର ମଧ୍ୟଭାଗରେ ନାରାବାଜି କରିଛନ୍ତି ବିରୋଧୀ । ଆଜି ଶୂନ୍ୟକାଳରେ ଗୃହରେ କୌଣସି ମନ୍ତ୍ରୀ ଉପସ୍ଥିତ ନଥିବା ପ୍ରସଙ୍ଗ ଉଠାଇଥିଲେ ବିଜେପି ଓ କଂଗ୍ରେସ ବିଧାୟକ । ଏହାପରେ ବାଚସ୍ପତି ଗୁରୁତ୍ୱପୂର୍ଣ୍ଣ ରୁଲିଂ ଦେଇଥିଲେ । ବାଚସ୍ପତି କହିଥିଲେ, ଗୃହ ଚାଲୁଥିବା ସମୟରେ ଜଣେ ମନ୍ତ୍ରୀ ଉପସ୍ଥିତ ରହିବା ଦରକାର । ସରକାରୀ ଦଳ ମୁଖ୍ୟ ସଚେତକ ଏ ଦାୟିତ୍ୱ ନିଅନ୍ତୁ । କଂଗ୍ରେସ ଓ ବିଜେପି ବିଧାୟକ ଠିକ କହୁଛନ୍ତି । ଏହି ରୁଲିଂ ପରେ ଲବିରୁ ଗୃହକୁ ଆସିଥିଲେ ୪ ମନ୍ତ୍ରୀ ଓ ଶାସକ ଦଳର ଅନେକ ବିଧାୟକ ।

Advertisment

publive-image

ଉଲ୍ଲେଖ ଥାଉ କି, ଧାନ କିଣା ଉପରେ ଗତକାଲି ମୁଲତବୀ ଆଲୋଚନା ଚାଲିଥିଲା ସମୟରେ ଶାସକ ଦଳ ସଭ୍ୟଙ୍କ ଉପସ୍ଥିତି ଖୁବ୍ ନଗଣ୍ୟ ଥିଲା। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହୁଥିଲା ବେଳେ ଏହି ପ୍ରସଙ୍ଗ ଉଠାଇଥିଲେ। କହିଥିଲେ, ଧାନ କିଣା ପରି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା ହେଉଥିଲା ବେଳେ ଶାସକ ଦଳର ୧୬ ଜଣ ସଭ୍ୟ ଅଛନ୍ତି। ଯୋଗାଣ ମନ୍ତ୍ରୀଙ୍କ ସମେତ ମାତ୍ର ୩ ଜଣ ମନ୍ତ୍ରୀ ଉପସ୍ଥିତ ଅଛନ୍ତି। ଶାସକ ଦଳ ପଟୁ କୁହାଯାଇଥିଲା କି, ବିଧାୟକମାନେ ବିଧାନସଭା ଭିତରେ ଅଛନ୍ତି ଓ ଟିଭିରେ ଆପଣଙ୍କ କଥା ଶୁଣୁଛନ୍ତି। ଶ୍ରୀ ମିଶ୍ର କହିଲେ, ମୁଖ୍ୟମନ୍ତ୍ରୀ ଆପଣମାନଙ୍କ କୁଆଡ଼େ ଉପଦେଶ ଦେଇଥିଲେ ଗୃହରେ ରହିବା ପାଇଁ। ସେ ତ ନିଜେ କେବେ ଆସନ୍ତିନି କି କିଛି ଶୁଣନ୍ତିନି। ଆଉ ତାଙ୍କ ଉପଦେଶ ବି ଆପଣମାନେ ଶୁଣନ୍ତିନି। ଯଦି ଗୃହକୁ ନ ଆସି ଆପଣମାନେ ଶୁଣିପାରିବେ, ତେବେ ସେହି କଥା ମୁଖ୍ୟମନ୍ତ୍ରୀ ଉପଦେଶ ଦେଉ ନାହାନ୍ତି କାହିଁକି ? ଶ୍ରୀ ମିଶ୍ର ଏତିକି କହୁ କହୁ ଆଉ ୫ ଜଣ ବିଧାୟକଙ୍କ ସମେତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଗୃହକୁ ପ୍ରବେଶ କରିଥିଲେ।