ଭୁବନେଶ୍ୱରରୁ ଇଞ୍ଜିନିୟରିଂ ଛାତ୍ର ନିଖୋଜ ମାମଲାର ନାଟକୀୟ ଅନ୍ତ । ଜମତରା ଗ୍ୟାଙ୍ଗ ସହ ଲିଙ୍କ ଥିବାରୁ ମାରିଥିଲେ ଚମ୍ପଟ ।

187

କନକ ବ୍ୟୁରୋ : କିଛି ଦିନ ତଳେ ଭୁବନେଶ୍ୱରରେ ୪ଜଣ ଇଞ୍ଜିନିୟରିଂ ଛାତ୍ର ନିଖୋଜ ହୋଇଯିବା ନେଇ ଥାନାରେ ତାଙ୍କ ପରିବାର ଲୋକେ ରିପୋର୍ଟ କରିଥିଲେ । ଏହି ଖବର ମଧ୍ୟ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା । ଅନେକ ସନ୍ଦେହ କରୁଥିଲେ, ବୋଧହୁଏ ସେମାନେ କୌଣସି ସମସ୍ୟାରେ ପଡିଯାଇଛନ୍ତି । କିନ୍ତୁ ଆଜି ଯେଉଁ ତଥ୍ୟ ଆସିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଲା । ଏମାନଙ୍କ ମଧ୍ୟରୁ ୩ଜଣ ଝାଡଖଣ୍ଡର ଜମତାରା ଗ୍ୟାଙ୍ଗ ସହ ଲିଙ୍କରେ ଥିଲେ ବୋଲି ଜଣାପଡିଛି । ଆଉ ସେମାନଙ୍କ ସହ ମିଶି ଏମାନେ ଲୋକଙ୍କୁ ଲୁଟ୍ କରି ଚାଲିଥିଲେ ।

ଭୁବନେଶ୍ୱରରୁ ୪ ଜଣ ଛାତ୍ରଙ୍କ ନିଖୋଜ ଘଟଣାର ତଦନ୍ତ ଚାଲିଥିବା ବେଳେ ଜାମତାରା ଗ୍ୟାଙ୍ଗର ଲିଙ୍କ ସାମ୍ନାକୁ ଆସିଛି । ଅସଲରେ ଏମାନେ ଇଞ୍ଜିନିୟରିଂ ଛାତ୍ର । ଗିରଫ ହୋଇଥିବା ଏହି ୩ ଛାତ୍ର ହେଉଛନ୍ତି ରହମତ ଅନସାରି, ବିଶାଲ ପାଣ୍ଡେ ଓ ଶେଖର ଗୌତମ । ଦୁଇଜଣଙ୍କ ଘର ଝାଡ଼ଖଣ୍ଡରେ ହୋଇଥିବା ବେଳେ ଜଣଙ୍କ ଘର ବିହାରରେ । ଗୋଟିଏ ପଟେ ଭୁବନେଶ୍ୱର ତମାଣ୍ଡୋ ଥାନା ଅଂଚଳର ଏକ ଘରୋଇ ଇଂଜିନିୟରିଂ କଲେଜର ୪ ଛାତ୍ର ନିଖୋଜ ନେଇ କମିଶନରେଟ ପୋଲିସ୍ ତଦନ୍ତ କରୁଥିଲା । ସେପଟେ ଏମାନଙ୍କୁ ଭୁବନେଶ୍ୱରରୁ ଉଠାଇ ନେଇଥିଲା ସମ୍ବଲପୁର ଅଇଁଠାପାଲି ପୋଲିସ । କାରଣ ସାଇବର ଠକ ଜାମତାରା ଗ୍ୟାଙ୍ଗ ସହ ରହିଛି ଏହି ତିନି ଜଣଙ୍କ ସମ୍ପର୍କ । ଅଇଁଠାପାଲି ପୋଲିସ୍ ଆଗରେ ଏକଥା ସ୍ୱୀକାର ମଧ୍ୟ କରିସାରିଛନ୍ତି ।

ସୋସିଆଲ ମିଡିଆରେ ଲୋଭନୀୟ ପୋଷ୍ଟ ଓ ଅଫର ଛାଡ଼ି ନୀରିହ ଲୋକଙ୍କୁ ଠକୁଥିଲେ । ଏହା ସହ କଷ୍ଟମର କେୟାର ସଦସ୍ୟ କହି ଲୋକଙ୍କ ବ୍ୟକ୍ତିଗତ କଥା ମଧ୍ୟ ସଂଗ୍ରହ କରୁଥିଲେ ଏହି ତିନି ଜଣ । ଏଥିପାଇଁ ନକଲି ସିମ୍ ବ୍ୟବହାର କରୁଥିଲେ । ସେମାନଙ୍କ ପାଖରୁ ୧ ଲକ୍ଷ ୧୩ ହଜାର ନଗଦ ସହ ୯ଟି ମୋବାଇଲ, ଲାପଟପ୍ ଓ ଏଟିଏମ୍ କାର୍ଡ ଜବତ ହୋଇଛି । ସାରା ଦେଶରେ ସାଇବର ଠକଙ୍କ ମୁଖ୍ୟ କେନ୍ଦ୍ର ଭାବେ ଝାଡ଼ଖଣ୍ଡର ଜାମତାରା ଜଣାଶୁଣା । ଏତିକି ବେଳେ ଗିରଫ ହୋଇଥିବା ଏହି ୩ ଜଣଙ୍କ ଜାମତାରା ଲିଙ୍କ ମାମଲାକୁ ଜଟିଳ କରିଦେଇଛି ।