ପଶ୍ଚିମବଙ୍ଗରୁ ଯାଜପୁରକୁ ଫେରିଛନ୍ତି ୬ଶହରୁ ୭ଶହ ଲୋକ । ସଙ୍ଗରୋଧରେ ନରହୁଥିବା ଫେରନ୍ତାଙ୍କୁ ସରକାରୀ କ୍ୱାରେଣ୍ଟାଇନକୁ ଆଣୁଛି ପ୍ରଶାସନ । ଯାଜପୁର ଜିଲ୍ଲାପାଳଙ୍କ ପ୍ରତିକ୍ରିୟା ପରେ ବଢ଼ିଲା ଚିନ୍ତା ।

1,579

କନକ ବ୍ୟୁରୋ: ଯାଜପୁରରେ ଆଉ ୪ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ସାମ୍ନାକୁ ଆସିଲା ଆଉ ଏକ ସତ । ତାଲାବନ୍ଦ୍ ସମୟରେ ପଶ୍ଚିମବଙ୍ଗରୁ ଯାଜପୁରକୁ ଫେରିଛନ୍ତି ୬ଶହରୁ ୭ ଶହ ଲୋକ । ଏନେଇ ସୂଚନା ଦେଇଛନ୍ତି ଯାଜପୁର ଜିଲ୍ଲାପାଳ । ତେବେ ଏହି ପଶ୍ଚିମବଙ୍ଗ ଫେରନ୍ତା ଜିଲ୍ଲାପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛନ୍ତି । ଏବଂ ସେମାନଙ୍କୁ ସରକାରୀ କେନ୍ଦ୍ରରେ ରଖିବା ପାଇଁ ବ୍ୟବସ୍ଥା କରାଯାଉଛି ବୋଲି କହିଛନ୍ତି ଯାଜପୁର ଜିଲ୍ଲାପାଳ ।

ସେପଟେ ଯାଜପୁରର ନୂଆ ୪ ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୮୭କୁ ବୃଦ୍ଧି ପାଇଛି । ଏବଂ ସମସ୍ତେ ଯାଜପୁର ଜିଲ୍ଲାର ହୋଇଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏମାନେ ସମସ୍ତେ ପୂର୍ବ କରୋନା ଆକ୍ରାନ୍ତଙ୍କ ସମ୍ପର୍କୀୟ । ଜଣେ ଦଶରଥପୁର ଅଂଚଳର ହୋଇଥିବାବେଳେ ୩ଜଣ ଯାଜପୁର ଅଂଚଳର । ସେମାନଙ୍କ କଂଟାକ୍ଟ ଟ୍ରେସିଂ କରାଯାଉଛି ।

ସବୁଠୁ ବଡ କଥା ହେଉଛି ଏହି ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୮୦ ବର୍ଷୀୟ ବୃଦ୍ଧା ରହିଛନ୍ତି । ସେହିପରି ଜଣେ ୭୦ ବର୍ଷ ବୟସ୍କା ମହିଳା ମଧ୍ୟ ରହିଛନ୍ତି । ଏହା ସହିତ ଜଣେ ୪୮ ବର୍ଷିୟ ମହିଳା ଓ ଅନ୍ୟ ଜଣେ ୨୧ ବର୍ଷିୟ ଯୁବକ କରୋନା ସଂକ୍ରମିତ ହୋଇଛନ୍ତି । ନୂଆ ୧୪ ଆକ୍ରାନ୍ତଙ୍କୁ ମିଶାଇ ଯାଜପୁରର ଏପର୍ଯ୍ୟନ୍ତ ମୋଟ ୧୨ ଜଣ କରୋନା ସଂକ୍ରମିତ ହୋଇଛନ୍ତି । ଆଉ ଜଣେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।