ଅଚଳ ହୋଇପଡିଛି ରାଜ୍ୟ ମାନବାଧିକାର ଆୟୋଗ ! ୩ ହଜାରରୁ ଅଧିକ ମାମଲା ରହିଛି ବିଚାରଧୀନ ।

36

କନକ ବ୍ୟୁରୋ : ରାଜ୍ୟ ମାନବାଧିକାର ଆୟୋଗର କାର୍ଯ୍ୟନିର୍ବାହି ଅଧ୍ୟକ୍ଷ ଜଷ୍ଟିସ ବିରୋକିଶୋର ମିଶ୍ର ଅବସର ନେଇଛନ୍ତି । ଏଥିସହ ରାଜ୍ୟ ମାନବାଧିକାର ଆୟୋଗ ଅଚଳ ହୋଇଯାଇଛି । ଜଣେ ଅଧ୍ୟକ୍ଷ ଓ ଦୁଇ ଜଣ ସଦସ୍ୟଙ୍କ ପଦ ଏବେ ଖାଲି ପଡିଛି । ସେପଟେ ଆୟୋଗଙ୍କ ପାଖରେ ୨୦୧୭ରୁ ଏବେ ସୁଦ୍ଧା ୩ହଜାରରୁ ଅଧିକ ମାମଲା ବିଚାରଧିନ ରହିଛି । ନିଜ ଅଧିକାରୀ ପାଇଁ ଲଢେଇ କରୁଥିବା ଲୋକଙ୍କୁ କିଏ ଦେବ ନ୍ୟାୟ ତାକୁ ନେଇ ଏବେ ଉଠିଛି ପ୍ରଶ୍ନ । ତେବେ ଅଚଳ ହୋଇ ପଡିଥିବା ଆୟୋଗ ସମ୍ପର୍କରେ ମତ ଦେବାକୁ ମନା କରି ଦେଇଛନ୍ତି ଏହାର ପୂର୍ବତନ କାର୍ଯ୍ୟନିର୍ବାହି ଅଧ୍ୟକ୍ଷ ଜଷ୍ଟିସ ବିରୋକିଶୋର ମିଶ୍ର ।

ଏଠାରେ ସୂଚନା ଥାଉ ଯେ, ଜଷ୍ଟିସ ରାଧାକୃଷ୍ଣ ପାତ୍ର ଅଧ୍ୟକ୍ଷ ପଦରୁ ଅବସର ନେବା ପରେ କାର୍ଯ୍ୟନିର୍ବାହି ଅଧ୍ୟକ୍ଷ ଭାବରେ ଡ. ରବିନାରାୟଣ ବହିଦାର ୨୦୧୩ରେ ଅବସର ନେଇଥିଲେ । ସେହିପରି ସଦସ୍ୟ ପଦରେ ଥିବା ପ୍ରଶାସନିକ ଅଧିକାରୀ ବିଜୟ କୁମାର ପଟ୍ଟନାୟକ ନିଜ ଇଚ୍ଛାରେ ଇସ୍ତଫା ଦେଇଥିଲେ । ସେହି ସମୟରେ ସଦସ୍ୟ ରହିଥିବା ଜଷ୍ଟିସ ବିରକିଶୋର ମିଶ୍ରଙ୍କୁ କାର୍ଯ୍ୟନିର୍ବାହି ଅଧ୍ୟକ୍ଷ ପଦରେ ଅବସ୍ଥାପିତ କରାଯାଇଥିଲା । ତେବେ ଅଧ୍ୟକ୍ଷ ପଦ ଓ ଦୁଇଟି ସଦସ୍ୟ ପଦ ସେହିଦିନ ଠାରୁ ଖାଲି ପଡିଥିଲା । ଏହି କାରଣରୁ ଏବେ ସୁଦ୍ଧା କମିଶନ ନିଜ ଆଡୁ କୌଣସି ମାମଲା ରୁଜୁ କରି ପାରୁ ନାହାନ୍ତି ।

କିଭଳି ମନୋନିତ ହୁଅନ୍ତି :

ରାଜ୍ୟ ମାନବାଧିକାର ଆୟୋଗରେ ଜଣେ ଅଧ୍ୟକ୍ଷ ଓ ଦୁଇ ଜଣ ସଦସ୍ୟ ରହିଥାନ୍ତି । ଏହିମାନଙ୍କୁ ମୁଖ୍ୟମନ୍ତ୍ରୀ, ବିରୋଧୀଦଳ ନେତା ଓ ବାଚସ୍ପତିଙ୍କ ମିଳିତ କମିଟି ମନୋନିତ କରିଥାନ୍ତି । ଉକ୍ତ ତିନି ଜଣିଆ କମିଟି ଆୟୋଗର ତିନି ଜଣଙ୍କ ନାଁକୁ ରାଜ୍ୟପାଳଙ୍କ ପାଖକୁ ପଠାଇଥାନ୍ତି । କମିଟି ସୁପାରିସ କରିଥିବା ତିନି ଜଣଙ୍କ ନାମକୁ ନେଇ ରାଜ୍ୟପାଳ ନିଯୁକ୍ତି ଦେଇଥାନ୍ତି । ଅଧ୍ୟକ୍ଷ ପଦ ପାଇଁ ମନୋନିତ ହୋଇଥିବା ବ୍ୟକ୍ତି କୌଣସି ହାଇକୋର୍ଟର ବିଚାରପତି ହୋଇଥିବା ଆବଶ୍ୟକ କିମ୍ବା ଜିଲ୍ଲା ଦୌରା ଜଜ୍ କୋର୍ଟରେ ଅନ୍ୟୁନ ସାତ ବର୍ଷ ବିଚାରପତି ଭାବରେ କାମ କରିଥିବା ଆବଶ୍ୟକ । ସେହିପରି ଦୁଇଟି ସଦସ୍ୟ ପଦ ପାଇଁ ବ୍ୟକ୍ତି ଜଣଙ୍କ କୌଣସି ପ୍ରଶାସନିକ ପଦରେ ଅବସ୍ଥାପିତ ହୋଇଥିବା ଆବଶ୍ୟକ । ଏଥିସହ ମାନବାଧିକାର ଦିଗରେ କାମ କରିଥିବା ଦରକାର ।