କନକ ବ୍ୟୁରୋ : ଆମେରିକାରେ କରୋନାର ଅଲୋଡା ରେକର୍ଡ । ସୁନାମି ଭଳି କରୋନା ସଂକ୍ରମଣ ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ରରେ ମାଡି ଚାଲିଛି । ଗତ ୨୪ ଘଣ୍ଟାରେ ଆମେରିକାରେ ୧୦ଲକ୍ଷ ନୂଆ ମାମଲା ଚିହ୍ନଟ ହୋଇଛି । ଯାହା ବିଶ୍ୱରେ ଗୋଟିଏ ଦିନରେ ଯେକୌଣସି ରାଷ୍ଟ୍ରରେ ଚିହ୍ନଟ ସର୍ବାଧିକ ନୂଆ ଆକ୍ରାନ୍ତ ମାମଲା ଭାବେ ରେକର୍ଡ କରିଛି । ଏହା ପୂର୍ବରୁ ଆମେରିକାରେ ଦିନକରେ ୫ ଲକ୍ଷ ୯୦ ହଜାର ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଅର୍ଥାତ୍ ପୂର୍ବରୁ ସର୍ବାଧିକ ଦୈନିକ ସଂକ୍ରମଣର ଦୁଇଗୁଣା ନୂଆ ମାମଲା ଚିହ୍ନଟ ହୋଇଛି ।
ତେବେ ସୋମବାର ୧୦ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଆଶଙ୍କା କରାଯାଉଛି । କାରଣ ଆମେରିକାର ବହୁ ନାଗରିକ ଘରେ କରୋନା ଟେଷ୍ଟ କରି ସଙ୍ଗରୋଧରେ ରହୁଛନ୍ତି ଏବଂ ସରକାରୀ ଭାବେ ତାଙ୍କର ରେକର୍ଡ ନାହିଁ । ତେଣୁ ଦୈନିକ ଆକ୍ରାନ୍ତ ସଂଖ୍ୟା ସରକାର ଦେଉଥିବା ସଂଖ୍ୟାଠାରୁ ଅଧିକ ବୋଲି କୁହାଯାଉଛି ।
ଜନ ହପକିନ୍ସ ୟୁନିଭରସିଟିର ତଥ୍ୟ ଅନୁସାରେ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଅଧିକ ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେଉ ନାହିଁ କିମ୍ବା ମୃତ୍ୟୁ ହାର ମଧ୍ୟ ଅଧିକ ହେଉ ନାହିଁ । ଅନ୍ୟପଟେ ଦ୍ରୁତ ସଂକ୍ରମଣର ମୁକାବିଲା କରିବା ପାଇଁ ଆମେରିକାରେ ବିମାନ ସେବା ବାତିଲ କରାଯାଇଥିବା ବେଳେ ଶିକ୍ଷାନୁଷ୍ଠାନ ଓ ଅଫିସ ବନ୍ଦ କରାଯାଇଛି । ଗତବର୍ଷ ମଧ୍ୟ ଆମେରିକାରେ ଏହିଭଳି ଦୈନିକ ସଂକ୍ରମିତ ଚିହ୍ନଟ ହେଉଥିଲେ । ସେତେବେଳେ କିନ୍ତୁ ଗୁରୁତର ଏବଂ ମୃତ୍ୟୁ ହାର ବହୁତ ଅଧିକ ଥିଲା, ଯାହା ଏବେ ନାହିଁ ।
Follow Us