ଏସଡିଏମ ଜ୍ୟୋତି ମୌର୍ଯ୍ୟଙ୍କ କାହାଣୀକୁ ନେଇ ଚର୍ଚ୍ଚା। ଭୟରେ ସ୍ତ୍ରୀଙ୍କ ପାଠପଢା ବନ୍ଦ କଲେ ୧୫୦ ସ୍ୱାମୀ…

5,052

କନକ ବ୍ୟୁରୋ: ସ୍ତ୍ରୀକୁ ପାଠଶାଠ ପଢ଼ାଇଲେ । ସ୍ତ୍ରୀ, ସରକାରୀ ଚାକିରିଟିଏ କରିବେ ବୋଲି ଅଭାବ ଅନଟନ ଭିତରେ ବି ତାଙ୍କୁ କୋଚିଂରେ ପଢ଼ାଇଥିଲେ । ଆଉ ଯେତେବେଳେ ବଡ଼ ସରକାରୀ ଚାକିରି ପାଇଲେ ଏହି ସ୍ତ୍ରୀ ଜଣକ, ସ୍ୱାମୀଙ୍କୁ ଛାଡ଼ି ଆଉ ଜଣେ ବ୍ୟକ୍ତିଙ୍କ ସହ ସମ୍ପର୍କ ରଖିଲେ । ଏଭଳି ଏକ ଅଭିଯୋଗ ଆସିଛି ଉତ୍ତରପ୍ରଦେଶରୁ । ଏହି କାହାଣୀ ହେଉଛି ଉତ୍ତରପ୍ରଦେଶ ବରେଲିର ଏକ ଦମ୍ପତିଙ୍କର । ଏହି ଦମ୍ପତିଙ୍କ ନାଁ ହେଉଛି ଆଲୋକ ମୌର୍ଯ୍ୟ ଏବଂ ଜ୍ୟୋତି ମୌର୍ଯ୍ୟ । ଆଜିକୁ ୧୩ ବର୍ଷ ତଳେ ଅର୍ଥାତ୍ ୨୦୧୦ ମସିହାରେ ବିବାହ କରିଥିଲେ । ସ୍ତ୍ରୀ ଜ୍ୟୋତି ମୌର୍ଯ୍ୟଙ୍କ ଇଚ୍ଛା ଥିଲା, ପାଠପଢ଼ି ଦିନେ ସରକାରୀ ଚାକିରି କରିବେ । ସ୍ତ୍ରୀଙ୍କ ଏହି ସ୍ୱପ୍ନକୁ ପୁରଣ କରିବା ପାଇଁ ସହଯୋଗ କରିଥିଲେ ସ୍ୱାମୀ ଅଶୋକ ମୌର୍ଯ୍ୟ । ଅଶୋକ ଉଚ୍ଚରପ୍ରଦେଶ ପଞ୍ଚାୟତିରାଜ ବିଭାଗରେ ସଫେଇ କର୍ମଚାରୀ ଭାବେ କାମ କରୁଛନ୍ତି । ଅଭାବ ଅନଟନ ଭିତରେ ବି ସ୍ତ୍ରୀଙ୍କୁ କେବେ ନିରାଶ କରିନଥିଲେ । ସଂଯୋଗ ଦେଖନ୍ତୁ ୨୦୧୫ ମସିହାରେ ଜ୍ୟୋତି ମୌର୍ଯ୍ୟ ଉତ୍ତରପ୍ରଦେଶ ସିଭିଲି ସର୍ଭିସ୍ ପରୀକ୍ଷାରେ ଉତୀର୍ଣ୍ଣ ହୋଇଥିଲେ । ଏମିତି କି ତାଙ୍କୁ ସାରା ରାଜ୍ୟରେ ୧୬ ନମ୍ବର ରାଙ୍କ୍ ମିଳିଥିଲା । ଆଉ ସେହି ୨୦୧୫ ମସିହାରେ ଜ୍ୟୋତିଙ୍କର ଯାଆଁଳା ଶିଶୁକନ୍ୟା ହୋଇଥିଲା । ହେଲେ ସ୍ତ୍ରୀ, ଉତ୍ତରପ୍ରଦେଶ ସରକାରରେ ଏସଡିଏମ ହୋଇଯିବା ପରେ ତାଙ୍କ ସ୍ୱାଭାବ ଓ ଆଚରଣରେ ପରିବର୍ତନ ଆସିଥିଲା ବୋଲି ତାଙ୍କ ସ୍ୱାମୀ ଅଭିଯୋଗ କରିଛନ୍ତି ।

ଏମିତି କି ତାଙ୍କୁ ଜୀବନରୁ ମାରିଦେବାକୁ ଉଦ୍ୟମ ହେଉଛି ବୋଲି ସେ ଅଭିଯୋଗ କରିଛନ୍ତି । ଏହାରି ଭିତରେ ୨୦୨୦ ମସିହାରେ ମନୀସ ଦୁବେ ନାମକ ଜଣେ ବ୍ୟକ୍ତିଙ୍କୁ ପ୍ରେମରେ ପଡ଼ିଯାଇଥିଲେ ବୋଲି ଅଭିଯୋଗ ହୋଇଛି । ମନୀସ ପେଶାରେ ହୋମଗାର୍ଡ କମାଣ୍ଡାଣ୍ଟ । ସ୍ୱାମୀଙ୍କ ଅଭିଯୋଗ ପରେ ଜ୍ୟୋତି ପାଲଟା ଅଭିଯୋଗ ଆଣିଛନ୍ତି । ବିବାହ ସମୟରେ ଅଶୋକ ତାଙ୍କୁ ସଫେଇ କର୍ମଚାରୀ ବୋଲି କହିନଥିଲେ । ସେ ସରକାରୀ ଚାକିରି କରୁଥିଲେ ବୋଲି କହିଛନ୍ତି । ସେହିପରି ଚାକିରି କରିବା ପରେ ତାଙ୍କ ସ୍ୱାମୀ ଘର କରିବା ପାଇଁ ଟଙ୍କା ମାଗୁଥିବା ଅଭିଯୋଗ କରିଛନ୍ତି । ଉତରପ୍ରଦେଶର ଏହି କାହାଣୀକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା । ସୂଚନା ଅନୁସାରେ ୧୫୦ ଜଣ ସ୍ୱାମୀ, ନିଜ ସ୍ତ୍ରୀଙ୍କୁ ପାଠ ପଢ଼ାଇବା ନିଷ୍ପତିରୁ ଓହରିଯାଇଛନ୍ତି । ସିଭିଲ୍ ସର୍ଭିସ୍ ପାଇଁ ଉଦ୍ୟମ କରୁଥିବା ପତ୍ନୀଙ୍କ ପାଠ ଅଧାରୁ ବନ୍ଦ ହୋଇଯାଇଛି । ପରିଚିତ ଶିକ୍ଷକ ଖାନ ସାର ନିଜେ ଏହି କଥାକୁ ସ୍ୱୀକାର କରିଛନ୍ତି । ତାଙ୍କ କୋଚିଂ ସେଣ୍ଟରରେ ପାଠ ପଢ଼ୁଥିବା ୯୩ ଜଣ ମହିଳା, ପାଠ ଛାଡ଼ିଥିବା କହିଛନ୍ତି ।