କନକ ବ୍ୟୁରୋ : ଲୋକ କଥାରେ ରାଜ୍ୟ ତଥ୍ୟ ଅନ୍ୟପ୍ରାନ୍ତରୁ ଆସୁଥିବା ଶ୍ରଦ୍ଧାଳୁ ଜଗନ୍ନାଥ ପ୍ରେମୀ ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଘରକୁ ଜଗନ୍ନାଥଙ୍କ ମାଉସୀ ଘର ବୋଲି ଧାରଣା ରଖିଥାନ୍ତି। ଏବେ ବି ଏହାକୁ ନେଇ ବାହାରୁ ଆସୁଥିବା ଭକ୍ତଙ୍କ ଭିତରେ ଦ୍ବନ୍ଦ୍ବ ରହିଥାଏ। ବିଶେଷ କରି ବଙ୍ଗୀୟ ପର୍ଯ୍ୟଟକମାନେ ଗୁଣ୍ଡିଚା ଘରକୁ ‘ମାସୀର ବାଡି’ ବୋଲି କହିଥା’ନ୍ତି। ତେବେ ବଡଦାଣ୍ଡ ମଧ୍ୟ ଭାଗରେ ମାଉସୀ ମା ମନ୍ଦିର ରହିଛି। ସମୁଦ୍ରର ପ୍ରଳୟ କାଳରେ ଶୋଷଣ କରି ଶ୍ରୀକ୍ଷେତ୍ରକୁ ରକ୍ଷା କରିଥିବା ଅର୍ଦ୍ଧାସନୀ ବା ଅର୍ଦ୍ଧଶୋଷଣୀ ମାଉସୀ ମା ମନ୍ଦିରରେ ପୂଜା ପାଇଥାନ୍ତି। ପୁରୀ ବଡଦାଣ୍ଡର ବଳଗଣ୍ଡି ଛକ ନିକଟରେ ଥିବା ମାଉସୀ ମା’ ମନ୍ଦିରରେ ମହାପ୍ରଭୁଙ୍କ ରଥ ରହିଥାଏ।
Kanak News is now on WhatsApp
Join and get latest news updates delivered to you via WhatsApp
ଏଠାରେ ପୋଡ ପିଠା ଭୋଗ ଲାଗି ହୋଇଥାଏ। କିମ୍ବଦନ୍ତୀରୁ ଜଣାଯାଏ ବହୁ ବର୍ଷ ପୂର୍ବରୁ ପୁରୀ ବଡଦାଣ୍ଡଟି ମାଳିନୀ ନଦୀ ଦ୍ବାରା ଦୁଇ ଭାଗରେ ବିଭକ୍ତ ହୋଇଥିଲା। ସେତେବେଳେ ରଥଯାତ୍ରା ସମୟରେ ୬ଟି ରଥ ନିର୍ମାଣ ହେଉଥିଲା। ଶ୍ରୀମନ୍ଦିର ଚତୁର୍ଦ୍ଧାମୂର୍ତ୍ତି ୩ଟି ରଥରେ ଆସି ନଦୀ ନିକଟରେ ରହୁଥିଲେ। ସେଠାରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ନୌକାରେ ନଦୀ ପାର କରାଯାଇ ଆରପଟକୁ ନିଆଯାଉଥିଲା। ଏହି ନବ ଦିନାତ୍ମକ ଯାତ୍ରାର ରଥ ଅଦଳବଳଦରେ ୬/୭ ଦିନ ସମୟ ଲାଗୁଥିଲା। ଏହି ଅସୁବିଧାକୁ ଦେଖି ମହାପ୍ରଭୁଙ୍କ ମାଉସୀ ଅର୍ଦ୍ଧାସନୀ ଦେବୀ ମାଳନୀ ନଦୀକୁ ଶୋଷି ଦେଉଥିଲେ। ଏହାକୁ ଅର୍ଦ୍ଧାଶନୀ ବା ଅଦ୍ଧଶୋଷିନୀ ବୋଲି କୁହାଯାଏ।
ଚତୁର୍ଦ୍ଧାମୂର୍ତ୍ତିଙ୍କ ଅସୁବିଧା ଦୂର ପାଇଁ ମାଉସୀ ନଦୀ ଜଳ ଶୋଷି ନେଇଥିବାରୁ ମହାପ୍ରଭୁ ଶ୍ରୀ ଜଗନ୍ନାଥ କଥା ରକ୍ଷା କରି ବାହୁଡିବା ବାଟରେ ମାଉସୀ ମା’ ମନ୍ଦିରରେ ପୋଡ ପିଠା ଖାଇ ଯାଇଥିବାର କିମ୍ବଦନ୍ତୀ ରହିଛି। ବନ୍ୟା ଜଳ ପ୍ରବେଶ କରାଇ ନ ଦେବା ଓ କ୍ଷେତ୍ରକୁ ଜଗି ରହିବାର ବିଶ୍ବାସରେ ଏବେ ବି ଅର୍ଦ୍ଧାସନୀ ମାଉସୀ ମା ମନ୍ଦିରରେ ପୂଜା ପାଉଛନ୍ତୀ। ଦଇତାପଡା ସାହି ପାର୍ଶ୍ବରେ ଏହି ମନ୍ଦିର ରହିଛି। ଏହି ମନ୍ଦିର କେଶରୀ ବଂଶର ରାଜାଙ୍କ ସମୟରେ ନିର୍ମାଣ କରାଯାଇଥିଲା। ମନ୍ଦିରରେ ମାଉସୀ ମା’ଙ୍କର କୃଷ୍ଣପ୍ରସ୍ତର ନିର୍ମିତ ଦ୍ବିଭୂଜା ରମଣୀୟ ବିଗ୍ରହ ରହିଛି। ବିଗ୍ରହଙ୍କ ଦୁଇ ପାର୍ଶ୍ବରେ ପାର୍ଶ୍ବଦେବୀ ରହିଛନ୍ତି। ମୂର୍ତ୍ତିର କଟିଦେଶରୁ ଆଛାଦିତ କରି ଏଠାରେ ଦେବୀ ସୁଭଦ୍ରାଙ୍କ ମୁଖାଟିଏ ଛାପି ଦିଆଯାଇଛି।
ମନ୍ଦିରର ଜଗମୋହନରେ ମହାଲକ୍ଷ୍ମୀ, ହନୁମାନ, ନୃସିଂହ, ରାଧାକୃଷ୍ଣ, ରାମାଭିଷେକ, ପଞ୍ଚମୁଖୀ ହନୁମାନ, କାଳୀ, ଦୁର୍ଗା, ଦଶଅବତାର, ଗଣେଣ, ଦଶମହାବିଦ୍ୟା, ଶିବପାର୍ବତୀ ଓ ନବଗ୍ରହ ଆଦି ଦେବାଦେବୀଙ୍କ ଚିତ୍ରପ୍ରତିମା ପୂଜା ପାଉଛନ୍ତି। ପ୍ରତିଦିନ ଭୋରରୁ ମା’ଙ୍କ ଦ୍ବାରଫିଟା ଯାଇ ସ୍ନାନ, ବେଶ କରାଯିବା ସହିତ ସକାଳ ଓ ସନ୍ଧ୍ୟାରେ ବାଳଭୋଗ କରାଯାଏ। ଏହି ଦେବୀ ବନଦୁର୍ଗା ମନ୍ତ୍ରରେ ପୂଜା ପାଇଥାନ୍ତି। ପବିତ୍ର ନୃସିଂହ ଚତୁର୍ଦ୍ଦଶୀ ଦିନ ମା’ଙ୍କ ଜଳାଶାୟୀ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଥାଏ। ପ୍ରଚଣ୍ଡ ରୌଦ୍ରତାପରୁ ମା’ଙ୍କୁ ଶୀତଳ ରଖିବା ପାଇଁ ପ୍ରତିବର୍ଷ ଏହି ତିଥିରେ ମା’ଙ୍କ ଜଳାଭିଷେକ ହୋଇଥାଏ।