ଦିନ ଗଡ଼ିବା ସହ ବଦଳି ଯାଉଛି କି ଗଙ୍ଗାଧର ମେହେର ଉଠା ଜଳ ସେଚନ ପ୍ରକଳ୍ପ ? ବରଗଡ଼ ପଦ୍ମପୁର ବାସିନ୍ଦାଙ୍କୁ କେବେ ମିଳିବ ପାଣି ?

131

କନକ ବ୍ୟୁରୋ :  ଗୋଟିଏ ପ୍ରକଳ୍ପକୁ ଦୁଇ ଥର କ୍ୟାବିନେଟ ମଞ୍ଜୁରୀ । ବରଗଡ ଜିଲ୍ଲାର ବହୁ ଚର୍ଚିତ ଗଙ୍ଗାଧର ମେହେର ଉଠାଜଳସେଚନ ପ୍ରକଳ୍ପକୁ ଗତକାଲି କ୍ୟାବିନେଟରେ ମଞ୍ଜୁରୀ ମିଳିବା ପରେ ଏହି ପ୍ରସଙ୍ଗ ଉଠିଛି । ଗତ ସରକାର ସମୟରେ ଏହି ପ୍ରକଳ୍ପ ନେଇ ଘୋଷଣା ସରିଥିବା ବେଳେ ଏହାକୁ ପରିବର୍ତନ କରି ପୁଣି ଥରେ ଚଳିତ ସରକାର ମଞ୍ଜୁର କରିଛନ୍ତି ।

ଭାଷଣ ଚାଲିଛି ସମୟ ଗଡୁଛି । କିନ୍ତୁ ପ୍ରକଳ୍ପର ଦେଖା ନାହିଁ ? ଆମେ କହୁଛୁ ବରଗଡ ଜିଲ୍ଲାରେ ହେବାକୁ ଥିବା ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପର କଥା । ୨୦୧୭ ଅକ୍ଟୋବର ମାସରେ ଏନେଇ ଘୋଷଣା କରିଥିଲେ ରାଜ୍ୟ ସରକାର । କ୍ୟାବିନେଟ ନିଷ୍ପତି ନେଇ ସୂଚନା ଦେଇଥିଲେ ତକ୍ରାଳୀନ ମନ୍ତ୍ରୀ ଦାମୋଦର ରାଉତ ।

୨୦୧୭ର ଏହି ଘୋଷଣା ଅନୁସାରେ ବିଜେପୁର, ବରପାଲି ଓ ସୋହେଲା ଅଂଚଳର ୩୨ ହଜାର ହେକ୍ଟର ଚାଷକୁ ପାଇପ୍ ଯୋଗେ ଜଳସେଚନ ସୁବିଧାଯୋଗାଇ ଦିଆଯିବ । ଫଳରେ ସ୍ଥାନୀୟ ଅଂଚଳରେ ଚାଷୀଙ୍କ ଉନ୍ନତି ହେବ । ଏହି ପ୍ରକଳ୍ପ ପାଇଁ ସେହି ସମୟରେ ୧୨୪୬ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିଲା । କିନ୍ତୁ ୨୦୨୦ ସୁ୍ଦ୍ଧା ଏହି ପ୍ରକଳ୍ପ ଆଗକୁ ବଢି ପାରି ନଥିବା ବେଳେ ଏଥିରେ ସଂଶୋଧନ କରି ବୁଧବାର କ୍ୟାବିନେଟ ଏହି ପ୍ରକଳ୍ପ ଉପରେ ପୁଣି ଲଗାଇଛି ମୋହର । ସଂଶୋଧନ ପରେ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ ପାଇଁ ବ୍ୟୟ ଅଟକଳକୁ କମାଇ ୧୧ଶହ ୩୮କୋଟି ଟଙ୍କା କରାଯାଇଛି । ଅନ୍ୟପଟେ ବରଗଡ ଜିଲ୍ଲାର ବିଜେପୁର,ବରପାଲି ଓ ସୋହେଲା ସହ ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରୀପାଲି ବ୍ଲକି ୫ଟି ଗାଁ ବି ସାମିଲ ହୋଇଛି ଏବଂ ପ୍ରକଳ୍ପ ଦ୍ୱାରା ୧୨୪ଟି ଗାଁର ୨୫ହଜାର ୬ଶହ ହେକ୍ଟର ଜମିକୁ ଜଳସେଚନ ହେବ ବୋଲି ଘୋଷଣା କରାଯାଇଛି ।

ଆସନ୍ତା ୩୦ ମାସ ମଧ୍ୟରେ ପ୍ରକଳ୍ପ ଶେଷ ହେବ ବୋଲି ସରକାର ଘୋଷଣା କରିଥିବା ବେଳେ ପ୍ରକଳ୍ପ ନେଇ ଆରମ୍ଭ ହୋଇଯାଇଛି ରାଜନୀତିର ବୟାନବାଜୀ । ବିରୋଧୀ ନିର୍ବାଚନ ଆସିଲେ ସରକାରଙ୍କ ପ୍ରକଳ୍ପ ଘୋଷଣା ମନେପଡେ ବୋଲି କଟାକ୍ଷ କରିଥିବା ବେଳେ ଜବାବ ରଖିଛି ବିଜେଡି । ଗୋଟିଏ ପ୍ରକଳ୍ପ ଏକାଧିକ ଥର ଘୋଷଣା ହୋଇଥିବା ବେଳେ ଅଣସେଚିତ ଅଂଚଳର ଚାଷୀଙ୍କ ଆଖି ଦେଖାଇଥିବା ସ୍ୱପ୍ନ କେବେ ବାସ୍ତବରେ ପୂରଣ ହେବ? ଗଙ୍ଗାଧର ମେହେର ଉଠାଜଳସେଚନ ପ୍ରକଳ୍ପ ସହଯୋଡା ହୋଇ ରହିଛି ପଶ୍ଚିମ ଓଡିଶାର ଚାଷୀଙ୍କ ବହୁ ଆଶା ଓ ଆକାଂକ୍ଷା ।