ବାତ୍ୟା ‘ଅମ୍ଫାନ’ର ଆଖି ଖୋଲିଲା: ଆସନ୍ତା ୧୨ ଘଂଟା ମଧ୍ୟରେ ନେଇପାରେ ମହାବାତ୍ୟାର ରୂପ; ଉତ୍ତର ଉପକୂଳ ଓଡ଼ିଶାକୁ ଅଧିକ ପ୍ରଭାବ, ପ୍ରବଳ ବର୍ଷା ସହ ବଢିବ ପବନର ବେଗ

ଭାରତୀୟ ପାଣିପାଗ ବିଭାଗର ସତର୍କ ସୂଚନା

860

କନକ ବ୍ୟୁରୋ: ସମୁଦ୍ର ଭିତରେ ମହାବାତ୍ୟାର ରୂପ ନେଉଛି ସାମୁଦ୍ରିକ ଝଡ ଅମ୍ଫାନ । ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗର ନିର୍ଦ୍ଦେଶକ ମୃତ୍ୟୁଂଜୟ ମହାପାତ୍ର ଏନେଇ କନକନ୍ୟୁଜକୁ ସୂଚନା ଦେଇଛନ୍ତି । ଆଜି ସଂଧ୍ୟା ସାଢେ ୫ଟାରୁ ଆସନ୍ତାକାଲି ସକାଳ ସାଢେ ୫ଟା ସମୟ ମଧ୍ୟରେ ସମୁଦ୍ର ମଧ୍ୟରେ ଅମ୍ଫାନ୍ ଅଧିକ ଶକ୍ତିଶାଳୀ ହୋଇ ଆଗେଇବ । ପାରାଦୀପ ଠାରୁ ବର୍ତମାନ ୭୯୦ କିମିରେ ଦୂରରେ ରହିଛି ବାତ୍ୟା । ସ୍ଥଳ ଭାଗକୁ ଛୁଇଁଲା ବେଳକୁ ନେବ ଏକ୍ସଟ୍ରିମଲି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ । ପୂର୍ବାନୁମାନ ଅନୁସାରେ ଆସନ୍ତା ୬ ଘଂଟା ମଧ୍ୟରେ ଏହା ଏକ୍ସଟ୍ରିମଲି ସିିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେବ । ସମୁଦ୍ର ଭିତରେ ଏହା ଘଂଟାକୁ ୧୩ କିଲୋମିଟର ବେଗରେ ଉତର, ଉତର- ପୂର୍ବ ମୁହାଁ ହୋଇ ମାଡି ଆସୁଛି ।

ପାରାଦୀପ ଠାରୁ ଏବେ ଦକ୍ଷିଣରେ ୭୯୦ କିଲୋମିଟର ଦୂରରେ ରହିଛି ଅମ୍ଫାନ । ବାଂଲାଦେଶର ଖେପୁପରା ଠାରୁ ୧ ହଜାର ୬୦ କିମି ଦୂରରେ ରହିଛି । ବର୍ତମାନ ଅମ୍ଫାନର ଆଖି ଧୀରେ ଧୀରେ ସ୍ପଷ୍ଟ ହେଲାଣି । ତାହାର ଆଖି ଏବେ ଦକ୍ଷିଣ କେନ୍ଦ୍ରୀୟ ବଙ୍ଗୋପସାଗର ମଧ୍ୟରେ ରହିଛି । ତେବେ ଶେଷ ସୂଚନା ଅନୁସାରେ ସାମୁଦ୍ରିକ ବାତ୍ୟା ଅମ୍ଫାନ ଏବେ ରିକର୍ଭ କରିସାରିଛି । ତେଣୁ ଏହା ପରେ ଆସନ୍ତା ୬ ଘଂଟାରେ ଅତି ଭୀଷଣ ସାମୁଦ୍ରିକ ବାତ୍ୟାର ରୂପ ନେବ । ପୂର୍ବାନୁମାନ ଅନୁଯାୟୀ ଏହା ଆସନ୍ତା ୧୨ ଘଂଟା ପର୍ଯ୍ୟନ୍ତ ଉତର ଦିଗରେ ଗତି କରିବ । ତାପରେ ଉତର-ଉତର ପୂର୍ବକୁ ଦିଗ ବଦଳାଇ ଉତର ପଶ୍ଚିମ ବଙ୍ଗୋପସାଗର ଉପରେ ଅତି ତୀବ୍ର ବେଗରେ ଗତି କରିବ ।

୨୦ ତାରିଖ ଅପରାହ୍ନରୁ ସଂଧ୍ୟା ମଧ୍ୟରେ ପଶ୍ଚିମବଙ୍ଗର ଦୀଘା ଉପକୂଳ ଓ ବାଂଲାଦେଶର ହାତିଆ ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ କରିବ ବା ସ୍ଥଳଭାଗ ଛୁଇଁବ । ଏହି ଭୀଷଣ ସାମୁଦ୍ରିକ ବାତ୍ୟା ସ୍ଥଳଭାଗ ଛୁଇଁଲା ବେଳକୁ ମଧ୍ୟ ଶକ୍ତିଶାଳୀ ରହିଥିବ । ଯାହା କି ଚିନ୍ତାର କାରଣ ହୋଇଛି । କାରଣ ସ୍ଥଳ ଭାଗ ଛୁଇଁଲା ବେଳକୁ ଏହି ସମୟରେ ପବନର ବେଗ ଘଂଟାପ୍ରତି ୧୪୫ରୁ ୧୫୫ କିମି ରହିବ । ସର୍ବାଧିକ ୧୭୦ କିଲୋମିଟର ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସ୍ଥଳ ଭାଗ ଛୁଇଁଲା ବେଳକୁ ଓଡିଶାର ଗଂଜାମ, ପୁରୀ, ଖୋର୍ଧା ଉପକୂଳରେ ପବନର ବେଗ ପ୍ରାୟ ୭୫ କିମି ରହିଥିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ।