ଅପହରଣର ପ୍ରାୟ ୯ ମାସ ପରେ ମାଆ କୋଳକୁ ଫେରିଲା ୧୮ ମାସର ଶିଶୁ କନ୍ୟା : ଅଭିଯୁକ୍ତ ଦମ୍ପତିକୁ ଗିରଫ କରି କୋର୍ଟ ଚାଲଣ କଲା ପୁଲିସ; ଗତବର୍ଷ ଡିସେମ୍ବର ମାସରେ ଜୟପୁର ବସଷ୍ଟାଣ୍ଡରୁ ଶିଶୁ କନ୍ୟାକୁ ଅପହରଣ କରିଥିଲେ ଅଭିଯୁକ୍ତ

278

କନକ ବ୍ୟୁରୋ : ଅପହରଣର ପ୍ରାୟ ୯ ମାସ ପରେ ମାଆ କୋଳକୁ ଫେରିଛି ୧୮ ମାସର ଶିଶୁ କନ୍ୟା । ଅଭିଯୁକ୍ତ ଦମ୍ପତିକୁ ଗିରଫ କରି କୋର୍ଟ ଚାଲଣ କରିଛି ପୁଲିସ । ଜୟପୁର ପୁଲିସର ଉଦ୍ୟମ ଯୋଗୁଁ ଝିଅକୁ ଫେରି ପାଇବା ଆଶା ଛାଡି ଦେଇଥିବା ମାଆ ଆଖିରୁ ଖୁସିରେ ଝରି ପଡିଛି ଲୁହ । ଶିଶୁକନ୍ୟାକୁ ହରାଇ ଦୁଃଖରେ ଭାଙ୍ଗି ପଡ଼ିଥିବା ଏହି ଅସହାୟ ମହିଳା ଜଣଙ୍କ ହେଉଛନ୍ତି ଗଜପତି ଜିଲ୍ଲା ମହାଗଣ୍ଡା ଅଂଚଳର ଦୁଃଖୀ ମଲ୍ଲିକ । ସ୍ୱାମୀଙ୍କ ନିର୍ଯାତନା ପାଇବା ପରେ ନିଜର ଦେଢ଼ ବର୍ଷର ଝିଅକୁ ଧରି ଭିକ୍ଷା ମାଗି ଚଳୁଥିଲେ ଦୁଃଖୀ ।

ଗତବର୍ଷ ଡିସେମ୍ବର ୨୮ ତାରିଖରେ ଜୟପୁର ବସଷ୍ଟାଣ୍ଡ ନିକଟରେ କାଳିମେଳାର ଜଣେ ଦମ୍ପତି କୌଶଳ କ୍ରମେ ପ୍ରଥମେ ମାଆ-ଝିଅଙ୍କୁ ଅଲଗା କରିବା ପରେ ଝିଅକୁ ଅପହରଣ କରି ନେଇଥିଲେ । ଝିଅକୁ ହରାଇ ପାଗଳ ପ୍ରାୟ ହୋଇ ଯାଇଥିଲେ ଦୁଃଖୀ ମଲ୍ଲିକ । ସ୍ଥାନୀୟ କିଛି ଲୋକଙ୍କ ସହାୟତାରେ ସେ ଜୟପୁର ଟାଉନ ଥାନାରେ ଏ ନେଇ ଏତଲା ଦେଇଥିଲେ । ଏହାପରେ ପୁଲିସ ତନାଘନା ଆରମ୍ଭ କରିଥିଲା । ଶେଷରେ ମୋବାଇଲ ଟ୍ରାକିଂ କରି ଆନ୍ଧ୍ରପ୍ରଦେଶର ଚିନ୍ତୁରରୁ ଝିଅକୁ ଉଦ୍ଧାର କରିବା ସହ ଅଭିଯୁକ୍ତ ବଦ୍ରୁ ନାୟକ ଓ ତାଙ୍କ ସ୍ତ୍ରୀ ଶିବାନୀ ନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଟାଉନ ଥାନା ପୁଲିସ ।