ମଡେଲଙ୍କ ରହସ୍ୟମୟ ମୃତ୍ୟୁ ମାମଲାରେ କ୍ରିକେଟରଙ୍କ ନାଁ । ତାନିଆ ସିଂ ମୃତ୍ୟୁ ମାମଲାରେ ସନରାଇଜ ହାଇଦ୍ରାବାଦ ଅଭିଶେଷ ଶର୍ମାଙ୍କ ଜେରା ପାଇଁ ମିଳିଲା ସମନ

1,042

କନକ ବ୍ୟୁରୋ : ଗୁଜରାଟର ମଡେଲ ତାନିଆ ସିଂହ ଆତ୍ମହତ୍ୟା ଘଟଣାରେ ଅଡୁଆରେ ଆଇପିଏଲ ଖେଳାଳି ଅଭିଷେକ ଶର୍ମା । ଆଇପିଏଲ ଫ୍ରାଂଚାଇଜ୍ ସନ୍ରାଇଜର୍ସ ହାଇଦ୍ରାବାଦର ଅଲରାଉଣ୍ଡର ଅଭିଷେକ ଶର୍ମାଙ୍କୁ ପଚରା-ଉଚରା ପାଇଁ ନୋଟିସ୍ ଜାରି କରିଛି ସୁରଟ ପୁଲିସ । ତାନିଆଙ୍କ ମୃତ୍ୟୁ ପରେ ତାଙ୍କ ବାପା ଭବାନୀ ସିଂହ ପୁଲିସ ନିକଟରେ ଅଭିଯୋଗ କରିଥିଲେ । ତାନିଆଙ୍କ ଆତ୍ମହତ୍ୟା ପରେ ତାଙ୍କ ମୋବାଇଲକୁ ଜବତ କରିଛି ପୁଲିସ ।

– ତାନିଆଙ୍କ ଆତ୍ମହତ୍ୟା ଘଟଣାର ପ୍ରାରମ୍ଭିକ ତଦନ୍ତରୁ ତଥ୍ୟ ସାମ୍ନାକୁ ଆସିଛି
– ମୃତ୍ୟୁ ପୂର୍ବରୁ ସେ ଶେଷଥର ଅଭିଷେକଙ୍କୁ ମ୍ୟାସେଜ କରିଥିଲେ
– ଏହିସବୁ ମ୍ୟାସେଜର କୌଣସି ଉତ୍ତର ଦେଇନଥିଲେ ଅଭିଷେକ
– ତାନିଆଙ୍କ ମୋବାଇଲରୁ ଏହି ସବୁ ତଥ୍ୟ ମିଳିଛି
– ତାନିଆଙ୍କ ଫୋନ୍ରୁ କିଛି ଫଟୋ ମଧ୍ୟ ପାଇଛି ସୁରଟ ପୁଲିସ
– ଅଭିଷେକ-ତାନିଆଙ୍କ ଫଟୋଗ୍ରାଫ୍ ଓ ମ୍ୟାସେଜ ମିଳିଛି
– ପଚରାଉଚରା ପାଇଁ ଅଭିଷେକଙ୍କୁ ସମନ କରିଛି ପୁଲିସ
– ଏପର୍ଯ୍ୟନ୍ତ ଅଭିଷେକଙ୍କ ବିରୋଧରେ କିଛି ପ୍ରମାଣ ମିଳିନାହିଁ
– ତଦନ୍ତ ପରେ ଅଧିକ ତଥ୍ୟ ମିଳିବ

ରବିବାର ରାତିରେ ନିଜ ଘରେ ଆତ୍ମହତ୍ୟା କରିଥିଲେ ମଡେଲ୍ ତାନିଆ ସିଂହ । ରବିବାର ବିଳମ୍ବିତ ରାତିରେ ଘରକୁ ଫେରିଥିଲେ । ଏବଂ ସୋମବାର ସକାଳୁ ପରିବାର ଲୋକ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖି ସ୍ତବ୍ଧ ହୋଇ ଯାଇଥିଲେ । ପ୍ରେମ ପ୍ରସଙ୍ଗକୁ ଆଧାର କରି ପୁଲିସ ତଦନ୍ତ ଆରମ୍ଭ କରିଛି । ତେବେ ତାଙ୍କ ନିକଟରୁ କୌଣସି ସୁସାଇଡ ନୋଟ ଜବତ ହୋଇନାହିଁ । ପୁଲିସ ସୂଚନା ଅନୁସାରେ, ମଡେଲ ତାନିଆ ସିଂହ ଘରର ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଥିବା ନେଇ ତାଙ୍କ ବାପା ଭବାନୀ ସିଂହ ସୁରଟର ଭେସୁ ପୁଲିସ ଷ୍ଟେସନରେ ୧୯ତାରିଖ ଦିନ ଅଭିଯୋଗ କରିଥିଲେ । କ’ଣ ପାଇଁ ତାନିଆ ଆତ୍ମହତ୍ୟା କରିଛନ୍ତି ସେ ନେଇ ପରିବାର ଲୋକ କିଛି ସ୍ପଷ୍ଟ କରିପାରିନାହାନ୍ତି । ତୁରନ୍ତ ଭେସୁ ପୁଲିସ ଷ୍ଟେସନ ଅଧିକାରୀ ତାଙ୍କ ଘରକୁ ଯାଇ ତଦନ୍ତ ଆରମ୍ଭ କରିବା ସହ ଅପମୃତ୍ୟ ମାମଲା ରୁଜୁ କରିଥିଲେ । ତାନିଆଙ୍କ ମୋବାଇଲକୁ ଜବତ କରାଯାଇଛି । ମୋବାଇଲରୁ ସିଡିଆର ଓ ଆଇପିଡିଆର ବାହାର କରାଯାଉଛି । ତାନିଆଙ୍କ ବାପା, ମାଆ, ଭାଇ ଓ ସାଙ୍ଗମାନଙ୍କର ବୟାନ ରେକର୍ଡ କରାଯାଉଛି । ତାନିଆଙ୍କ ମୋବାଇଲରୁୁ ଓ ସୋସିଆଲ ମିଡିଆ ଆକାଉଂଟରେ ଅଭିଷେକଙ୍କ ସହ ତାଙ୍କ ଫଟୋ ମିଳିଛି । ପ୍ରାରମ୍ଭିକ ତଦନ୍ତ ଅନୁସାରେ ଉଭୟଙ୍କ ମଧ୍ୟରେ ସର୍ମ୍ପକ ଥିବା ଜଣାପଡ଼ୁଛି । ତାନିଆଙ୍କ ଫୋନରୁ ଅଭିଷେକଙ୍କୁ ମ୍ୟାସେଜ କରାଯାଇଛି କିନ୍ତ ଏହାର କିଛି ଉତ୍ତର ଦେଇନାହାନ୍ତି ଅଭିଷେକ । ବୋଧହୁଏ ଅଭିଷେକଙ୍କ ସହ ପ୍ରେମ ସମ୍ପର୍କରେ ଥିଲେ ତାନିଆ । ଏବଂ ଗତ ୬ମାସ ହେଲା ତାନିଆଙ୍କ ସହ କୌଣସି ଯୋଗାଯୋଗ ରଖିନଥିଲେ ଅଭିଷେକ । ଏପରିିକି ତାଙ୍କ ଫୋନ୍ ନମ୍ବରକୁ ବ୍ଲକ କରିବା ସହ ତାଙ୍କ ମ୍ୟାସେଜର କୌଣସି ଉତ୍ତର ଦେଇନଥିଲେ । ଆଇପିଡିଆର ଆସିବା ପରେ ତଦନ୍ତ ପ୍ରକ୍ରୀୟା ଆଗକୁ ବଢ଼ିବ । ଏବଂ ଆଉ କାହାକୁ ପଚରାଉଚରା ପାଇଁ ଡକାଯିବ ସେ ନେଇ ନିଷ୍ପତି ହେବ ।

ତାନିଆ ଜଣେ ମଡେଲ ଥିବା ସହ ଇଭେଂଟ ମ୍ୟାନେଜମେଂଟ କାମ ବି କରୁଥିଲେ । ତାଙ୍କ କଲ୍ ଡିଟେଲ ରେକର୍ଡରୁ ଜଣାପଡିଛି ବହୁ ବଡ ବଡ ଲୋକଙ୍କ ସହ ସେ ସମ୍ପର୍କରେ ରହୁଥିଲେ । ପୁଲିସ ସଭିଁଙ୍କୁ ତଦନ୍ତ ପରିସର ଭୁକ୍ତ କରିବ ବୋଲି ସ୍ପଷ୍ଟ କରିଛି । ତାନିଆଙ୍କ ଆତ୍ମହତ୍ୟା ଘଟଣା ପଛରେ ଅଭିଷେକ ଶର୍ମାଙ୍କ କୌଣସି ଭୂମିକା ରହିଛି କି ନାହିଁ ସେନେଇ ଅଧିକ ପଚରା ଉଚୁରା କରିବାକୁ ତାଙ୍କୁ ନୋଟିସ୍ କରିଛି ପୋଲିସ ।

ତାନିଆଙ୍କ ଆତ୍ମହତ୍ୟା ମାମଲାରେ ଅଭିଷେକଙ୍କ କଣ ସମ୍ପର୍କ ରହିଛି ନା ନାହିଁ ସେ ନେଇ ଖୋଳତାଡ଼ କରିବ ପୁଲିସ । ତେଣୁ ତାଙ୍କୁ ସମନ ଜାରି କରାଯାଇଛି ।