ନିଜ ସ୍ୱାମୀଙ୍କୁ ସାହାଯ୍ୟ କରିବା ପରି ଅନ୍ୟ ଅସହାୟ ରୋଗୀଙ୍କୁ ସହାୟତା ଦେବାକୁ ହାତଯୋଡି ଗୁହାରୀ କଲେ ଅଭିଷେକଙ୍କ ପତ୍ନୀ ମୌସୁମୀ ।

331

କନକ ବ୍ୟୁରୋ: ବଦଳିଛି ସ୍ୱର, ବଦଳିଛି ଶବ୍ଦ । ସେଦିନ ଯେଉଁହାତ ସ୍ୱାମୀଙ୍କୁ ସାହାଯ୍ୟ ପାଇଁ ଗୁହାରୀ କରୁଥିଲା । ଆଜି ସେହି ହାତ ଅନ୍ୟ ଅସହାୟ ରୋଗୀଙ୍କ ପାଇଁ ବି ଗୁହାରୀ କରିଛି । ତାଙ୍କ ସ୍ୱାମୀଙ୍କ ପାଇଁ ଲୋକେ ଯେମିତି ସାହାଯ୍ୟର ହାତ ବଢାଇ ଚିକିତ୍ସା ପାଇଁ କୋଲକାତା ପଠାଇଲେ, ସେମିତି ଅନେକ ବେସାହାରା ପରିବାର, ଅସହାୟ ରୋଗୀ ଅର୍ଥ ବିନା ଚିକିତ୍ସା ପାଇଁ ଆଉଟୁ ପାଉଟୁ ହେଉଥିବେ ତେଣୁ ତାଙ୍କ ସ୍ୱାମୀଙ୍କ ଭଳି ସେମାନଙ୍କୁ ବି ସାହାଯ୍ୟ କରିବାକୁ କହି ବଡ ହୃଦୟର ପରିଚୟ ଦେଇଛନ୍ତି ଅଭିଷେକଙ୍କ ପତ୍ନୀ ମୌସୁମୀ ମହାନ୍ତି…

ଲୋକଙ୍କ ବିପୁଳ ସହାୟତା ପରେ ମୃତ୍ୟୁ ସହ ଲଢେଇ କରୁଥିବା ଅଭିଷେକ ଏୟାର ଆମ୍ବୁଲାନ୍ସରେ କୋଲକାତା ସ୍ଥାନାନ୍ତର ହୋଇଛନ୍ତି ଆଉ ସେଠାରେ ତାଙ୍କ ଇକମୋ ଚିକିତ୍ସା ଚାଲିଛି । ତାଙ୍କ ସ୍ୱାମୀ ଭଲ ହୋଇ ଶୀଘ୍ର ଫେରିଆସନ୍ତୁ ବୋଲି ପ୍ରାର୍ଥନା କରିବାକୁ ସେ ସମସ୍ତଙ୍କୁ ଅନୁରୋଧ କରିବା ସହ ସାହାଯ୍ୟ କରିଥିବା ପ୍ରତିଟି ଲୋକଙ୍କୁ, ପ୍ରତି ବ୍ୟକ୍ତି ବିଶେଷଙ୍କୁ ହୃଦୟରୁ ଧନ୍ୟବାଦ ଦେଇଛନ୍ତି ।

ତେବେ କରୋନାରେ ଆକ୍ରାନ୍ତ ହେବା ପରେ ଗୁରୁତର ହୋଇଥିଲେ ଭଦ୍ରକର ଯୁବ ଇଞ୍ଜିନିୟର ଅଭିଷେକ ମହାପାତ୍ର । ଫୁସଫୁସ ପ୍ରଭାବିତ ହୋଇଥିବାରୁ ତାଙ୍କୁ ଗତ ବୁଧବାର ଦିନ ଇକମୋ ଚିକିତ୍ସା ପାଇଁ କୋଲକାତା ସ୍ଥାନାନ୍ତର କରାଯାଇଥିଲା । ଲୋକଙ୍କ ଗୋଟି ଗୋଟି ସାହାଯ୍ୟ ପରେ ତାଙ୍କ ଚିକିତ୍ସା ପାଇଁ ସାହସ ବାନ୍ଧିଥିଲେ ପରିବାର ଲୋକେ । ତେବେ କିଛି ଦିନ ଅବଜରଭେସନରେ ରହିବେ ଅଭିଷେକ । ଏହାପରେ ଡାକ୍ତରୀଦଳ ନିଷ୍ପତି ନେବେ । ସେପଟେ ଏଯାଏଁ ତାଙ୍କୁ ୧ କୋଟି ଟଙ୍କାର ସହାୟତା ମିଳିଥିବା ସୂଚନା ମିଳିଛି । ଆଉ ଚିକିତ୍ସା ପାଇଁ ଆବଶ୍ୟକ ଟଙ୍କା ଯୋଗାଡ ହୋଇଥିବାରୁ ଏବେ ଅନ୍ୟ ଅସହାୟ ରୋଗୀଙ୍କୁ ସାହାଯ୍ୟ କରିବାକୁ ଅଭିଷେକଙ୍କ ପତ୍ନୀ ନିବେଦନ କରିଛନ୍ତି ।
ସେ ଅମ୍ରିତ ହୁଅନ୍ତୁ କି ଅଭିଷେକ । ମୃତ୍ୟୁ ମୁହଁରୁ ଜୀବନ ଛଡାଇ ଆଣିବାକୁ ସଙ୍କଟବେଳେ ଲୋକେ ଦେବଦୂତ ପରି ସାହା ହୋଇଛନ୍ତି । ଦେଖନ୍ତୁ ଏ ଦୃଶ୍ୟକୁ କେମିତି ସ୍ୱାମୀଙ୍କ ଜୀବନ ବଞ୍ଚାଇବାକୁ ସେଦିନ ହାତଯୋଡି ନେହୁରା ହେଉଥିଲେ ଜଣେ ଅସହାୟ ସ୍ୱାମୀଙ୍କ ସ୍ତ୍ରୀ । ବିବାହର ମାସେ ଭିତରେ ସ୍ୱାମୀଙ୍କ ଏଭଳି ଅବସ୍ଥା ଦେଖି ଭାଙ୍ଗିପଡିଥିଲେ ପତ୍ନୀ, ଭାଙ୍ଗିପଡିଥିଲା ପୂରା ପରିବାର । ପୁଅ ଜୀବନ ପାଇଁ ଯୁଦ୍ଧ କରୁଥିବା ବେଳେ ବାପାମାଆ ହାତଯୋଡି ରାଜ୍ୟବାସୀଙ୍କୁ ସାହାଯ୍ୟ ପାଇଁ ନେହୁରା ହୋଇଥିଲେ ।

ବାସ୍ ତାପରେ ଅଭିଷେକଙ୍କ ପାଇଁ ଆରମ୍ଭ ହୋଇଥିଲା ଅଭିଯାନ । ଅର୍ଥ ଅଭାବରୁ କୋଲକାତାକୁ ସ୍ଥାନାନ୍ତର ହେଇପାରୁନଥିବାରୁ ମିଲାପ ମାଧ୍ୟମରେ ଆରମ୍ଭ ହୋଇଥିଲା ଫଣ୍ଡ ରେଜିଂ । ଯିଏ ଯାହା ପାରିଲା ନିଜ ସକ୍ଷମ ଅନୁସାରେ ସାହାଯ୍ୟ କଲା । ସେତିବ୍ରିଟିଠାରୁ ଆରମ୍ଭ କରି ସାଧାରଣ ଲୋକ ଯାଏଁ ଅଭିଷେକଙ୍କ ଜୀବନ ବଞ୍ଚାଇବାକୁ କିଏ ୫୦୦ ଦେଲା ତ କିଏ ଲକ୍ଷ ଲକ୍ଷ ଦେଲା । ଆଉ ଗୋଟିଏ ଗୋଟିଏ ଟଙ୍କା ବିନ୍ଦୁ ବିନ୍ଦୁ ଜଳରୁ ସିନ୍ଧୁ ପାଲଟିବା ପରି ଅଭିଷେକଙ୍କ ପାଇଁ ବନ୍ଧା ହେଲା ସାହାଯ୍ୟର ସେତୁ । ବାସ୍ ତା ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରୁ ବିମାନବନ୍ଦର ଅଭିମୁଖେ ଗଡିଲା ଆଶାର ଆମ୍ବୁଲାନ୍ସ । ଆଉ ଶେଷରେ ସମସ୍ତଙ୍କ ସହଯୋଗ ପରେ କୋଲକାତାକୁ ଏୟାର ଲିଫ ହେଲେ ଅଭିଷେକ । ନିଜ ସ୍ୱାମୀଙ୍କ ପାଇଁ ହାତଖୋଲା ଦାନ କରିଥିବା ଜଣେ ଜଣେ ଅଦୃଶ୍ୟ ଭଗବାନକୁ ହୃଦୟରୁ ଧନ୍ୟବାଦ ଦେଇଛନ୍ତି ତାଙ୍କ ସ୍ତ୍ରୀ ମୌସୁମୀ… ଆସନ୍ତୁ ଅମ୍ରିତ, ଅଭିଷେକଙ୍କ ପରି ଅନେକ ଅସହାୟ ଲୋକଙ୍କୁ ଆମ ସକ୍ଷମ ଅନୁସାରେ ଏ ଅସମୟରେ ସାହାଯ୍ୟ କରିବା…