ଲଢେଇ କରି କରି ହାରିଗଲେ ଅଭିଷେକ, ଜିତିଗଲା ମୃତ୍ୟୁ

965

କନକ ବ୍ୟୁରୋ :  ଜୀବନ ଯୁଦ୍ଧରେ ହାରିଗଲେ ଅଭିଷେକ । ଦୀର୍ଘ ଦିନର ଶତଚେଷ୍ଟା, ଜନସାଧାରଣଙ୍କ ସାହାଯ୍ୟ…ସବୁ ସତ୍ତେ୍ୱ ସବୁ ଆଜି ହାର୍ ମାନିଛି । ଗତକାଲି ରାତି ୧୦ଟା ୪୫ ବେଳକୁ ତାଙ୍କର ମୃତ୍ୟୁ ହୋଇଛି । କୋଭିଡରେ ଆକ୍ରାନ୍ତ ହେବା ପରେ ଗୁରୁତର ହୋଇପଡିଥିଲେ ଅଭିଷେକ । ଏବଂ ଇକମୋ ଚିକିତ୍ସା ପାଇଁ ତାଙ୍କୁ ଏୟାରଲିଫ୍ଟ କରାଯାଇ କୋଲକାତା ନିଆଯାଇଥିଲା । କୋଭିଡରେ ଆକ୍ରାନ୍ତ ହେବା ପରେ ଅଭିଷେକଙ୍କ ଫୁସଫୁସ କିଛି ମାତ୍ରାରେ ନଷ୍ଟ ହୋଇଯାଇଥିଲା । ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ୨୨ଦିନ ଚିକିତ୍ସିତ ହେବା ପରେ ତାଙ୍କୁ କୋଲକାତା ନିଆଯାଇଥିଲା । ଗତକାଲି ରାତି ୧୦ଟା ୪୫ ବେଳକୁ ଅଭିଷେକଙ୍କର ମୃତ୍ୟୁ ହୋଇଥିବା ତାଙ୍କ ପରିବାର ଲୋକେ ସୂଚନା ଦେଇଛନ୍ତି ।

ଭଦ୍ରକ ଜିଲ୍ଲାର ବସୁଦେବପୁରର ଅଭିଷେକ ମହାପାତ୍ର । ବିବାହ ହୋଇ ନୂଆ ଜୀବନ ଆରମ୍ଭ କରିବାର ସ୍ୱପ୍ନ ଦେଖୁଥିଲେ ଅଭିଷେକ । ବିବାହର ମାତ୍ର ଆଠ ଦିନ ପରେ ସେ ଜାଣିବାକୁ ପାଇଲେ କି ସେ କରୋନା ସଂକ୍ରମିତ । ତେବେ ସେ ଏହା ପରେ ଭୁବନେଶ୍ୱରରେ ଚିକିତ୍ସିତ ହେଉଥିଲେ । କିନ୍ତୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ଏକମୋ ଚିକିତ୍ସାର ନିହାତି ଆବଶ୍ୟକ ପଡିଥିଲା । ଡାକ୍ତରମାନେ ମଧ୍ୟ ତାଙ୍କୁ କୋଲକତା ନେବା ପାଇଁ ପରିବାର ଲୋକଙ୍କୁ ଜଣାଇଥିଲେ । ଚିକିତ୍ସାପାଇଁ ଅର୍ଥରାଶି ଯୋଗାଡ କରିବା ପରିବାର ଲୋକଙ୍କ ପାଇଁ ଜଟିଳ ହୋଇପଡିଥିଲା । ଏହା ପରେ ଓଡିଶାର ଚାରି କୋଟି ଜନତାଙ୍କୁ ଅର୍ଥରାଶି ଦାନ କରିବା ଜଣେ ନବବିବାହିତା ପତ୍ନୀଙ୍କର ଆକୁଳ ନିବେଦନ ଗଣମାଧ୍ୟମରେ ଭାଇରାଲ୍ ହେବାରେ ଲାଗିଥିଲା । ଏଭଳି ହୃଦୟଥରା ଆବେଦନ ଲୋକଙ୍କୁ ବେଶ୍ ଆନ୍ଦୋଳିତ କରିଥିଲା । ତେଣୁ ମାତ୍ର ୨୪ ଘଣ୍ଚାରେ ୪୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ଟଙ୍କା ଯୋଗାଡ ହୋଇପାରିଥିଲା ।

ଏଭଳି ଜଟିଳ ସ୍ଥିତି ବେଳେ ବରଦାନ ସଦୃଶ ପାଲଟିଥିଲା ମିଲାପ ଆପ୍ । କ୍ରାଉଣ୍ଡ ଫଣ୍ଡିଙ୍ଗରେ ତାଙ୍କ ଜୀବନ ବଞ୍ଚାଇବାକୁ ଉଦ୍ୟମ କରାଯାଇଥିଲା । ମିଲାପ ଫଣ୍ଡ ଜରିଆରେ ଶହ ଶହ ଶୁଭେଚ୍ଛୁ ଅଭିଷେକଙ୍କୁ ବଞ୍ଚାଇବା ପାଇଁ ଅଜାଡି ଦେଇଥିଲେ ଅଜସ୍ର ଶୁଭେଚ୍ଛା ଓ ଆର୍ଥିକ ସହଯୋଗ । ସମସ୍ତଙ୍କ ସାହାଯ୍ୟ ଓ ସହଯୋଗରେ ଅଭିଷେକଙ୍କୁ ଏୟାରଲିଫ୍ଟ କରାଯାଇଥିଲା । କୋଲକାତା ନିଆଯାଇ ତାଙ୍କର ଚିକିତ୍ସା ଆରମ୍ଭ ହୋଇଥିଲା । ଚିକିତ୍ସାର କିଛି ଦିନ ପରେ ସେ ସୁସ୍ଥ ଥିବା ମଧ୍ୟ ଖବର ମିଳିଥିଲା । ଗଣମାଧ୍ୟମ ଜରିଆରେ ଅଭିଷେକଙ୍କ ପତ୍ନୀ ମୌସୁମୀଙ୍କ ବାରମ୍ବାର ଅନୁରୋଧ କରି ଅର୍ଥରାଶି ଯୋଗାଡ କରିଥିଲେ । ଡାକ୍ତରୀଦଳ ବି ତାଙ୍କୁ ବଞ୍ଚାଇବାକୁ ପ୍ରାଣପଣେ ଚେଷ୍ଟା କରିଥିଲେ । କିନ୍ତୁ  ଏତେ ସବୁ ବି ବଞ୍ଚିଲାନି ଅଭିଷେକଙ୍କ ଜୀବନ । ଶୁଭାକାଂକ୍ଷୀଙ୍କ ମଧ୍ୟରେ ଶୋକର ଛାୟା ।