୮୭ ଦିନର ସଂଘର୍ଷ ପରେ ହାରିଗଲେ ଅଭିଷେକ । ଇକମୋ ଚିକିତ୍ସା ଚାଲିଥିବା ବେଳେ ଚାଲିଗଲା ଜୀବନ ।

181

କନକ ବ୍ୟୁରୋ: କରୋନା ସହ ସଂଘର୍ଷ କରି ଶେଷରେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି ଅଭିଷେକ ମହାପାତ୍ର । କୋଲକାତାରେ ୮୭ ଦିନ ଇକମୋ ଚିକିତ୍ସା ହେବା ପରେ ଚିରନିଦ୍ରାରେ ଶୋଇଯାଇଛନ୍ତି ଅଭିଷେକ । ଆଉ ତାଙ୍କ ମୃତ୍ୟୁ ଖବର ଭଦ୍ରକ ବାସୁଦେବପୁର ସମେତ ସାରା ଓଡିଶାରେ ଶୋକର ଛାୟା ଖେଳାଇ ଦେଇଛି । କରୋନା ଆକ୍ରାନ୍ତ ହେବା ପରେ ଅଭିଷେକ ମହାପାତ୍ରଙ୍କ ଫୁସଫୁସ କିଛି ମାତ୍ରାରେ ନଷ୍ଟ ହୋଇଯାଇଥିଲା । ଦିନକୁ ଦିନ ସ୍ଥିତି ବିଗିଡିବା ପରେ ଡାକ୍ତରଙ୍କ ପରାମର୍ଶରେ କୋଲକତାକୁ ନିଆଯାଇ ତାଙ୍କର ଇକମୋ ଚିକିତ୍ସା କରାଯାଉଥିଲା । ହେଲେ ଅଲଗା ଥିଲା ନିୟତିର ବିଧାନ ।

ସୂଚନା ଅନୁସାରେ ଭଦ୍ରକ ବାସୁଦେବପୁର ଅଞ୍ଚଳର ଅଭିଷେକ ମହାପାତ୍ର ବିବାହର ୮ ଦିନ ପରେ କରୋନାରେ ଆକ୍ରାନ୍ତ ହୋଇଥିଲେ । ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ କଳିଙ୍ଗ ହସ୍ପିଟାଲରେ ୨୨ଦିନ ଭେଣ୍ଟିଲେଟରରେ ରଖି ଚିକିତ୍ସା କରାଯାଇଥିଲା । ଅଭିଷେକଙ୍କ ଫୁସଫୁସ ସଂକ୍ରମଣ ଯୋଗୁଁ ଇକମୋ ଚିକିତ୍ସା ପାଇଁ ଜୁନ ୯ ତାରିଖରେ କୋଲକାତା ନିଆଯାଇଥ୍ିଲା । ତେବେ ଇକମୋ ଚିକିତ୍ସା ବ୍ୟୟବହୁଳ ହୋଇଥିବାରୁ ଅଭିଷେକଙ୍କ ଜୀବନ ବଞ୍ଚାଇବାକୁ କ୍ରାଉଡ ଫଣ୍ଡିଂ ଜରିଆରେ ସହାୟତା ମାଗିଥିଲେ ପରିବାର ।

ମିଲାପ ଫାଉଣ୍ଡେସନ ଜରିଆରେ ହୋଇଥିବା କ୍ରାଉଡ ଫଣ୍ଡିରେ ଅଭିଷେକଙ୍କ ଜୀବନ ବଞ୍ଚାଇବାକୁ ଆର୍ଥିକ ସହାୟତା ଦେଇଥିଲେ ସାଙ୍ଗ ସାଥୀଙ୍କ ଠାରୁ ଆରମ୍ଭ କରି ଶହ ଶହ ଜନତା । ସେହି ସମୟରେ ଅଭିଷେକଙ୍କ ଆରୋଗ୍ୟ କାମନା କରି ତାଙ୍କ ନବବିବାହିତା ପତ୍ନୀ ସାବିତ୍ରୀ ବ୍ରତ ପାଳନ କରୁଥିବା ଦୃଶ୍ୟ ମଧ୍ୟ ସମସ୍ତଙ୍କୁ ବିଚଳିତ କରିଥିଲା ।