ଟଙ୍କା ନଥିଲେ ସାଧାରଣ ପରିବାର ସହ କଣ ଘଟେ, ସାମ୍ନାକୁ ଆସିଲା ଚିତ୍ର । ଡାକ୍ତର କହୁଛନ୍ତି- ଶୀଘ୍ର ନେଇଯାଅ, ହେଲେ ସଡ଼କପଥରେ ନେବାରେ ରହିଛି ବିପଦ କିନ୍ତୁ ଏୟାର ଆମ୍ବୁଲାନ୍ସରେ ନେବା ପାଇଁ ପରିବାର ପାଖରେ ନାହିଁ ଟଙ୍କା ।

3,213

କନକ ବ୍ୟୁରୋ : ଏକ ସାଧାରଣ ପରିବାର ନିଜ ପୁଅର  ଚିକିତ୍ସା ପାଇଁ ଯେତେବେଳେ ଅସମର୍ଥ ହୋଇପଡେ ସେତେବେଳେ ପରିସ୍ଥିତି କଣ ହୁଏ, ସେମିତି ଏକ ପରିସ୍ଥିତି ଆଜି ସାମ୍ନାକୁ ଆସିଛି । ଭଦ୍ରକ ଜିଲ୍ଲାର ଜଣେ ୨୮ ବର୍ଷିୟ ଯୁବକ ଅଭିଷେକ ମହାପାତ୍ରଙ୍କୁ ତୁରନ୍ତ ଇସିଏମଓ ଚିକିତ୍ସା ଦରକାର । ଏଥିପାଇଁ କୋଲକାତା ନେବାକୁ ପଡିବ । ଅର୍ଥ ଅଭାବରୁ ପରିବାର ଲୋକ ସଡକ ପଥରେ ନେବା ପାଇଁ ଚାହୁଁଥିଲେ, କିନ୍ତୁ ଡାକ୍ତର କହିଲେ, ଏହା ବିପଦପୂର୍ଣ୍ଣ । ଏୟାର ଆମ୍ବୁଲାନ୍ସରେ ନେବା ଦରକାର । କିନ୍ତୁ ଏଥିପାଇଁ ୩୦ରୁ ୪୦ ଲକ୍ଷ ଟଙ୍କା ଦରକାର । ଏପଟେ ଡାକ୍ତର କହୁଛନ୍ତି ଶୀଘ୍ର ନେଇଯାଅ, ସେପଟେ ଟଙ୍କା ନାହିଁ । ଆଉ ସେଇଠି ଅଟକି ଯାଇଛି ଚିକିତ୍ସା ।

ପୁଅ ଯେେତେବେଳେ ଗୁରୁତର ହୋଇ ଜୀବନ ସହ ସଂଗ୍ରାମ କରୁଥିବ ଏବଂ ଚିକିତ୍ସା ପାଇଁ ପରିବାର ପାଖରେ ଅର୍ଥ ନଥିବ, ସେତେବେଳେ ଜଣେ ମାଆ ଆଉ କଣ ବା କରିବ । ଅଭିଷେକଙ୍କ ଫୁସଫୁସ ସଂକ୍ରମିତ ହୋଇଯାଇଛି ଏବଂ ଏବେ ଇସିଏମଓ ମେସିନ ଦ୍ୱାରା ଚିକିତ୍ସା ଦରକାର । ଅର୍ଥାତ ଏହି ମେସିନ କୁତ୍ରିମଭାବେ ଫୁସଫୁସ ଭଳି କାମ କରି ଶରୀରକୁ ଅମ୍ଲଜାନ ଯୋଗାଇବ । କିନ୍ତୁ ଏଥିପାଇଁ ଅର୍ଥ ନାହିଁ । ଆଉ ପୁଅର ଜୀବନ ବଞ୍ଚାଇବା ପାଇଁ ନିଜ ଜୀବନକୁ ବି ସର୍ମପି ଦେବାକୁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବାକୁ ପଛାଉ ନାହିଁ ମାଆ ।

ଏହି ଇସିଏମଓ ମାଧ୍ୟମରେ ଚିକିତ୍ସା ଏକ ସହଜ କଥା ନୁହେଁ । ୫୦ ଲକ୍ଷ ଦରକାର, ୮୦ ଲକ୍ଷ ଦରକାର, କୋଟିଏ ଟଙ୍କା ଦରକାର , ଘରୋଇ ହସପିଟାଲମାନେ ଏମିତି ଟଙ୍କା ନିଅନ୍ତି । ଆଉ ଏକ ସାଧାରଣ ପରିବାର ଏତେ ଟଙ୍କା ବା କୁଆଡୁ ଆଣିବ । ଟଙ୍କା ଅଭାବରୁ ପ୍ରଥମେ ସଡକପଥରେ ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସରେ କୋଲକାତା ନେବା ପାଇଁ ବିଚାର କରାଯାଉଥିଲା । କିନ୍ତୁ ବିଶେଷଜ୍ଞ ଡାକ୍ତରମାନେ ସଡକ ପଥରେ ନେଲେ ବଡ ରିସ୍କ ହୋଇଯିବ ବୋଲି ପରାମର୍ଶ ଦେଇଛନ୍ତି । ତାଙ୍କୁ କେବଳ ଏୟାର ଆମ୍ବୁଲାନ୍ସରେ ହିଁ ନିଆଯାଇପାରିବ । କିନ୍ତୁ ଏୟାର ଆମ୍ବୁଲାନ୍ସରେ ନେବା ଏକ ଖର୍ଚବହୁଳ ବ୍ୟାପାର ।

ବାହାଘରର ୮ ଦିନ ପରେ କରୋନାରେ ଅସୁସ୍ଥ ହୋଇପଡିଲେ ଅଭିଷେକ । ଆଉ ଏବେ ଚିକିତ୍ସା ପାଇଁ ଅର୍ଥର ଆବଶ୍ୟକତା ଏକ ବଡ ବାଧକ ହୋଇ ଠିଆ ହୋଇଛି । ସାଧାରଣ ଲୋକଟିଏର ବି ଜୀବନର ମୂଲ୍ୟ ସେତିକି , ଏ କଥା ଯଦି ସରକାର ବୁଝିପାରନ୍ତେ ତେବେ ଖୁବ ଭଲ ହୁଅନ୍ତା ।