ସାମ୍ନାକୁ ଆସିଲା ଆଉ ଜଣେ ଯୁବକଙ୍କ କରୁଣ କାହାଣୀ । ଭୁବନେଶ୍ୱର ଏକ ହସ୍ପିଟାଲରେ ସଂକଟାପନ୍ନ ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ଭଦ୍ରକର ଅଭିଷେକ ।

ଇସିଏମଓ ଚିକିତ୍ସା ପାଇଁ ଆବଶ୍ୟକ ୧ କୋଟିରୁ ଅଧିକ ଟଙ୍କା । ସହାୟତା ପାଇଁ ସୋସିଆଲ ମିଡିଆରେ ମାଆଙ୍କ ନିବେଦନ

1,117

କନକ ବ୍ୟୁରୋ: ସାମ୍ନାକୁ ଆସିଲା ଆଉ ଜଣେ ଯୁବକଙ୍କ କରୁଣ କାହାଣୀ । ଜୀବନର ନୂଆ ଅଧ୍ୟାୟ ଆରମ୍ଭ କରିବା ଆଗରୁ ଡାକ୍ତରଖାନା ବେଡରେ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ଜଣେ ୨୮ ବର୍ଷିୟ ଯୁବକ । ମେ ୫ ତାରିଖରେ ବିବାହ କରିଥିଲେ ଭଦ୍ରକ ଜିଲ୍ଲାର ଯୁବ ଇଂଜିନିୟର ଅଭିଷେକ ମହାପାତ୍ର । ବିବାହ ପରେ ସେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ଆଉ ୨୨ ଦିନ ହେଲା ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ସଂକଟାପନ୍ନ ଅବସ୍ଥାରେ ତାଙ୍କର ଚିକିତ୍ସା ଜାରି ରହିଛି ।

ଅଭିଷେକଙ୍କ ଅବସ୍ଥା ଦିନକୁ ଦିନ ବିଗୁଡୁଥିବାରୁ ତାଙ୍କର ଇସିଏମଓ ଚିକିତ୍ସା କରାଇବା ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି । ଏଥିପାଇଁ ଅଭିଷେକଙ୍କୁ କୋଲକତାର ଏକ ଘରୋଇ ଡାକ୍ତରଖାନାକୁ ନେବାକୁ ପଡିବ । ଏହି ଚିକିତ୍ସା ପାଇଁ ପ୍ରାୟ ୧ କୋଟିରୁ ଅଧିକ ଟଙ୍କାର ଆବଶ୍ୟକତା ରହିଛି । ଗୋଟିଏ ମଧ୍ୟବିତ୍ତ ପରିବାର ପାଖରେ ଏତେ ଟଙ୍କା ଯୋଗାଡ କରିବା କଷ୍ଟକର ହୋଇ ପଡିଛି । ପୁଅର ଚିକିତ୍ସା ପାଇଁ ସୋସିଆଲ ମିଡିଆରେ ସହାୟତା ମାଗିଛନ୍ତି ଅଭିଷେକଙ୍କ ମାଆ ।

ଅଭିଷେକ ମହାପାତ୍ର ବାପା-ମାଆଙ୍କର ଗୋଟିଏ ବୋଲି ପୁଅ । ଅଭିଷେକ ଇଂଜିନିୟରିଂ ପାଠ ପଢିବା ପରେ ରାଜ୍ୟ ବାହାରେ ଚାକିରି କରୁଥିଲେ । ଏଇ ନିକଟରେ ତାଙ୍କର ବାହାଘର ହୋଇଥିଲା । କରୋନା କଟକଣା ଭିତରେ ଠିକ୍ ମାସେ ତଳେ ଅର୍ଥାତ୍ ଗତ ମାସ ୫ ତାରିଖରେ ଅଭିଷେକଙ୍କ ବିବାହ ଅନୁଷ୍ଠିତ ହୋଇଥିଲା । ବିହାର ଅଳ୍ପ କିଛି ଦିନ ପରେ ଅଭିଷେକଙ୍କୁ କବଳିତ କରି ନେଇଛି ମହାମାରୀ କରୋନା । ଭୂତାଣୁ ସଂକ୍ରମିତ ହୋଇ ଭୁବନେଶ୍ୱରର କଳିଙ୍ଗ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଅଭିଷେକ । ଏବେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ରାଜ୍ୟ ବାହାରକୁ ନେବାକୁ ପଡିବ । ଏଥିପାଇଁ ଅଧିକ ଅର୍ଥର ଆବଶ୍ୟକତା ରହିଛି । ତେଣୁ ସୋସିଆଲ ମିଡିଆରେ କାମ୍ପେନ ଆରମ୍ଭ ହୋଇଛି । ଅଭିଷେକଙ୍କ ପରିବାର ଲୋକ ଓ ସଂପର୍କୀୟ ସୋସିଆଲ ମିଡିଆର ବିଭିନ୍ନ ପ୍ଲାଟଫର୍ମରେ ତାଙ୍କୁ ଆର୍ଥିକ ସହଯୋଗ କରିବା ପାଇଁ ଅପିଲ୍ କରୁଛନ୍ତି ।