ଅଭିଷେକ କରିବେ ରାଲି, ମମତାଙ୍କ ପଦଯାତ୍ରା

121

କନକ ବ୍ୟୁରୋ : ପଶ୍ଚିମବଙ୍ଗ ପରେ ଏବେ ତ୍ରିପୁରା ଦଖଲ ଲକ୍ଷ୍ୟରେ ତୃଣମୂଳ କଂଗ୍ରେସ । ୨୦ ବର୍ଷର ବାମପନ୍ଥୀ ସରକାରକୁ ପରାଜିତ କରି ସେଠାରେ ଏବେ ବିଜେପି କ୍ଷମତା ଦଖଲ କରିଛି । ହେଲେ ପଶ୍ଚିମବଙ୍ଗ ନିର୍ବାଚନରେ ଟିଏମସିର ବିଜୟ ପରେ ଏବେ ତ୍ରିପୁରାରେ କ୍ଷମତା ଦଖଲ କରିବାକୁ ଅଣ୍ଟା ଭିଡିଛନ୍ତି ମମତା ବାନାର୍ଜୀ । ଏହି କ୍ରମରେ ମମତା ବାନାର୍ଜୀଙ୍କ ଭଣଜା ତଥା ଟିଏମସିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଭିଷେକ ବାନାର୍ଜୀ ଚଳିତମାସ ୧୫ ତାରିଖରେ ତ୍ରିପୁରାରେ ଏକ ବିଶାଳ ରାଲି କରିବେ ବୋଲି କୁହାଯାଇଛି । ତ୍ରିପୁରାରେ ଏହା ଟିଏମସିର ସବୁଠାରୁ ବଡ ରାଲି ହେବ ବୋଲି କୁହାଯାଉଥିବା ବେଳେ, ଏହି ରାଲି ଅଗରତାଲାରେ ଅନୁଷ୍ଠିତ ହେବ ବୋଲି କୁହାଯାଇଛି । ଅନ୍ୟପଟେ ପଶ୍ଚିମବଙ୍ଗରେ ୩ ଥର ମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିଥିବା ମମତା ବାନାର୍ଜୀ ତ୍ରିପୁରାରେ ଦଳକୁ ମଜବୁତ କରିବାକୁ ଏକ ପଦଯାତ୍ରା କରିବେ ବୋଲି ସୂଚନା ମିଳିଛି ।

କହିରଖୁ କି, ଗତ ୨ ମାସ ମଧ୍ୟରେ ମମତା ବାନାର୍ଜୀ ୨ ଥର ତ୍ରିପୁରା ଗସ୍ତ କରିଛନ୍ତି । ଅନ୍ୟପଟେ ଏହି ଗସ୍ତ ବେଳେ ଜଣେ ବିଜେପି ବିଧାୟକ ଟିଏମସିରେ ଯୋଗଦେବା ନେଇ ଚର୍ଚ୍ଚା ହେଉଛି । ଅନ୍ୟପଟେ ଚଳିତ ସପ୍ତାହରେ ତ୍ରିପୁରାରେ କ୍ଷମତାରେ ଥିବା ବିଜେପି ଓ ବିରୋଧୀ ସିପିଆଇ(ଏମ) ମଧ୍ୟରେ କିଛି ଗଣ୍ଡଗୋଳ ଦେଖିବାକୁ ମିଳିଛି । ସିପିଆଇ (ଏମ) ନେତାମାନେ ଅଭିଯୋଗ କରିଛନ୍ତି କି ବିଜେପିର କିଛି ଲୋକ ଅଗରତାଲାରେ ଥିବା ସିପିଆଇ (ଏମ) ଅଫିସରେ ନିଆଁ ଲଗାଇ ଦେଇଥିଲେ । ସେପଟେ ପଦଯାତ୍ରା ବେଳେ ମମତା ଏହି ପ୍ରସଙ୍ଗକୁ ଆଗକୁ ଆଣିବେ ବୋଲି କୁହାଯାଇଛି । ଟିଏମସି ନେତା ସୁବଳ ଭୌମିକ କହିଛନ୍ତି କି ତ୍ରିପୁରାରେ ବିଜେପି ଫାଶିବାଦ ସରକାର ଚଳାଇଛି । ଏହା ବିରୋଧରେ ଟିଏମସି ସାଂସଦ ଅଭିଷେକ ବାନାର୍ଜୀ ସେପ୍ଟେମ୍ବର ୧୫ ତାରିଖରେ ଲୋକଙ୍କୁ ବିକଳ୍ପ ସରକାର ଦେବାର ପ୍ରତିଶୃତି ଦେବେ ।