ପୁତୁରାକୁ ଉତରାଧିକାରୀ କରିବା ନେଇ ଜୋର ଧରିଲା ଆକଳନ । ଅଭିଷେକ ବାନାର୍ଜିଙ୍କୁ ତୃଣମୂଳ କଂଗ୍ରେସର ସାଧାରଣ ସମ୍ପାଦକ ନିଯୁକ୍ତ କଲେ ମମତା ବାନାର୍ଜି

393

କନକ ବ୍ୟୁରୋ : ପୁତୁରା ଅଭିଷେକ ବାନାର୍ଜୀଙ୍କୁ ନିଜର ଉତରାଧିକାରୀ କରିପାରନ୍ତି ମମତା ବାନାର୍ଜୀ । ଦୀର୍ଘଦିନ ଧରି ଏହି ଚର୍ଚ୍ଚା ଲାଗି ରହିଥିବାବେଳେ, ଦଳ ଭିତରେ ତାଙ୍କର ପଦୋନ୍ନତି ହୋଇଛି । ପ୍ରଥମଥର ପାଇଁ ପୁତୁରା ତଥା ଡାଇମଣ୍ଡ ହାର୍ବର ସାଂସଦ ଅଭିଷେକ ବାନାର୍ଜୀଙ୍କୁ ତୃଣମୂଳ କଂଗ୍ରେସର ରାଷ୍ଟ୍ରୀୟ ସଂପାଦକ ନିଯୁକ୍ତ କରିଛନ୍ତି ଦଳର ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଦଳର ଭିତରେ ତାଙ୍କର ଏହି ପଦୋନ୍ନତିକୁ ଭିନ୍ନ ଦୃଷ୍ଟିରେ ଦେଖୁଛନ୍ତି ରାଜନୈତିକ ସମୀକ୍ଷକ ।
କୁହାଯାଉଛି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପ୍ରଚାରବେଳେ ବାରମ୍ବାର ବିଜେପି ନେତାଙ୍କ ଟାର୍ଗେଟରେ ଥିଲେ ଅଭିଷେକ । ହେଲେ ବିଜେପିର ସବୁ କଟାକ୍ଷକୁ ଅତି ସତର୍କତାର ସହ ମୁକାବିଲା କରିଛନ୍ତି ମମତାଙ୍କ ପୁତୁରା । ସେହିପରି ଗତ ନିର୍ବାଚନରେ ଏକାଧିକ ଟିଏମସି ନେତା ଦଳର ହାତଛାଡି ବିଜେପିରେ ଯୋଗଦେଇଥିବାରୁ ଟିଏମସିରେ ଅଭିଷେକଙ୍କ ଉତଥାନ ହୋଇଥିବା କୁହାଯାଉଛି । ଏପିରିକି ମମତାଙ୍କ ଏକାନ୍ତ ଅନୁଗତ କୁହାଯାଉଥିବା ଶୁଭେନ୍ଦୁ ଅଧିକାରୀ ମଧ୍ୟ ବିଜେପିରେ ଯୋଗଦେଇ ତାଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିଲେ । ନନ୍ଦିଗ୍ରାମରୁ ମମତାଙ୍କୁ ହରାଇବା ପଛରେ ଶୁଭେନ୍ଦୁ ହିଁ ପ୍ରମୁଖ କାରଣ ପାଲଟିଥିଲେ । ତେଣୁ ଶୁଭେନ୍ଦୁ ବୁରୋଧୀ କ୍ୟାମ୍ପରେ ମିଶିବା ପରେ ଦଳ ଭିତରେ ଅଭିଷେକଙ୍କ ପତିଆରା ବଢିଥିବା ଆକଳନ କରାଯାଉଛି ।