ଆଜି ଏୟାର ଆଂବୁଲାନ୍ସରେ କୋଲକାତା ଯିବେ ଅଭିଷେକ ମହାପାତ୍ର : ଆର୍ଥିକ ସମସ୍ୟା ଯୋଗୁଁ ଗତକାଲି ହୋଇପାରିନଥିଲା ଯିବା ବ୍ୟବସ୍ଥା; କୋଭିଡରେ ଫୁସଫୁସ୍ ହୋଇଛି ସଂକ୍ରମିତ

570

କନକ ବ୍ୟୁରୋ : ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ୨୮ ବର୍ଷିୟ ଅଭିଷେକ ମହାପାତ୍ର । ଗତ ୨୨ ଦିନ ହେଲା ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ସଂକଟାପନ୍ନ ଅବସ୍ଥାରେ ତାଙ୍କର ଚିକିତ୍ସା ଜାରି ରହିଛି । ଅଭିଷେକଙ୍କ ଅବସ୍ଥା ଦିନକୁ ଦିନ ବିଗୁଡୁଥିବାରୁ ତାଙ୍କର ଇସିଏମଓ ଚିକିତ୍ସା କରାଇବା ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି ।

ଆଜି ଏଥିପାଇଁ ଅଭିଷେକଙ୍କୁ ଏୟାର ଆଂବୁଲାନ୍ସ ଯୋଗେ କୋଲକାତା ନିଆଯିବ ବୋଲି ସୂଚନା ମିଳିଛି । କୋଲକତାର ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ପରବର୍ତ୍ତୀ ଇକମୋ ଚିକିତ୍ସା ଚାଲିବ । ଏହି ଚିକିତ୍ସା ଅତି ବ୍ୟୟବହୁଳ । ଚିକିତ୍ସା ପାଇଁ ପ୍ରାୟ ୧ କୋଟିରୁ ଅଧିକ ଟଙ୍କାର ଆବଶ୍ୟକତା ରହିଛି । ଗୋଟିଏ ମଧ୍ୟବିତ ପରିବାର ପାଖରେ ଏତେ ଟଙ୍କା ଯୋଗାଡ କରିବା କଷ୍ଟକର ହୋଇ ପଡିଛି । ତେଣୁ ଆର୍ଥିକ ସହାୟତା କରିବାକୁ ଅନୁରୋଧ କରିଛନ୍ତି ତାଙ୍କ ପତ୍ନୀ ମୌସୁମୀ ମହାନ୍ତି ।

ସେପଟେ ପରିବାରକୁ କ୍ରାଉଡ ଫଣ୍ଡିଂ ଓ ଅନେକ ବନାଦ୍ୟ ବ୍ୟକ୍ତିଙ୍କ ସହଯୋଗର ହାତ ବି ବଢୁଛି । ଏହାରି ଭିତରେ ସ୍ୱାମୀଙ୍କୁ ସୁସ୍ଥ କରି ନୂଆ ଜୀବନ ଦେବାକୁ ଉଦ୍ୟମ ଜାରି ରଖିଛନ୍ତି ପତ୍ନୀ । ଗତ ମେ ୫ ତାରିଖରେ ବିବାହ କରିଥିଲେ ଭଦ୍ରକ ଜିଲ୍ଲାର ଯୁବ ଇଂଜିନିୟର ଅଭିଷେକ ମହାପାତ୍ର । ବିବାହର ୮ ଦିନ ପରେ ତାଙ୍କର ଦେହ ଅସୁସ୍ଥ ହୋଇଥିଲା । ଏହା ପରେ କରୋନା ସଂକ୍ରମିତ ଚିହ୍ନଟ ହୋଇ, ରାଜଧାନୀର ଘରୋଇ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି ।