ଏୟାର ଆଂବୁଲାନ୍ସରେ କୋଲକାତା ଯିବେ ଅଭିଷେକ ମହାପାତ୍ର : ଆର୍ଥିକ ସମସ୍ୟା ଯୋଗୁଁ ଗତକାଲି ହୋଇପାରିନଥିଲା ଯିବା ବ୍ୟବସ୍ଥା

331

କନକ ବ୍ୟୁରୋ : ଏବେ ଜୀବନ ମରଣ ସହ ସଂଗ୍ରାମ କରୁଥିବା ୨୮ ବର୍ଷିୟ ଅଭିଷେକ ମହାପାତ୍ରଙ୍କୁ ଅଧିକ ଚିକିତ୍ସା ପାଇଁ ଏୟାର ଆଂବୁଲାନ୍ସରେ କୋଲକାତା ନିଆଯିବ । ଏଥିପାଇଁ କଳିଙ୍ଗ ହସ୍ପିଟାଲରୁ ସ୍ୱତନ୍ତ୍ର ଆମ୍ବୁଲାନ୍ସରେ ଏୟାରପୋର୍ଟକୁ ନିଆଯାଇଛି । ଗତ ୨୨ ଦିନ ହେଲା ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ସଂକଟାପନ୍ନ ଅବସ୍ଥାରେ ତାଙ୍କର ଚିକିତ୍ସା ଜାରି ରହିଥିଲା । ଅଭିଷେକଙ୍କ ଅବସ୍ଥା ଦିନକୁ ଦିନ ବିଗୁଡୁଥିବାରୁ ତାଙ୍କର ଇସିଏମଓ ଚିକିତ୍ସା କରାଇବା ପାଇଁ ଡାକ୍ତର ପରାମର୍ଶ ଦେଇ ସାରିଛନ୍ତି । ଏଥିପାଇଁ ଅଭିଷେକଙ୍କୁ ଏୟାର ଆଂବୁଲାନ୍ସ ଯୋଗେ କୋଲକାତା ନିଆଯିବ ବୋଲି ସୂଚନା ମିଳିଛି ।

କୋଲକତାର ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ପରବର୍ତ୍ତୀ ଇକମୋ ଚିକିତ୍ସା ଚାଲିବ । ଏହି ଚିକିତ୍ସା ଅତି ବ୍ୟୟବହୁଳ । ଚିକିତ୍ସା ପାଇଁ ପ୍ରାୟ ୧ କୋଟିରୁ ଅଧିକ ଟଙ୍କାର ଆବଶ୍ୟକତା ରହିଛି । ତେଣୁ ଆର୍ଥିକ ସହାୟତା କରିବାକୁ ଅନୁରୋଧ କରିଛନ୍ତି ତାଙ୍କ ପତ୍ନୀ ମୌସୁମୀ ମହାନ୍ତି । ଏନେଇ ଖବର ପ୍ରସାରଣ ପରେ ଅଭିଷେକଙ୍କ ପରିବାର ନିକଟକୁ ଛୁଟୁଛି ସହାୟତାର ହାତ । କ୍ରାଉଡ ଫଣ୍ଡିଂ ଜରିଆରେ ମଧ୍ୟ ଅର୍ଥ ସହାୟତା ଆସୁଛି । ଏହା ମଧ୍ୟରେ ଅଭିଷେକଙ୍କ ଚିକିତ୍ସା ପାଇଁ ପ୍ରାୟ ୩୧ ଲକ୍ଷ ଟଙ୍କା ଯୋଗାଡ ହୋଇସାରିଲାଣି । ଆଉ ଦେଢ କୋଟି ଟଙ୍କାର ଆବଶ୍ୟକତା ରହିଛି ।

ସେପଟେ ସ୍ୱାମୀଙ୍କ ମନୋବଳ ବଢାଇବାକୁ ଗତକାଲି ମୌସୁମୀ ଭିଡିଓ କଲରେ ଅଭିଷେକଙ୍କ ସହ କଥା ହୋଇଥିଲେ । ବର୍ତମାନ ଗୋଟିଏ ଉଦ୍ୟମ, କିପରି ଅଭିଷେକଙ୍କୁ ସୁସ୍ଥ କରି ଫେରାଇ ଆଣିବେ । ବିବାହର ମାତ୍ର ୮ ଦିନ ପରେ ଅସୁସ୍ଥ ହୋଇଥିଲେ ଅଭିଷେକ । ଏହା ପରଠାରୁ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି । ଏପରି ଜଟିଳ ସମୟରେ ପୁରା ପରିବାର ଲୋକଙ୍କ ସହାୟତାକୁ ଅପେକ୍ଷା କରିଛନ୍ତି ।