କନକ ବ୍ୟୁରୋ: ଆଇପିଏଲ୍ ମହାନିଲାମୀ ପ୍ରକ୍ରିୟା ଏବେ ବାଙ୍ଗାଲୋରରେ ଜାରି ରହିଛି । ଆଉ ବିଭିନ୍ନ ଫ୍ରାଞ୍ଚାଇଜ୍ ଅନେକ ଖେଳାଳିଙ୍କ ଉପରେ ଟଙ୍କା ବର୍ଷା କରୁଛନ୍ତି । ତେବେ ଏମିତି ଅନେକ ଖେଳାଳି ଅଛନ୍ତି, ଯେଉଁମାନଙ୍କୁ ସେମାନଙ୍କର ବେସ୍ ପ୍ରାଇସଠାରୁ ବହୁ ଅଧିକ ଗୁଣ ଦାମରେ କିଣିଛନ୍ତି ଟିମ୍ ମାଲିକ । ସେମାନଙ୍କ ଭିତରୁ ଜଣେ ହେଲେ କର୍ଣ୍ଣାଟକର ଖେଳାଳି ଅଭିନବ ମନୋହର ସଦାରଙ୍ଗାନୀ ।
ଜୋତା ଦୋକାନୀଙ୍କ ପୁଅ ହେଲେ କୋଟିପତି । ଆଇପିଏଲ୍ ଖେଳିବେ ଅଭିନବ ମନୋହର । କଥାଟି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିଲେ ବି ସତ । କାହିଁକି ନା, ଚଳିତ ଆଇପିଏଲ୍ ନିଲାମୀ ପ୍ରକ୍ରିୟାରେ ଅଭିନବଙ୍କୁ ଗୁଜରାଟ ଟାଇଟନ୍ସ ୨.୬ କୋଟି ଟଙ୍କାରେ କିଣି ନିଜ ଦଳରେ ସାମିଲ କରିଛି । ତେବେ ଗୁଜରାଟ ତାଙ୍କୁ ତାଙ୍କ ବେସ୍ ପ୍ରାଇସ ୨୦ ଲକ୍ଷରୁ ପ୍ରାୟ ୧୩ ଗୁଣ ଅଧିକ ଦାମରେ କିଣିଛି ।
ଅଭିନବଙ୍କୁ ଏଥର ଆଇପିଏଲ୍ ନିଲାମୀ ପ୍ରକ୍ରିୟାରେ ଅଧିକ ଦାମ ମିଳିବାର କାରଣ ହେଉଛି ସୟଦ ମୁସ୍ତାକ୍ ଅଲ୍ଲୀ ଟୁର୍ଣ୍ଣାମେଣ୍ଟ । ଗତ ବର୍ଷ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟରେ ଅଭିନବ ଚମକ୍ରାର ପ୍ରଦର୍ଶନ କରିଥିଲେ । ବିଶେଷକରି ତାମିଲନାଡୁ ବିପକ୍ଷରେ ତାଙ୍କର ୭୦ ରନର ଦମଦାର ଇଂନିସକୁ ନେଇ ସବୁଠି ଚର୍ଚ୍ଚା ହୋଇଥିଲା । ଏହି ଇଂନିସରେ ସେ ୬ଟି ଛକା ଓ ୪ଟି ଚୌକା ସହ ୪୯ ବଲରୁ ୭୦ ରନ୍ ସଂଗ୍ରହ କରିଥିଲେ । ତେବେ ଉକ୍ତ ମ୍ୟାଚଟି କର୍ଣ୍ଣାଟକ ତାମିଲନାଡୁ ପାଖରୁ ହାରି ଯାଇଥିଲେ ମଧ୍ୟ, ଅଭିନବଙ୍କ ଏହି ଇଂନିସ ସବୁ ପ୍ରାଞ୍ଚାଇଜଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ।
ମିଳିଥିବା ସୂଚନା ମୁତାବକ, ଅଭିନବଙ୍କୁ ଯେତେବେଳେ ମାତ୍ର ୬ ବର୍ଷ ହୋଇଥିଲା, ସେତେବେଳେ ସେ ପ୍ରଥମେ କ୍ରିକେଟ୍ ଏକାଡେମୀରେ ଭର୍ତ୍ତି ହୋଇଥିଲେ । ତାଙ୍କ ପିଲା ଦିନର କୋଚ ଇରଫାନ୍ ସୈୟତ ଓ ଅଭିନବଙ୍କ ବାପା ପିଲାଦିନର ସାଙ୍ଗ ଥିଲେ । ଅଭିନବଙ୍କ ବାପାଙ୍କ ଜୋତା ଦୋକାନ ଥିବାବେଳେ, ତାଙ୍କ ବାପାଙ୍କ ଇଚ୍ଛା କାରଣରୁ ହିଁ ସେ କ୍ରିକେଟ୍ ଖେଳିବା ଆରମ୍ଭ କରିଥିଲେ ବୋଲି ସୂଚନା ମିଳିଛି ।
ତେବେ ଜୋତା ଦୋକାନରୁ ଆରମ୍ଭ ହୋଇଥିବା ଏହି କ୍ରିକେଟ୍ ଇଂନିସ ଏବେ ଆଇପିଏଲରେ ପହଞ୍ଚିଛି । ଗୁଜରାଟ ଟାଇଟନ୍ସ କର୍ଣ୍ଣାଟକର ଏହି ଯୁବ କ୍ରିକେଟରଙ୍କୁ ୨.୬ କୋଟି ଟଙ୍କାରେ କିଣି ସମସ୍ତଙ୍କୁ ଚମକାଇ ଦେଇଛି । ତେବେ ଆଗକୁ ସେ ଦଳ ପାଇଁ ଭଲ ପ୍ରଦର୍ଶନ କରିବେ ବୋଲି ମଧ୍ୟ ଆଶା ରଖାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2022/02/2-30.jpg)