ପାକିସ୍ତାନରେ ପୁଅ ଦେଖାଇଛନ୍ତି ଅଦମ୍ୟ ସାହସ ! ସଚ୍ଚା ସୈନିକ ଅଭିନନ୍ଦନଙ୍କୁ ନେଇ ଆମେ ଗର୍ବିତ ବୋଲି କହିଲେ ତାଙ୍କ ବାପା ଏସ୍ ବର୍ଥମାନ

202

କନକ ବ୍ୟୁରୋ : ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନଙ୍କ ଅଦମ୍ୟ ସାହସ ପାଇଁ ତାଙ୍କ ପରିବାର ସମେତ ସାରା ଦେଶ ତାଙ୍କୁ ନେଇ ଗର୍ବିତ । ଅଭିନନ୍ଦନଙ୍କ ସାହସ ପାଇଁ ତାଙ୍କ ବାପା ଗର୍ବ ଅନୁଭବ କରୁଥିବା ବେଳେ ଅପେକ୍ଷା କରିଛନ୍ତି ପୁଅର ଘର ବାହୁଡାକୁ ।

ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନଙ୍କ ଅପେକ୍ଷାରେ ସାରା ଦେଶ । ତାଙ୍କ ସାହସିକତାକୁ ନେଇ ତାଙ୍କ ପରିବାର ଓ ଦେଶ ଗର୍ବିତ । ଏହାରି ମଧ୍ୟରେ ଅଭିନନ୍ଦନଙ୍କ ବାପା ଅବସରପ୍ରାପ୍ତ ଏୟାର ମାର୍ଶଲ ଏସ୍ ବର୍ଥମାନ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ବନ୍ଦୀ ହୋଇଥିବା ସତ୍ୱେ ତାଙ୍କ ପୁଅ ଅଦମ୍ୟ ସାହସ ଦେଖାଇଛନ୍ତି । ଏବଂ ସେ ସୁରକ୍ଷିତ ଘରକୁ ଫେରିଆସିବେ ବୋଲି ଆଶା ରଖିଛନ୍ତି ।

ଅବସରପ୍ରାପ୍ତ ଏୟାର ମାର୍ଶଲ ଏସ୍ ବର୍ଥମାନ କହିଛନ୍ତି ଯେ, ଆପଣଙ୍କ ଚିନ୍ତା ଓ ପ୍ରାର୍ଥନା ପାଇଁ ଧନ୍ୟବାଦ ବନ୍ଧୁ । ଠାକୁରଙ୍କ ଆଶିର୍ବାଦ ପାଇଁ ମୁଁ ଧନ୍ୟବାଦ ଜଣାଉଛି । ଅଭି ଜୀବିତ, ମାନସିକ ସ୍ତରରେ ଦୃଢ ଓ ସେ ଆହତ ହୋଇନାହାନ୍ତି । ଦେଖନ୍ତୁ ସେ କିପରି ଅଦ୍ୟମ ସାହସ ଦେଖାଇ କଥା ହେଉଛନ୍ତି.. ଜଣେ ସଚ୍ଚା ସୈନିକ ସେ । ଆମେ ତାଙ୍କୁ ନେଇ ଗର୍ବିତ । ମୋତେ ବିଶ୍ୱାସ ଅଛି ଆପଣଙ୍କ ଆର୍ଶିବାଦ ଓ ପ୍ରାର୍ଥନା ତାଙ୍କ ସହିତ ଅଛି । ସେ ସୁରକ୍ଷିତ ଭାବେ ଫେରିଆସନ୍ତୁ । ମୁଁ ଆଶା କରୁଛି ଯେ ସେଠାରେ ତାଙ୍କୁ କୌଣସି ନିର୍ଯାତନା ଦିଆନଯାଉ । ଏବଂ ସେ ସୁସ୍ଥ ହୋଇ ଫେରିଆସନ୍ତୁ । ଏହି କଠିନ ସମୟରେ ଆମ ମାନଙ୍କ ସହ ରହିଥିବାରୁ ଆପଣମାନଙ୍କୁ ଧନ୍ୟବାଦ । ଆପଣମାନଙ୍କ ସମର୍ଥନରୁ ଆମକୁ ଶକ୍ତି ମିଳୁଛି ।

ଭାରତର ମିଗ୍-୨୧ ବିମାନ ଆକାଶରେ ନଷ୍ଟ ହେବା ପରେ ଯୁଦ୍ଧ ବିମାନରୁ ପାରାଚୁଟ ମାଧ୍ୟମରେ ଅବତରଣ କରିଥିଲେ ୱିଙ୍ଗ କମାଣ୍ଡର । ହେଲେ ପାକିସ୍ତାନ ସୀମାର ୭ କିଲୋମିଟର ଭିତରେ ପଡିଯାଇଥିଲେ ପାଇଲଟ ଅଭିନନ୍ଦନ ବର୍ଥମାନ । ଏହାପରେ ତୁରନ୍ତ ପାଇଲଟଙ୍କୁ କବଜାକୁ ନେଇଯାଇଥିଲା ପାକ୍ ସେନା ।