ମୋଦିଙ୍କ ବିରୋଧରେ ମୈଦାନକୁ ଓହ୍ଲାଇବେ ଅଭିନନ୍ଦନ । କହିଲେ, ୨୦୧୯ରେ ରାହୁଲଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛି ।

875

ଆସନ୍ତା ଏପ୍ରିଲ ୨୬ ତାରିଖରେ ବାରଣାସୀରୁ ନାମାଙ୍କନ ଭରିବେ ମୋଦି । ଏହି ଆସନରୁ ମୋଦିଙ୍କୁ ଟକ୍କର ଦେବାକୁ ତାମିଲନାଡୁର ୧୧୧ ଚାଷୀ, ପୂର୍ବ ବିଏସଏଫ କନେଷ୍ଟବଳ, ହାଇକୋର୍ଟର ପୂର୍ବତନ ବିଚାରପତିଙ୍କ ସମେତ ଅନେକ ପ୍ରାର୍ଥୀ ମୈଦାନକୁ ଓହ୍ଲାଇବେ । ଆଉ ଏସବୁ ଭିତରେ ଅବିକଳ ମୋଦିଙ୍କ ଭଳି ଦେଖାଯାଉଥିବା ଅଭିନନ୍ଦନ ପାଠକ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ନିର୍ବାଚନ ରଣକ୍ଷେତ୍ରକୁ ଓହ୍ଲାଇବାକୁ ନିଷ୍ପତି ନେଇଛନ୍ତି ।

ଅଭିନନ୍ଦନ ମଧ୍ୟ ଏପ୍ରିଲ ୨୬ରେ ପ୍ରାର୍ଥୀପତ୍ର ଦାଖଲ କରିବେ । ତେବେ ବିଜେପିକୁ ନେଇ ଅଭିନନ୍ଦନ କହିଛନ୍ତି, ଏହା ଏକ ଜୁମଲା ପାର୍ଟି । ଯେଉଁ ଦଳ ଲୋକଙ୍କୁ ଅଚ୍ଛେ ଦିନର ସ୍ୱପ୍ନ ଦେଖାଇଥିଲା, ପ୍ରତ୍ୟେକଙ୍କ ଆକାଉଣ୍ଟକୁ ୧୫ ଲକ୍ଷ ଟଙ୍କା ଦେବାକୁ ପ୍ରତିଶୃତି ଦେଇଥିଲା । କିନ୍ତୁ ପ୍ରତିଶୃତି ପୂରଣ କରିବା ବଦଳରେ ପକୁଡି ବିକ୍ରି କରିବାକୁ ମୋଦି କହୁଛନ୍ତି ।

ମୋଦିଙ୍କ ବିରୋଧରେ ପ୍ରବଳ ବର୍ଷିବା ସହ ରାହୁଲଙ୍କୁ ପ୍ରଂଶସାରେ ପୋତି ପକାଇଛନ୍ତି ଅଭିନନ୍ଦନ । ରାହୁଲଙ୍କୁ ପ୍ରଧାନମନ୍ତ୍ରୀ ପଦରେ ଦେଖିବାକୁ ଚାହୁଁଥିବା କହିଛନ୍ତି ଅଭିନନ୍ଦନ । କାରଣ ରାହୁଲ ଜଣେ ସଚ୍ଚୋଟ ବ୍ୟକ୍ତି । କେବଳ ବାରଣାସୀ ନୁହେଁ ଲକ୍ଷ୍ନୌରୁ ମଧ୍ୟ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଅଭିନନ୍ଦନ । ସେଠାରେ ରାଜନାଥ ସିଂଙ୍କ ସହ ମୁହାଁମୁହିଁ ହେବେ ଅଭିନନ୍ଦନ ।

ଅଭିନନ୍ଦନ ପାଠକ ୨୦୧୪ ନିର୍ବାଚନରେ ପ୍ରଧାନମନ୍ତ୍ରୀ ମୋଦି ଓ ବିଜେପି ପାଇଁ ନିର୍ବାଚନ ପ୍ରଚାର କରୁଥିଲେ । କିନ୍ତୁ ଚଳିତ ଥର ବିଜେପି କ୍ୟାମ୍ପକୁ ବାଏ ବାଏ କରି କଂଗ୍ରେସ ପାଇଁ ପ୍ରଚାର କରିବେ ବୋଲି କହିଥିଲେ ଅଭିନନ୍ଦନ ।