କନକ ବ୍ୟୁରୋ : ବାଂଲାଦେଶ ବିପକ୍ଷରେ ଦିନିକିଆ ସିରିଜ ହାରିବା ସହ ଟିମ୍ ଇଣ୍ଡିଆକୁ ବଡ ଝଟକା ଲାଗିଛି । କାରଣ ଦ୍ୱିତୀୟ ଦିନିକିଆରେ ରୋହିତ ଶର୍ମାଙ୍କ ଆଙ୍ଗୁଠିରେ ଆଘାତ ଲାଗିବା କାରଣରୁ ତୃତୀୟ ଦିନିକିଆରୁ ତାଙ୍କୁ ବାଦ୍ ଦିଆଯାଇଛି । ଏପରିକି ରୋହିତ ଟେଷ୍ଟ ସିରିଜରୁ ମଧ୍ୟ ବାଦ୍ ପଡିପାରନ୍ତି । ଆଉ ରୋହିତଙ୍କ ସ୍ଥାନରେ ଇଣ୍ଡିଆ-ଏ ଟିମର ଅଧିନାୟକ ଅଭିମନ୍ୟୁ ଇଶ୍ୱରନଙ୍କୁ ସୁଯୋଗ ମିଳିପାରେ । ଅଭିମନ୍ୟୁ ଏବେ ସୁଦ୍ଧା ଟିମ୍ ଇଣ୍ଡିଆ ପାଇଁ ଡେବ୍ୟୁ କରିନାହାନ୍ତି ।

Advertisment

୨୭ ବର୍ଷୀୟ ଇଶ୍ୱରନ୍ ଏବେ ବାଂଲାଦେଶ ଗସ୍ତରେ ଯାଇଥିବା ଇଣ୍ଡିଆ-ଏ ଟିମର ଅଧିନାୟକ ରହିଛନ୍ତି । ଘରୋଇ କ୍ରିକେଟରେ ଇଶ୍ୱରନଙ୍କ ପ୍ରଦର୍ଶନ ବେଶ ପ୍ରଭାବୀ ରହିଛି । ତେଣୁ ରୋହିତଙ୍କ ସ୍ଥାନରେ ଭରସାଯୋଗ୍ୟ ବ୍ୟାଟର ଭାବେ ଇଶ୍ୱରନଙ୍କୁ ଦଳରେ ସାମିଲ କରାଯାଇପାରେ । ଏହାପୂର୍ବରୁ ଅଭିମନ୍ୟୁ ଇଶ୍ୱରନଙ୍କୁ ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ଫାଇନାଲ ମୁକାବିଲାରେ ଷ୍ଟାଣ୍ଡବାଏ ଖେଳାଳୀ ଭାବେ ଟିମରେ ସାମିଲ କରାଯାଇଥିଲା । ପଶ୍ଚିମବଙ୍ଗ ରଣଜୀ ଦଳର ଅଧିନାୟକ ଥିବା ଇଶ୍ୱରନ ଘରୋଇ କ୍ରିକେଟରେ ଦମଦାର ପ୍ରଦର୍ଶନ କରି ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ଅଭିମନ୍ୟୁ ଏଯାବତ୍ ୭୭ଟି ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳିଥିବା ବେଳେ ୫୪୧୯ ରନ୍ କରିବାକୁ ସକ୍ଷମ ହୋଇଛନ୍ତି । ସେହିଭଳି ବାଂଲାଦେଶ ବିପକ୍ଷରେ ଇଣ୍ଡିଆ-ଏ ପକ୍ଷରୁ ଅଭିମନ୍ୟୁ ପ୍ରଥମ ମ୍ୟାଚରେ ୧୪୧ ରନ୍ କରିଥିବା ବେଳେ ଦ୍ୱିତୀୟ ମ୍ୟାଚରେ ୧୫୭ ରନ୍ କରିବାରେ ସକ୍ଷମ ହୋଇଥିଲେ । ସେହିଭଳି ଏହାପୂର୍ବରୁ ବିଜୟ ହଜାରେ ଟ୍ରଫି ମ୍ୟାଚରେ ୧୨୨ ରନର ଇନିଂସ ଖେଳିଥିଲେ ଅଭିମନ୍ୟୁ । ଯେଉଁଥିପାଇଁ ରୋହିତଙ୍କ ବଦଳ ଖେଳାଳୀ ଭାବେ ଇଶ୍ୱରନଙ୍କୁ ସାମିଲ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି ।