କଟକର ସମାଜସେବୀ ଅଭିମନ୍ୟୁଙ୍କୁ ନେଇ ମହମ୍ମଦ କୈଫଙ୍କ ଟ୍ୱିଟ: ଅସହାୟ ଓ ଅଚିହ୍ନା ଶବର ସାଥୀଙ୍କୁ କଲେ ପ୍ରଂଶସା; କ୍ୟାନସର ରୋଗୀଙ୍କ ସେବାରେ ନିଜକୁ ଉତ୍ସର୍ଗ କରିଛନ୍ତି ଅଭିମନ୍ୟୁ

462

କନକ ବ୍ୟୁରୋ: କଟକର ସମାଜସେବୀ ଅଭିମନ୍ୟୁଙ୍କୁ ନେଇ ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ମହମ୍ମଦ କୈଫଙ୍କ ଟ୍ୱିଟ । ଅଭିମନ୍ୟୁ ଦାସଙ୍କୁ ଟୁଇଟ୍ କରି ଭୁରି ଭୁରି ପ୍ରଶଂସା କରିଛନ୍ତି ମହମ୍ମଦ କୈଫ । ଅଭିମନ୍ୟୁ କହିଲେ କଟକ ବଡ ଡାକ୍ତରଖାନା ଏବଂ ଆଚାର୍ଯ୍ୟ ହରିହର କ୍ୟାନସର ଡାକ୍ତରଖାନାରେ ସଭିଏଁ ଜାଣନ୍ତି । ବିଶେଷ କରି କ୍ୟାନସର ରୋଗୀଙ୍କ ପାଇଁ ତାଙ୍କର ସମର୍ପିତ ସେବା ତାଙ୍କୁ ବିଭିନ୍ନ ମହଲରେ ଆଣିଦେଇଛି ପରିଚିତି । ସକାଳ ଆରମ୍ଭ ହେବା ପରଠାରୁ ରାତି ଯାଏଁ ଅଭିମନ୍ୟୁ ଅସହାୟ ରୋଗୀଙ୍କୁ ବଢାଇଥାନ୍ତି ସହାୟତାର ହାତ ।

ଖାସ୍ କରି ଡାକ୍ତ୍ରରଖାନାରେ କୌଣସି ନିରାଶ୍ରୟ ରୋଗୀ ଥିଲେ ତାଙ୍କର ସହାୟତା ପାଇଁ ଆଗେଇ ଆସିଥାନ୍ତି ଅଭିମନ୍ୟୁ । କୌଣସି ନିରାଶ୍ରୟ ରୋଗୀଙ୍କ ମୃତ୍ୟୁ ହେଲେ ତାଙ୍କର ଦାହ ସଂସ୍କାରର ଭାର ତୁଲାଇଥାନ୍ତି ଅଭିମନ୍ୟୁ । ଅଚିହ୍ନ ଶବ ମିଳିଲେ ଖୋଜା ପଡିଥାଏ ଅଭିମନ୍ୟୁଙ୍କୁ । ଶବକୁ ଚାରିକାନ୍ଧ ମିଳୁବା ନମିଳୁ ଏକା ଅଭିମନ୍ୟୁ ଥିଲେ ହୋଇଥାଏ ଅନ୍ତିମ ସଂସ୍କାର । ବର୍ଷ ବର୍ଷ ଧରି ଅଭିମନ୍ୟୁ ଦାସ କଟକରେ ଏପରି ସେବା କରିଆସୁଛନ୍ତି । ଯାହାକି ଅସହାୟ ଲୋକଙ୍କ ମୁହଁରେ ହସ ଫୁଟାଇ ପାରୁଛି ।

କଟକର ଜଣେ ବହି ବନ୍ଧାଳି ଭାବେ ବୃତି କରୁଥିବା ଅଭିମନ୍ୟୁ କିନ୍ତୁ ପ୍ରତିଦିନ ମାନବ ସେବାକୁ ମାଧବ ସେବା ଭାବେ ଗ୍ରହଣ କରି ଆସିଛନ୍ତି । ବର୍ଷ ବର୍ଷ ଧରି ତାଙ୍କର ଏପରି ସମର୍ପିତ ସେବାକୁ ପୂର୍ବତନ କ୍ରିକେଟର ମହମ୍ମଦ କୈଫ ଭୁରି ଭୁରି ପ୍ରଶଂସା କରିଛନ୍ତି । ସବୁଠାରୁ ବଡ କଥା ହେଉଛି ବର୍ତମାନ କରୋନା କଟକରେ ବ୍ୟାପିଥିବା ବେଳେ ଅଭିମନ୍ୟୁ କିନ୍ତୁ କ୍ୟାନସର ଡାକ୍ତରଖାନାରେ ତାଙ୍କର ସମର୍ପିତ ସମାଜସେବା ଜାରି ରଖିଛନ୍ତି ।