ଅସ୍ତରଙ୍ଗର ସଫଳ ଉଦ୍ୟୋଗୀ ଅଭିମନ୍ୟୁ ବେହେରା। ଧୂପକାଠି ତିଆରି ବ୍ୟବସାୟ କରି କରୁଛନ୍ତି ଭଲ ରୋଜଗାର।

122

କନକ ବ୍ୟୁରୋ: ଅସ୍ତରଙ୍ଗ ଅଞ୍ଚଳ ସଫଳ ବ୍ୟକ୍ତି ଅଭିମନ୍ୟୁ ବେହେରା। ଦିନ ଥିଲା ଏହି ବ୍ୟକ୍ତି ଜଣକ ଟେଣ୍ଟ ହାଉସ ବ୍ୟବସାୟ କରି ଭଲ ଦି ପଇସା ରୋଜଗାର କରୁଥିଲେ । ୨୦ ଜଣ ବେକାର ଯୁବକଙ୍କୁ ନିଯୁକ୍ତିି ଦେଇ ରୋଜଗାର ଦେଇ ଆସୁଥିଲେ । କିନ୍ତୁ କରୋନା ମହାମାରୀ ଆସିବା ପରେ ବ୍ୟବସାୟ ବୁଡିଗଲା । ଆଉ ଏକ ଅନିଶ୍ଚିତ ଭବିଷ୍ୟତ ଦେଇ ଗତି କରୁଥିଲେ ଅଭିମନ୍ୟୁ । ଜଣେ ସାଙ୍ଗ ଠାରୁ ପ୍ରେରଣା ପାଇ ଆରମ୍ଭ କଲେ ଅଗରବତୀ ତିଆରି ଶିଳ୍ପ । ବର୍ଷେ ହେଲା ଧୂପକାଠୀ ତିଆରି ବ୍ୟବସାୟ କରୁଛନ୍ତି ଅଭିମନ୍ୟୁ । ୨୦ଟି ମେସିନ ପକାଇ ଅସ୍ତରଙ୍ଗ ବଜାରରେ ଏକ ପ୍ରକଳ୍ପ ସ୍ଥାପନ କରି ଅଗରବତୀ ତିଆରି ବଜାରକୁ ବିକ୍ରି ପାଇଁ ପଠାଉଛନ୍ତି । ବଜାର ଚାହିଦାକୁ ଦେଖି ପୁରୀ, ଖୋର୍ଦ୍ଧା ଓ କଟକ ଜିଲ୍ଲାର ବିଭିନ୍ନ ବଜାରରେ ଏହି ଧୂପକାଠି ବିକ୍ରି କରୁଛନ୍ତି ଅଭିମନ୍ୟୁ । ପ୍ରତିଦିନ ଅଗରବତୀ ଶିଳ୍ପ ପାଖକୁ ଆସି ନିଜେ ପ୍ରତ୍ୟେକ୍ଷ ଭାବେ ତଦାରଖ କରି ଚାଲିଛନ୍ତି ଏହି ଉଦ୍ୟୋଗୀ ଜଣକ ।

ଏହି ଅଗରବତୀ ତିଆରି କାରଖାନାରେ ଅଭିମନ୍ୟୁ ପ୍ରାୟ ୨୦ ଜଣ ବେରୋଜଗାର ମହିଳାଙ୍କୁ ନିଯୁକ୍ତି ଦେଇ ସେମାନଙ୍କୁ ରୋଜଗାର ଦେଉଛନ୍ତି । ଘରକାମ ସାରି ସେମାନେ ଦିନ ୧୦ଟାରୁ ୪ଟା ପର୍ଯ୍ୟନ୍ତ ଏହି ଶିଳ୍ପ ସ୍ଥାନକୁ ଆସି ମେସିନରେ ଅଗରବତୀ ତିଆରି କରନ୍ତି । ଏହା ପରେ ତାହାକୁ ସୁଖାଇ ବିଡା ବାନ୍ଧି ପ୍ୟାକିଂ କରିବା କାମରେ ଲାଗିିପଡ଼ନ୍ତି । ଶ୍ରୀକ୍ଷେତ୍ର ଅଗାରବତୀର ଝୁଣା ଅଗରବତିଟି ବଜାରରେ ବେଶ ଚାହିଦା ରହିଛି । ବିଭିନ୍ନ ବ୍ୟବସାୟୀ ମାନେ ତାଙ୍କ ଶିଳ୍ପ କେନ୍ଦ୍ରକୁ ଆସି କିଣି ନେଉଛନ୍ତି । ବ୍ୟବସାୟ ମଧ୍ୟ ଭଲ ଚାଲିଛି ।