କନକ ବ୍ୟୁରୋ :ଏ ହେଉଛି ଭାରତୀୟ ସେନାର ଅନନ୍ୟା ବୀରାଙ୍ଗନା ଅଭିଳାଷା ବରାକଙ୍କ କାହାଣୀ । ସେନାରେ ପ୍ରଥମ ମହିଳା କମ୍ବାଟ୍ ଆଭିଏଟର ଭାବେ ରଚିଛନ୍ତି ଇତିହାସ । ପ୍ରତିରକ୍ଷା ସେବାରେ ମହିଳାଙ୍କୁ ସାମିଲ କରିବା ନିଷ୍ପତ୍ତିର ତିନି ବର୍ଷ ପରେ ସେନାବାହିନୀର ପ୍ରଥମ ମହିଳା ଭାବେ କ୍ୟାପଟେନ୍ ଅଭିଳାଷା ବାରାକ୍ ଲଢୁଆ ମହିଳା ପାଇଲଟ ହୋଇଛନ୍ତି । ସେ ସେନାର ଆଭିଏସନ କୋରରେ ଯୋଗ ଦେଇଛନ୍ତି ।

Advertisment

ଆର୍ମି ଆଭିଏସନ କର୍ପସରେ ଯୋଗଦେବା ପୂର୍ବରୁ ଅଭିଲାଷା ନାଶିକର କମ୍ବାଟ୍ ଆର୍ମି ଆଭିଏସନ୍ ଟ୍ରେନିଂ ସ୍କୁଲରେ କୋର୍ସ ସମାପ୍ତ କରିବାରେ ନିୟୋଜିତ ଥିଲେ। ବର୍ଷକର ତାଲିମ ଶେଷ କରିବା ପରେ, ସେ ଜଣେ ମହିଳା ଯୁଦ୍ଧ ବିମାନ ପାଇଲଟ୍ ଭାବେ ସେନାରେ ସାମିଲ ହୋଇଛନ୍ତି । ଅଭିଳାଷା ବାରାକଙ୍କୁ ମହାନିର୍ଦ୍ଦେଶକ ଏବଂ କର୍ଣ୍ଣେଲ କମାଣ୍ଡାଣ୍ଟ ଆର୍ମି ଏଭିଏସନ୍ ଦ୍ୱାରା ୩୬ ସେନା ପାଇଲଟଙ୍କ ସହ ସମ୍ମାନଜନକ ୱିଙ୍ଗ ପ୍ରଦାନ କରାଯାଇଛି ।

କ୍ୟାପ୍ଟେନ୍ ଅଭିଳାଷା ହରିଆଣାର ବାସିନ୍ଦା । ବାପା ଏସ୍ ଓମ୍ ସିଂ ଜଣେ ଅବସରପ୍ରାପ୍ତ କର୍ଣ୍ଣେଲ । ଅଭିଳାଷାଙ୍କର ଏହି ସଫଳତାକୁ ଇଣ୍ଡିଆନ୍ ଆର୍ମିର ଆଭିଏସନ୍ ଇତିହାସରେ ‘ଗୋଲ୍ଡେନ୍ ଲେଟର ଡେ’ ଭାବେ ଅଭିହିତ କରାଯାଇଛି ।

ତେବେ ଏହି ସଫଳତା ପୂର୍ବରୁ ଅଭିଳାଷାଙ୍କ ଜୀବନ କାହାଣୀ ବେଶ୍ ରୋଚକ । ରିପୋର୍ଟ ମୁତାବକ, କ୍ୟାପ୍ଟେନ ଅଭିଳାଷା ବରାକ୍ ଦ ଲରେନ୍ସ ସନାୱର ଏକାଡେମୀର ଜଣେ ଛାତ୍ରୀ । ୨୦୧୬ରେ ସେ ଦିଲ୍ଲୀ ଟେକ୍ନୋଲୋଜିକାଲ ୟୁନିଭର୍ସିଟିରୁ ଇଲେକ୍ଟ୍ରୋନିକ୍ସ ଆଣ୍ଡ୍ କମ୍ୟୁନିକେସନ୍ ଇଞ୍ଜିନିୟରିଙ୍ଗରେ ବିଟେକ୍ କରିବା ପରେ ସ୍ନାତକ ମଧ୍ୟ କରିଛନ୍ତି । ଏହାପରେ ତାଙ୍କୁ ଆମେରିକାରେ ଉଚ୍ଚ ଦରମାରେ ଉଚ୍ଚ ପଦବୀଯୁକ୍ତ ଚାକିରି ମିଳିଥିଲା । ହେଲେ ଦେଶର ମାଟିର ମୋହ ତାଙ୍କୁ ବିଦେଶରେ ବେଶି ଦିନ ବାନ୍ଧି ରଖିପାରିନଥିଲା । ଦେଶମାତୃକାର ସେବା ତାଙ୍କ ମନକୁ ଘାରିଥିଲା । ଏବେ ଆବେଦନ କ୍ରମେ ତାଙ୍କୁ ୨୦୧୮ରେ ଚେନ୍ନାଇ ସ୍ଥିତ ଅଧିକାରୀ ପ୍ରଶିକ୍ଷଣ ଏକାଡେମୀ ଦ୍ୱାରା ଚୟନ କରାଗଲା ।

ଏହି ସଫଳତା ପୂର୍ବରୁ ସେ ସେନାରେ ଅନେକ ସଫଳତା ଅର୍ଜନ କରି ରାଷ୍ଟ୍ରପତିଙ୍କ ଦ୍ୱାରା ସମ୍ମାନୀତ ହୋଇସାରିଛନ୍ତି । ସେନାରେ ମହିଳାଙ୍କ ପାଇଁ ଅନେକ କ୍ଷେତ୍ର ପ୍ରଶସ୍ତ ଥିଲେ ବି ଲଢୁଆ ବିମାନ ଚଳାଇବାକୁ ମହିଳାଙ୍କ ପାଇଁ ସବୁଠୁ ବଡ ଚ୍ୟାଲେଞ୍ଜ ଥିଲା । ତେଣୁ ସେ ଜଣେ ଲଢୁଆ ବିମାନ ପାଇଲଟ୍ ହେବାକୁ ଲକ୍ଷ୍ୟ ଧାର୍ଯ୍ୟ କଲେ । ଏଥିପାଇଁ ୨୦୧୮ରୁ ପ୍ରସ୍ତୁତି ଆରମ୍ଭ କରିଥିଲେ । ଶେଷରେ ସେ ବିଭିନ୍ନ ସ୍ତରରେ ଉତ୍ତୀର୍ଣ୍ଣ ହୋଇ ନିଜ ଲକ୍ଷ୍ୟ ସ୍ତଳରେ ପହଞ୍ଚିଛନ୍ତି । ଏବେ ସେ ଶତ୍ରୁ ବିେରୋଧରେ ଆକାଶରେ ଦୁର୍ଦ୍ଦର୍ଷ ଲଢୁଆ ବିମାନ ଉଡାଇବାକୁ ପ୍ରସ୍ତୁତ ।

୨୦୧୮ରେ ଫ୍ଲାଇଙ୍ଗ ଅଫିସର ଅବନି ଚତୁର୍ବେଦୀ ଲଢୁଆ ବିମାନ ଉଡାଇବାରେ ପ୍ରଥମ ମହିଳା ପାଇଲଟ୍ ହୋଇଥିଲେ । ଏବେ ଅଭିଳାଷା ପ୍ରଥମ କମ୍ବାଟ୍ ଆଭିଏଟର ହୋଇ ଭାରତୀୟ ସେନାର ଇତିହାସ ପୃଷ୍ଠାରେ ନିଜ ନାଁକୁ ସ୍ୱର୍ଣ୍ଣିମ ଅକ୍ଷରରେ ଲେଖିଛନ୍ତି ।