ବଢୁଛି ଦିଦିଙ୍କ ଦମ୍ , ଆଜି ଟିଏମସିରେ ସାମିଲ ହୋଇପାରିନ୍ତି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ ।

200

କନକ ବ୍ୟୁରୋ : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିପୁଳ ଆସନରେ ଟିଏମସି ଜିତିବା ପରେ ବିରୋଧୀଦଳର ଅନେକ ନେତା ଟିଏମସିରେ ସାମିଲ ହେଉଥିବା ଦେଖିବାକୁ ମିଳିଛି । ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ମୁକୁଲ ରାୟ ବିଜେପି ଛାଡି ଟିଏମସିରେ ଯୋଗ ଦେବା ପରେ ଆଜି ସନ୍ଧ୍ୟା ୪ ଟାରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପୁଅ ଟିଏମସିରେ ସାମିଲ ହେବେ ବୋଲି ଆକଳନ କରାଯାଉଛି ।

ସୂତ୍ର ମୁତାବକ କିଛିଦିନ ହେବ ଅଭିଜିତ ମୁଖାର୍ଜୀ ଟିଏମସିର ବରିଷ୍ଠ ନେତାମାନଙ୍କ ସଂପର୍କରେ ଅଛନ୍ତି । ଅନୁମାନ କରାଯାଉଛି କି ଅଭିଜିତ ଟିଏମସିରେ ସାମିଲ ହେବା ପରେ ତାଙ୍କୁ ଜଙ୍ଘିପୁର ଆସନରୁ ଟିଏମସି ପ୍ରାର୍ଥୀ କରିପାରେ ।

କହିରଖୁ କି ପଶ୍ଚିମବଙ୍ଗରେ ହୋଇଥିବା ନକଲି ଟିକାକରଣକୁ ନେଇ କିଛିଦିନ ତଳେ ରାଜନୀତି ସରଗରମ ହୋଇଥିଲା । ଏନେଇ ରାଜ୍ୟ ବିଜେପି ପକ୍ଷରୁ ମମତା ସରକାରଙ୍କୁ ଟାର୍ଗେଟ୍ କରାଯାଇଥିବା ବେଳେ ଅଭିଜିତ ମୁଖାର୍ଜୀ ମମତା ବାନାର୍ଜୀଙ୍କୁ ସମର୍ଥନ ଜଣାଇଥିଲେ । ସେ ତାଙ୍କ ଟ୍ୱିଟରରେ ଲେଖିଥିଲେ କି କୌଣସି ବ୍ୟକ୍ତି ବିଶେଷ ଦ୍ୱାରା କରାଯାଉଥିବା ଭୂଲ କାମ ପାଇଁ ପଶ୍ଚିମବଙ୍ଗ କିମ୍ବା ମମତା ସରକାରଙ୍କୁ ଦୋଷୀ ଭାବେ ଗ୍ରହଣ କରାଯାଇ ପାରିବ ନାହିଁ । ଯଦି ଏଭଳି ହେବ ତେବେ ମେହୁଲ ଚୋକ୍ସି , ନୀରବ ମୋଦି ଓ ବିଜୟ ମାଲ୍ୟାଙ୍କ ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କାହିଁକି ଦୋଷୀ ସାବ୍ୟସ୍ତ କରାଯିବ ନାହିଁ । ଅନ୍ୟପଟେ ଏହି ମାମଲାରେ ପଶ୍ଚିମବଙ୍ଗ କଂଗ୍ରେସ ଅଧ୍ୟକ୍ଷ ଅଧୀର ରଞ୍ଜନ ଚୌଧୁରୀ ମମତା ବାନାର୍ଜୀଙ୍କୁ ଜବାବ୍ ମାଗିଥିଲେ ।

ସୂଚନା ଥାଉକି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ବଡ ପୁଅ ଅଭିଜିତ୍ ମୁଖାର୍ଜୀ ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ସରକାରୀ ଚାକିରି କରୁଥିଲେ । ପ୍ରଣବ ମୁଖାଜୀ ରାଷ୍ଟ୍ରପତି ହେବା ପରେ ଜଙ୍ଘୀପୁର ଲୋକସଭା ଆସନ ଖାଲିପଡିଥିଲା । ୨୦୧୨ ରେ ଅଭିଜିତ୍ କଂଗ୍ରେସ ଟିକେଟରେ ଜଙ୍ଘୀପୁରରୁ ନିର୍ବାଚନ ଲଢି ବିଜୟୀ ହୋଇଥିଲେ । ଏହାପରେ ୨୦୧୪ ରେ ବି ସେ ଜଙ୍ଘୀପୁର ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ହେଲେ ୨୦୧୯ ରେ ସେ ସେହି ଆସନରୁ ପରାଜିତ ହୋଇଥିଲେ ।