ଆୟରଙ୍କୁ ରିମାଣ୍ଡରେ ନେବ ପୋଲିସ : ପଚରା ଉଚରା ପାଇଁ କୋଣାର୍କ ପୋଲିସକୁ ମିଳିଲା ୪ ଦିନିଆ ରିମାଣ୍ଡ ଅନୁମତି

37

କନକ ବ୍ୟୁରୋ : ଝାରପଡା ଜେଲରେ ଅଭିଜିତଙ୍କ ପ୍ରଥମ ରାତି କଟିଛି । ତାଙ୍କୁ କୋଣାର୍କ ପୁଲିସ ୪ ଦିନିଆ ରିମାଣ୍ଡରେ ନେବ ବୋଲି ଜଣାପଡିଛି । ଅଭିଜିତଙ୍କ ବ୍ୟବହାର ସ୍ୱାଭାବିକ ଥିବା ଜେଲ କର୍ତ୍ତୃପକ୍ଷ କହିଛନ୍ତି । ଝାରପଡା ଜେଲରେ ପ୍ରଥମ ରାତିରେ କିଛି ଖାଇବାକୁ ମନା କରିଦେଇଛନ୍ତି । ଜେଲ ପକ୍ଷରୁ ତାଙ୍କୁ ରୁଟି ଓ ତରକାରୀ ଦିଆଯାଇଥିଲା । ହେଲେ ସେ ବାହାରୁ ଖାଇକି ଆସିଛନ୍ତି ବୋଲି କହିବା ସହ ଖାଇବାକୁ ମନା କରିଦେଇଥିଲେ । ୧୧ ନମ୍ବର ସେଲରେ ରହୁଥିବା ଅଭିଜିତଙ୍କ ବ୍ୟବହାର କିନ୍ତୁ ସ୍ୱାଭାବିକ ଥିଲା ବୋଲି ଜେଲ କର୍ତ୍ତୃପକ୍ଷ କହିଛନ୍ତି । ଗତକାଲି ଜାମିନ ଆବେଦନ ଖାରଜ ହେବା ପରେ ଝାରପଡା ଜେଲରେ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତରେ ଅଛନ୍ତି ଅଭିଜିତ୍ ।

ଓଡିଶାର ସଂସ୍କୃତି ଏବଂ ଶ୍ରୀଜଗନ୍ନାଥଙ୍କ ସମ୍ପର୍କରେ ଅରୁଚିକର ମନ୍ତବ୍ୟ ରଖି ସାଢ଼େ ୪କୋଟି ଓଡିଆଙ୍କ ଭାବାବେଗକୁ କୁଠାରଘାତ କରିଥିବା ଅଭିଜିତ ଆୟାରଙ୍କୁ ଗିରଫ କରିଥିଲା କମିଶନରେଟ୍ ପୁଲିସ୍ । ଗୃହ କମିଟିରେ ହାଜର ହେବା ପରେ ଗତକାଲି ତାଙ୍କୁ ଗିରଫ କରିଥିଲା ଶହୀଦ ନଗର ଥାନା ପୁଲିସ୍ । ଅଭିଜିତଙ୍କ ବିରୋଧରେ ଆଇପିସିର ଦଫା ୨୯୪ ଅର୍ଥାତ ଅଶାଳୀନ ଆଚରଣ, ୨୯୫-ଏ ଅର୍ଥାତ୍ ଧାର୍ମିକ ଭାବନାକୁ ଆଘାତ ଦେବା, ଦଫା ୫୦୦-ସମ୍ମାନ ହାନି କରିବା, ଦଫା ୧୫୩-ଏ ଅର୍ଥାତ ଧର୍ମୀୟ ଭାବନାକୁ କେନ୍ଦ୍ର କରି ଶାନ୍ତି ଭଙ୍ଗ କରିବା ଏବଂ ଆଇଟି ଆକ୍ଟ ଦଫା ୬୭ରେ ମାମଲା ରୁଜୁ କରାଯାଇଛି । ଏସବୁ ଅଭିଯୋଗ ପ୍ରମାଣିତ ହେଲେ ଆଇନ୍ ଅନୁଯାୟୀ ଅଭିଜିତ୍ ଆୟରଙ୍କୁ ୪ ବର୍ଷ ଯାଏଁ ଦଣ୍ଡ ବିଧାନ ହୋଇପାରେ ।