ମହଙ୍ଗା ପଡିଲା ଓଡିଶାକୁ ଅପମାନ ! କୋଣାର୍କ, ଜଗନ୍ନାଥ ମନ୍ଦିର ଓ ବିଧାୟକଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ଦେଇ ଗିରଫ ହେଲେ ଅଭିଜିତ ଆୟାର ।

40

କନକ ବ୍ୟୁରୋ : ଓଡ଼ିଶାର ସଂସ୍କୃତି ଏବଂ ଶ୍ରୀଜଗନ୍ନାଥଙ୍କ ସଂପର୍କରେ ଅରୁଚିକର ମନ୍ତବ୍ୟ ରଖି ସାଢ଼େ ୪ କୋଟି ଲୋକଙ୍କ ଭାବାବେଗକୁ କୋଠାରଘାତ କରିଥିବା ସାମ୍ବାଦିକ ତଥା ବୈଜୟନ୍ତଙ୍କ ବନ୍ଧୁ ଅଭିଜିତ୍ ଆୟାର ମିତ୍ରଙ୍କୁ ଗିରଫ କରିଛି ପୁଲିସ୍ । ଆଜି ଗୃହ କମିଟିରେ ହାଜର ହେବାକୁ ଆସିଥିବା ଅଭିଜିତ୍ ଆୟାରଙ୍କୁ ଗୃହ କମିଟି ବୈଠକ ସରିବା ପରେ ତାଙ୍କୁ ପଚାରାଉଚୁରା କରିବା ପାଇଁ ନେଇଥିଲା ଭୁବନେଶ୍ୱର ସହିଦନଗର ଥାନା ପୁଲିସ୍ । ଅଜ୍ଞାତ ସ୍ଥାନରେ ଦୀର୍ଘ ସମୟରେ ଜେରା ପରେ ତାଙ୍କୁ ଗିରଫ କରାଯାଇଛି ।

ଅଭିଜିତଙ୍କ ବିରୋଧରେ ଆଇପିସିର ଦଫା ୨୯୪ ଅର୍ଥାତ ଅଶାଳୀନ ଆଚରଣ, ୨୯୫-ଏ ଅର୍ଥାତ୍ ଧାର୍ମିକ ଭାବନାକୁ ଆଘାତ ଦେବା, ଦଫା ୫୦୦-ସମ୍ମାନ ହାନୀ କରିବା, ଦଫା ୧୫୩-ଏ ଅର୍ଥାତ ଧର୍ମୀୟ ଭାବନାକୁ କେନ୍ଦ୍ର କରି ଶାନ୍ତି ଭଙ୍ଗ କରିବା ଏବଂ ଆଇଟି ଆକ୍ଟ ଦଫା ୬୭ରେ ମାମଲା ରୁଜୁ କରାଯାଇଛି । ଏସବୁ ଅଭିଯୋଗ ପ୍ରମାଣିତ ହେଲେ ଆଇନ୍ ଅନୁଯାୟୀ ଅଭିଜିତ୍ ଆୟରଙ୍କୁ ୪ ବର୍ଷ ଯାଏଁ ଦଣ୍ଡ ବିଧାନ ହୋଇପାରେ ।

ଅଭିଜିତ ଆୟାର, ଓଡ଼ିଶା ଆସିଥିବା ସମୟରେ କୋଣାର୍କ ମନ୍ଦିରର କଳାକୃତି ନେଇ ଅଶାଳୀନ ମନ୍ତବ୍ୟ ରଖିଥିଲେ । ଏମିତି କି ଓଡ଼ିଶା ଏବଂ ଶ୍ରୀଜଗନ୍ନାଥଙ୍କ ସଂପର୍କରେ ଅରୁଚିକର ମନ୍ତବ୍ୟ ଦେଇଥିଲେ । ଜଗନ୍ନାଥ ବଙ୍ଗାଳୀଙ୍କ ଠାକୁର, ଓଡ଼ିଶା ବୋଲି କିଛି ନାହିଁ । ଏହା ଓରି ଶଳା ଶବ୍ଦରୁ ଆସିବା କହିବା ସହ ଜଗନ୍ନାଥଙ୍କୁ ଓଡ଼ିଶାର ରାଜା ଚୋରି କରି ଆଣିଥିଲେ ବୋଲି ଟ୍ୱିଟର୍ ଜରିଆରେ ମତ ରଖିଥିଲେ । ଏହାକୁ ନେଇ ଓଡ଼ିଶାରେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରତିବାଦ କରିବା ସହ ଅଭିଜିତ୍ ଆୟାର ମିତ୍ରଙ୍କୁ ଗିରଫ କରିବା ପାଇଁ ଦାବି ହୋଇଥିଲା । ଏହା ପରେ ଓଡ଼ିଶା ପୁଲିସ୍ ଦିଲ୍ଲୀ ଯାଇ ଅଭିଜିତଙ୍କୁ ଗିରଫ କରିଥିଲା । ତେବେ ତାଙ୍କ ଦିଲ୍ଲୀର ସାକେତ କୋର୍ଟ ତାଙ୍କୁ ଜାମିନ୍ ପ୍ରଦାନ କରିଥିଲେ । ଏହା ପରେ ଏନେଇ ସୁପ୍ରିମକୋର୍ଟକୁ ଯାଇଥିଲେ ଅଭିଜିତ୍ । ଏବଂ ସୁପ୍ରିମକୋର୍ଟ ଅଭିଜିତଙ୍କୁ ମନ୍ତବ୍ୟ ନେଇ କଡ଼ା ଟିପ୍ପଣୀ କରିଥିଲେ ।

ଅଭିିଜିତଙ୍କ ଓକିଲ ଯେତେବେଳେ ତାଙ୍କ ଜୀବନ ପ୍ରତି ବିପଦ ଥିବା ନେଇ କୋର୍ଟକୁ କହିଥିଲେ । ସୁପ୍ରିମକୋର୍ଟ କହିଥିଲେ-ଅଭିିଜିତଙ୍କ ପାଇଁ ଜେଲ ସୁରକ୍ଷିତ ସ୍ଥାନ । କିଛି ମାସ ଧରି ଯେଉଁ ଘଟଣାକୁ ନେଇ ତୁମ୍ଭି ତୋଫାନ୍ ଚାଲିଥିଲା ତା’ର ଆଜି ଅବସାନ ଘଟିଛି । ଭୁବନେଶ୍ୱରରୁ ଗିରଫ ହୋଇଛନ୍ତି ଅଭିଜିତ୍ ଆୟାର ମିତ୍ର । ଅଭିଜିତ ଆୟାର ମିତ୍ର ଗିରଫ ହେବା ପୂର୍ବରୁ ବିଧାନସଭା ଗୃହ କମିଟିରେ ହାଜର ହୋଇଥିଲେ । ଯେଉଁଠି ବିଧାୟକଙ୍କ ସଂପର୍କରେ ରଖିଥିବା ଅରୁଚିକର ମନ୍ତବ୍ୟ ନେଇ ଦୀର୍ଘ ୪ ଘଂଟା ଧରି ଜେରା କରାଯାଇଥିଲା । ଗୃହ କମିଟି ଆଗରେ ଅଭିଜିତ୍ ପୁଣି ଥରେ କ୍ଷମା ମାଗିଛନ୍ତି । ଆଉ କହିଛନ୍ତି-ବିଧାୟକଙ୍କ ସଂପର୍କରେ ଏଭଳି ମନ୍ତବ୍ୟ ଦେବା ତାଙ୍କ ନିର୍ବୋଧତା ଥିଲା । ତେବେ ଗୃହ କମିଟି ପୁଣି ଥରେ ଅଭିଜିତଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତାମାସ ୨ ତାରିଖରେ ସତ୍ୟପାଠ କରି ପୁଣି ଥରେ ହାଜର ହେବେ ଅଭିଜିତ୍ ଆୟାର ।