ସାମ୍ନାକୁ ଆସିଲା ଅଭିଜିତ୍ ଆୟାରଙ୍କ ଆଉ ଏକ ଟୁଇଟ୍ ! କହିିଲେ ଓଡିଶାକୁ ଆବିଷ୍କାର କରିଛନ୍ତି ବଙ୍ଗାଳୀ, ମନ୍ତବ୍ୟକୁ ନେଇ ବିଧାନସଭାରେ ଝଡ଼ ।

45
କନକ ବ୍ୟୁରୋ : ବୈଜୟନ୍ତଙ୍କ ବନ୍ଧୁ ଅଭିଜିତ ଆୟାରଙ୍କ ଆଉ ଏକ ଟୁଇଟକୁ ନେଇ ନୂଆ ବିବାଦ ଠିଆ ହୋଇଛି । ୨୦୧୭ ମସିହାରେ କରିଥିବା ଏହି ଟୁଇଟରେ ଆୟାର ଓଡିଶାକୁ ନିଚା ଦେଖାଇବାକୁ ପ୍ରୟାସ କରିଛନ୍ତି । ଯାହାକୁ ନେଇ ଆଜି ବିଧାନସଭାରେ ଝଡ ସୃଷ୍ଟି ହୋଇଛି । ଓଡିଶାକୁ ଅପମାନ କରିଥିବାରୁ ଆୟାରଙ୍କୁ ତୁରନ୍ତ ଗିରଫ କରାଯିବା ସହ ସେ କ୍ଷମା ମାଗନ୍ତୁ ବୋଲି ବିଜେଡି ଦାବି କରିଛନ୍ତି । ସେପଟେ ଆୟାରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ଉଠିଛି ସମାଲୋଚନାର ସ୍ୱର ।
କୋଣାର୍କର ଐତିହାସିକ ପୃଷ୍ଠଭୂମି  କିମ୍ବା ଓଡିଶାର ଇତିହାସ, କେଉଁ ତଥ୍ୟ ଆଧାରରେ ବୈଜୟନ୍ତଙ୍କ ବନ୍ଧୁ ଅଭିଜିତ କୋଣାର୍କ ପ୍ରସଙ୍ଗରେ ନିନ୍ଦନୀୟ ମନ୍ତବ୍ୟ ରଖିଲେ ଏବେ ତାକୁ ନେଇ ପ୍ରଶ୍ନ ଉଠିଛି । ଏହାକୁ ନେଇ ବିତର୍କ ଚାଲିଥିବା ବେଳେ ୨୦୧୭ ମସିହାରେ ଆୟାରଙ୍କ ଏକ ସାଂଘାତିକ ଟୁଇଟ ନୂଆ ବିବାଦ ତିଆରି କରିଛି । ଏହି ଟୁଇଟରେ ଜଗନ୍ନାଥ ମନ୍ଦିର ଏବଂ ଓଡିଶାକୁ ନେଇ ଅରୁଚିକର ମନ୍ତବ୍ୟ ଦେଇଛନ୍ତି ଅଭିଜିତ ।
ଟୁଇଟରେ ଲେଖାଅଛି :
• ଓଡିଶାକୁ ଆବିଷ୍କାର କରିଥିଲେ ବଙ୍ଗାଳି
• ଓଡିଶା ବୋଲି କିଛି ନାହିଁ
• ଓଡିଶା ବେଙ୍ଗଲର ଏକ ଅଂଶ
• ଜଗନ୍ନାଥ ପ୍ରକୃତରେ କୋଲକାତାର ଦେବତା
• କଳିଙ୍ଗ ରାଜା ଜଗନ୍ନାଥ ପ୍ରତିମାକୁ ଚୋରାଇ ଆଣିଥିଲେ
ଅଭିଜିତଙ୍କ ଏପରି ମନ୍ତବ୍ୟ ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ସେପଟେ ଅଭିଜିତଙ୍କ ଟୁଇଟକୁ ନେଇ ବିଧାନସଭାରେ ହଙ୍ଗାମା କରିଛନ୍ତି ଶାସକ ଦଳର ସଦସ୍ୟ । ଅଭିଜିତ୍ ଆୟାର ଓଡିଶାର ଅପମାନ କରିଛନ୍ତି ବୋଲି କହିଛନ୍ତି ଶାସକ ଦଳ ସଦସ୍ୟ  । ଅଭିଜିତଙ୍କୁ ଗିରଫ ଦାବି କରିବା ସହ ସେ କ୍ଷମା ମାଗନ୍ତୁ ବୋଲି ଦାବି କରିଛନ୍ତି ବିଜେଡି ବିଧାୟକ । ଅନ୍ୟପକ୍ଷରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା, ଅଭିଜିତଙ୍କ ଅଶାଳୀନ ମନ୍ତବ୍ୟକୁ ନିନ୍ଦା କରିଛନ୍ତି । ଏସବୁ ଭିତରେ ଅଭିଜିତ ପୁଣିଥରେ ନିଜର କିଛି ଫଟୋ ଟୁଇଟ କରି ଓଡିଶାର ଗଣମାଧ୍ୟମ ଉପରେ ଅଶାଳୀନ ଭାଷା ପ୍ରୟୋଗ କରିଛନ୍ତି । ଏହି ଟୁଇଟ ସହ ଏପରି କିଛି ଫଟୋ ସେୟାର କରିଛନ୍ତି ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।