ରାସ୍ତା କଡର ବୁଲା କୁକୁରଙ୍କ ପାଇଁ ଦେବଦୂତ ସାଜିଛନ୍ତି ରେଭେନ୍ସା ଟପ୍ପର । ମା’ ଭଳି ସେବା କରନ୍ତି, ପକେଟ ଖର୍ଚ୍ଚରେ କୁକୁରଙ୍କ ପେଟ ପୂରାନ୍ତି ।

185

କନକ ବ୍ୟୁରୋ : ଯେଉଁ ସମାଜରେ କୁକୁରକୁ ଦେଖିଲେ ମଣିଷ ଦୂରରୁ ଗୋଡାଏ । ଘରକୁ ପଶି ଆସିଲେ ଗଙ୍ଗା ଜଳରେ ଘରକୁ ଧୂଆଯାଏ । ସେହି ସମାଜରେ ଜଣେ ଉଚ୍ଚଶିକ୍ଷିତ ଝିଅ ରାସ୍ତାକଡର କୁକୁରକୁ ସାଥୀ କରିଛି, ସେମାନଙ୍କ ପେଟ କଥା ବୁଝୁଛି, ଅସୁବିଧାରେ ପଡିଲେ ମା’ ଭଳି ସେବା କରୁଛି । ଘରୁ ମିଳୁଥିବା ପକେଟ ମନି ନିଜ ପାଇଁ ଖର୍ଚ୍ଚ ନକରି କୁକୁରୁଙ୍କ ପାଇଁ ଖର୍ଚ୍ଚ କରୁଛି । ଆଉ ଏଭଳି କରି ରାସ୍ତାକଡର ବୁଲା କୁକୁରଙ୍କ ପାଇଁ ଦେବଦୂତ ସାଜିଛନ୍ତି କଟକ ଝିଅ ଅଭିପସା । ଏଭଳି ପ୍ରୟାସ ପାଇଁ ରେଭେନ୍ସାରେ ପାଠ ପଢୁଥିବା ଅଭିପସାଙ୍କୁ ଏବେ ଚାରିଆଡୁ ପ୍ରଂଶସାର ସୁଅ ଛୁଟୁଛି ।

ରେଭେନ୍ସା କ୍ୟାମ୍ପସର ଏହି ଦୃଶ୍ୟ ଉପରେ ଥରେ ନଜର ପକାନ୍ତୁ । ଛୋଟେଇ ଛୋଟଇ ଚାଲିଛି ବୁଲା କୁକୁର । କେହି ଜଣେ ନିର୍ଦ୍ଦୟୀ ମଣିଷ ଏହି ବୁଲା କୁକୁର ଗୋଡ ଉପରେ ଗାଡି ଚଢାଇ ଚାଲି ଯାଇଛି । ଗୋଡ ଭାଙ୍ଗି ପ୍ରବଳ ଯନ୍ତ୍ରଣା ହେଉଛି । ହେଲେ ସେ ତ ପଶୁ ନା, ଯନ୍ତ୍ରଣା ବା କାହକୁ କହିବ । କିନ୍ତୁ ଏହି ବୁଲା କୁକୁର ପାଇଁ ଦେବଦୂତ ସାଜିଥିଲେ ଅଭିପସା । ପକେଟ ମନିରେ ମେଡିସିନ କିଣି ଏହି ବୁଲା କୁକୁରର ଚିକିତ୍ସା କରିଛନ୍ତି ଅଭିପସା ଓ ତାଙ୍କ ଟିମ୍ । କୁକୁରର ଗୋଡ ଡ୍ରେସିଂ କରିବା ସହ ପେଟପୂରା ଖାଇବାକୁ ମଧ୍ୟ ଦେଇଛନ୍ତି ।

ତେବେ ବୁଲା କୁକୁରଙ୍କ ସେବା କରିବା ଅଭିପସାଙ୍କ ପାଇଁ କିଛି ନୂଆ କଥା ନୁହେଁ । ଦୀର୍ଘ ଦିନ ଧରି ବୁଲା କୁକୁରଙ୍କର ଏଭଳି ଚିକିତ୍ସା କରି ଆସୁଛନ୍ତି ଅଭିପସା । ରାସ୍ତା କଡରେ କୌଣସି କୁକୁରକୁ ଆହତ ଅବସ୍ଥାରେ ଦେଖିବା ମାତ୍ରେ ସେହିଠାରେ ଅଟକିଯାଆନ୍ତି ଅଭିପସା । କୁକୁରର ଚିକିତ୍ସା ନ ସରିବା ପର୍ଯ୍ୟନ୍ତ ସେହି ସ୍ଥାନରୁ ଫେରନ୍ତି ନାହି ଅଭିପସା । ଆଉ ଏଥିପାଇଁ ତାଙ୍କୁ ସାଥ୍ ଦିଅନ୍ତି ମା’ ଓ ତାଙ୍କର କିଛି ସହଯୋଗୀ ।

୨୦୧୮ରେ ରେଭେନ୍ସାରେ କଳାରେ ଟପ୍ କରିଥିଲେ ଅଭିପସା । ଜଣେ ମେଧାବୀ ଛାତ୍ରୀ ଭାବେ କେବଳ ପାଠପଢାରେ ନୁହେଁ ବରଂ ଏଭଳି କାର୍ଯ୍ୟକରି ବେଶ୍ ଉଚ୍ଚ ପ୍ରଂଶସିତ ହୋଇଛନ୍ତି ଅଭିପସା ।