ଚାର୍ଟର ପ୍ଲେନରେ ଅଭୟ ପାଠକଙ୍କ ପରିବାର ସହ ଆକାଶରେ ବୁଲୁଥିଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ପରିବାର । ତାଜ୍ ପ୍ୟାଲେସରେ ଉଭୟ ପରିବାର ରହିଥିବା ନେଇ ଚର୍ଚ୍ଚା 

499

କନକ ବ୍ୟୁରୋ : କଳା ଧନରେ କୁବେର ସାଜିଥିବା ଆଇଏଫଏସ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କ ସହ ଚାର୍ଟର ଫ୍ଲାଇଟ୍ ବା ସ୍ୱତନ୍ତ୍ର ବିମାନ ଭଡ଼ାରେ ନେଇ ପରିବାର ସହ ବୁଲୁଥିଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ ।

୨୦୨୦ ଅଗଷ୍ଟ ୫ ତାରିଖରେ ଫ୍ଲାଇଟ୍ ବୁକ୍ କରି ପୁନେରୁ ପାଟନା ଅଭିମୁଖେ ଯାଇଥିଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ଅଭୟକାନ୍ତ ପାଠକଙ୍କ ପରିବାର । ପାସେଂଜର ଲିଷ୍ଟରେ ଅଛନ୍ତି ଅଭୟକାନ୍ତ ପାଠକ, ପୁଅ ଆକାଶ ପାଠକ, ପତ୍ନୀ ପୁଷ୍ପା ପାଠକ, ଆଉ ସେମାନଙ୍କ ସହ ଅଛନ୍ତି ବିଧାୟକ ପ୍ରଦୀପ ପାଣିଗ୍ରାହୀ, ତାଙ୍କ ପତ୍ନୀ ସୁଜାତା ପାଣିଗ୍ରାହୀ ଓ ଝିଅ ଶୃତି ପାଣିଗ୍ରାହୀ । ଦିନ ୧୧ରେ ପୁନେରୁ ପାଟଣାକୁ ଯାଇ ଏମ୍ପାୟର ଆଭିଏସନର ସେହି ଫ୍ଲାଇଟ୍ରେ ସଂଧ୍ୟାବେଳେ ସେମାନେ ଭୁବନେଶ୍ୱରକୁ ଫେରି ଆସିଥିଲେ । ଆଉ ଏ ହେଉଛି ଭୁବନେଶ୍ୱର ଫେରିବା ବେଳର ପ୍ୟାସେଂଜର ଲିଷ୍ଟ ।

୫ ଅଗଷ୍ଟର ଏହି ବିମାନ ଯାତ୍ରା ପରେ ଅଗଷ୍ଟ ୨୮ ତାରିଖରେ ଦିଲ୍ଲୀରୁ ଭୁବନେଶ୍ୱର ଆସିଛି ଚାର୍ଟର ବିମାନ । ବିମାନ ଅପରେଟର ହେଉଛି ଏୟାରଚାର୍ଟର ସର୍ଭିସେସ୍ ପ୍ରାଇଭେଟ୍ ଲିମିଟେଡ୍ । ୨୮ ତାରିଖରେ ଦିଲ୍ଲୀରୁ ଭୁବନେଶ୍ୱର ଆସିଛି ଏହି ଚାର୍ଟର ବିମାନ । ଆକାଶ ପାଠକଙ୍କ ସହ ଏହି ସ୍ୱତନ୍ତ୍ର ବିମାନରେ ଆସିଛନ୍ତି ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ଝିଅ ଶ୍ରୁତି ପାଣିଗ୍ରାହୀ ।

ଅଗଷ୍ଟ ମାସର ଏହି ଚାର୍ଟର ବିମାନ ଯାତ୍ରା ଭଳି କନକ ନ୍ୟୁଜ ହାତରେ ଲାଗିଛି ମାର୍ଚ୍ଚ ମାସର ଏକ ବିମାନ ଯାତ୍ରାର ଆଉ ଏକ ପ୍ରମାଣ । ମାର୍ଚ୍ଚ ୨୩ ତାରିଖରେ ଏହି ବିମାନ ବୁକ୍ କରାଯାଇଥିଲା । ମାତ୍ର ୫ ଜଣ ପ୍ୟାସେଂଜରଙ୍କୁ ନେଇ ଦିନ ୧୨ଟା ୩୦ରେ ପୁନେରୁ ଭୁବନେଶ୍ୱର ଆସିଥିଲା ଏହି ଚାର୍ଟର ବିମାନ । ହେରିଟେଜ୍ ଆଭିଏସନ ପ୍ରାଇଭେଟ୍ ଲିମିଟେଡରୁ ଏହି ବିମାନ ବୁକ୍ କରାଯାଇଥିଲା । ଆକାଶ ପାଠକଙ୍କ ସହ ଏହି ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱର ଫେରିଥିଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ଝିଅ ଶ୍ରୁତି ପାଣିଗ୍ରାହୀ ।