ମିଛର ସାମ୍ରାଜ୍ୟ ଗଢିଥିଲେ ଆକାଶ ପାଠକ । ୪ ବର୍ଷ ତଳେ ପଡ଼ିଥିଲା ମିଛ ସାମ୍ରାଜ୍ୟର ମୂଳଦୁଆ । ଜି-ମାଟ ଏଣ୍ଟ୍ରାନ୍ସରେ ପୁଅ ଟପ୍ କରିଛି ବୋଲି ପ୍ରଚାର କରିଥିଲେ ଅଭୟକାନ୍ତ 

4,404

କନକ ବ୍ୟୁରୋ : ପଚିଶ-ତିରିଶ ହଜାର ଫୁଟ ଉପରେ ଆକାଶରେ ଉଡୁଥିଲେ ଆକାଶ କୁମାର ପାଠକ । ମାତ୍ର ୩୨-୩୩ ବର୍ଷର ଆକାଶ ଭୁଇଁରେ ରହିବାକୁ ବୋଧହୁଏ ପସନ୍ଦ କରୁନଥିଲେ । କାରଣ, ତାଙ୍କୁ ସବୁବେଳେ ପସନ୍ଦ ଥିଲା ଚାର୍ଟର ପ୍ଲେନରେ ଆକାଶରେ ଉଡିବା, ଲକ୍ଷ ଲକ୍ଷ ଟଙ୍କା ଭଡା ଦେଇ ଫାର୍ମ ହାଉସରେ ରହିବା, ମର୍ସିର୍ଡିସ, ବିଏମଡବ୍ଲ୍ୟୁ ପରି ମହଙ୍ଗା ଗାଡିରେ ବୁଲିବା ।

ଅଭୟକାନ୍ତଙ୍କ ପୁଅ, ଆକାଶ ପାଠକଙ୍କ ରହସ୍ୟମୟ କାହାଣୀକୁ ନେଇ ଏବେ ସବୁଠି ଚର୍ଚ୍ଚା । ଟାଟା ମୋଟର୍ସର ଏମଡି ବୋଲି ପରିଚୟ ସୃଷ୍ଟି କରି ଏକ ମିଛ ସାମ୍ରାଜ୍ୟ ଗଢିଥିଲେ ବାପା-ପୁଅ । କୁହାଯାଉଛି ୨୦୧୬ ମସିହାରେ ଏହି ମିଛ ସମ୍ରାଜ୍ୟର ନିଅଁ ପଡିଥିଲା ।

ଆଜିକୁ ୪ ବର୍ଷ ତଳେ, ଏହି ମିଛ କାହାଣୀକୁ ପରିକଳ୍ପନା କରାଯାଇଥିଲା । ୨୦୧୬ ମସିହାରେ ଜି-ମାର୍ଟ ପ୍ରବେଶୀକା ପରୀକ୍ଷାରେ ଆକାଶ ଟପ କରିଛନ୍ତି ବୋଲି ପ୍ରଚାର କରାଗଲା । ଜି-ମାର୍ଟ ପରୀକ୍ଷାରେ ଭଲ କଲେ ଟାଟା ପ୍ରଶାସନିକ ସେବା ଚାକିରୀ ପାଇଁ ସୁଯୋଗ ମିଳେ ବୋଲି ପାଠକ ପରିବାର ଧରିନେଇଥିଲେ । ତେଣୁ ଜି-ମାର୍ଟରେ ଆକାଶ ଟପ କରିଛନ୍ତି ବୋଲି ପ୍ରଚାର କରିବା ପରେ ସେ ଟାଟା ପ୍ରଶାସନିକ ସେବା ବା ଟାଟା ଆଡମିନିଷ୍ଟ୍ରେଟିଭ ସର୍ଭିସେସରେ ଯୋଗ ଦେଲେ ବୋଲି ପରିବାର ପକ୍ଷରୁ ପ୍ରଚାର କରାଗଲା ।

ଏହାପରେ ସୋସିଆଲ ମିଡିଆରେ ନିଜକୁ ପୁନେ ଡିଭିଜନ ଟାଟା ମୋଟର୍ସର ଏମଡି ବୋଲି ପରିଚୟ ଦେଲେ ।  ଧୀରେ ଧୀରେ ମିଛ ସାମ୍ରାଜ୍ୟ ତିଆରି ହୋଇ ଚାଲିଲା । କେହି କିଛି ସନ୍ଦେହ ବି କରିପାରିଲେ ନାହିଁ । କାରଣ ସୁଚିନ୍ତିତ ଭାବେ ସେ ଏହି ଯୋଜନାକୁ ରୂପରେଖ ଦେଉଥିଲେ ।

ଚାର୍ଟର ପ୍ଲେନରେ ବୁଲିବା, ୮ ଲକ୍ଷ ଟଙ୍କା ଭଡାରେ ନିଆଯାଇଥିବା ଫାର୍ମହାଉସରେ ସମୟ କାଟିବା, ତାଙ୍କର ଅଧିକାର ବୋଲି କହୁଥିଲେ । କାରଣ ଟାଟା କମ୍ପାନୀ ଜାର୍ଟର ପ୍ଲେନ ଦିଏ ଓ ମାସକୁ କୋଟିଏ ଟଙ୍କା ଦରମା ଦିଏ । ଏ ସବୁ କଥା ଜଣେ ଶୁଣିଲେ, ସେ ବି କହିବ ଆକାଶ ବାବୁ କିଛି ଭୂଲ କରିନାହାନ୍ତି । କିନ୍ତୁ ଯଦି ଜଣେ ଜାଣିବ, ଟାଟା କମ୍ପାନୀରେ ଚାକିରୀ କରିବା ମିଛ ପ୍ରଚାର ଥିଲା, ତେବେ ତାର ହୋସ ଉଡିଯିବ ।  ରବିବାର ପର୍ଯ୍ୟନ୍ତ ଭାବି ଶ୍ୱଶୁର ପ୍ରଦୀପ ପାଣିଗ୍ରାହି ମଧ୍ୟ ଏଇଆ ଭାବୁଥିଲେ ଯେ, ଆକାଶ ଟାଟା ମୋଟର୍ସରେ ଏମଡି ଅଛନ୍ତି ।

୨୦୧୬ରୁ ୨୦୨୦ ଆରମ୍ଭ ଯାଏଁ ସବୁ ଠିକ ଚାଲିଥିଲା । କିନ୍ତୁ ପ୍ରଦୀପ ପାଣିଗ୍ରାହିଙ୍କ ଝିଅଙ୍କ ସହ ନିର୍ବନ୍ଧ ବେଳେ ସାଙ୍ଗରେ ପ୍ରାଇଭେଟ ବଡିଗାର୍ଡ ଧରି ଆସିଥିଲେ  ଆକାଶ । ଏହି କଥା ଟାଟା କମ୍ପାନୀ କାନକୁ ଯାଇଥିଲା, ଏବଂ ସେମାନେ ଖୋଳତାଡ ଆରମ୍ଭ କରିଥିଲେ । ଏହାପରେ ସବୁକଥା ସମ୍ନାକୁ ଆସିଲା । ୨୦୨୦ ମେ ମାସରେ ଆଇଜି ପୋଲିସଙ୍କୁ ସବୁ ଜଣାଇଲା ଟାଟା ।

ସବୁଠାରୁ ବଡ ପ୍ରଶ୍ନ ହେଉଛି, ବିଧାୟକ ପ୍ରଦୀପ ପାଣିଗ୍ରାହି, କଣ କିଛି ଜାଣିନଥିଲେ? ଗଣମାଧ୍ୟମକୁ ପ୍ରଦୀପ ଦୁଇଟି କଥା କହିଥିଲେ । ଚାର୍ଟର ପ୍ଲେନ ଟାଟା କମ୍ପାନୀ ତାଙ୍କୁ ଦେଇଥିଲା ଓ ୨୦୧୬ରେ ଆକାଶ ଜି-ମାର୍ଟ ଏଂଟ୍ରାନ୍ସରେ ଟପ କରିଥିଲେ । କିନ୍ତୁ ଦୁଇଟିଯାକ କଥା ମିଛ ।