କନକ ବ୍ୟୁରୋ : ଓଡିଶା ଲୋକଙ୍କ ଟଙ୍କାକୁ ଲୁଟ କରି ଆକାଶରେ ଅଏସ କରୁଥିବା ବାପା ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକ ଶେଷରେ ବନ୍ଧା ହୋଇ ଜେଲ ଯାଇଛନ୍ତି । ତାଙ୍କର ଜାମିନ୍ ଖାରଜ ହୋଇଯିବା ପରେ ତାଙ୍କ ଜେଲ ପଠାଇ ଦିଆଯାଇଛି । ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ବାପା-ପୁଅଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି ।

Advertisment

ଗତକାଲି ପୁଅ ଆକାଶ ପାଠକକୁ ଭୁବନେଶ୍ୱର ଆଣିବା ପରେ ପୁତୁରା ହର୍ଷ ପାଠକ ସହ ୩ ଜଣଙ୍କୁ ଏକାଠି ବସାଇ ଜେରା କରିଛି ଭିଜିଲାନ୍ସ । ପୁଅ ଆକାଶ ପାଠକର ଆକାଉଁଟରୁ ୯ କୋଟି ୪୦ ଲକ୍ଷ ଟଙ୍କା ଜବତ କରାଯାଇଛି । ଏଥିମଧ୍ୟରୁ ଭୁବନେଶ୍ୱରରେ ଜମା ହୋଇଛି ୮ କୋଟି ୪୦ ଲକ୍ଷ ଟଙ୍କା । ମୁମ୍ବାଇର ହୋଟେଲ ତାଜ ମହଲ ପ୍ୟାଲେସ୍ରେ ବାପା-ପୁଅ ୯୦ ଲକ୍ଷ ଟଙ୍କା ବିଲ କରିଛନ୍ତି । ଏଥିରୁ ଅନୁମାନ କରି ହେବ କେମିତି ବିଳାସପୂର୍ଣ୍ଣ ଜୀବନ ବିତାଉଥିଲେ ବାପା-ପୁଅ ।

ଲକଡାଉନ୍ ସମୟରେ ଏମାନେ ଆଉ ତଳେ ଚାଲିବାକୁ ଭଲ ପାଉନଥିଲେ, ବାରମ୍ବାର ବ୍ୟକ୍ତିଗତ ଉଦେଶ୍ୟରେ ବିମାନ ଭଡାରେ ନେଇ ଆକାଶମାର୍ଗରୁ ଲକଡାଉନ୍ର ଦୃଶ୍ୟ ଦେଖୁଥିଲେ । ସେମାନେ ଚାଟାର୍ଡ ଫ୍ଲାଇଟ୍ ନେଇ ପୁଣେ, ପାଟଣା, ମୁମ୍ବାଇ, ଜୁହୁ, ଜାମସେଦପୁର, ଦିଲ୍ଲୀ ଆଦି ସହର ବୁଲିବାରେ ଲାଗିଥିଲେ । ଏମାନଙ୍କର ଠକେଇକୁ ଠିକ୍ ଭାବରେ ଅନୁଧ୍ୟାନ କରିବା ପାଇଁ ଭିଜିଲାନ୍ସ ଟିମ୍ ବହୁ ସଂଖ୍ୟାରେ ଚାଟାର୍ଡ ଆକାଉଁଟାଂଟ, ବ୍ୟାଙ୍କ ଅଫିସର, ସାଇବର ସେଲର ଅଧିକାରୀ ଓ ଡକ୍ୟୁମେଂଟ ଯାଂଚ ସେଲର ଅଧିକାରୀଙ୍କୁ ନିଯୁକ୍ତି ଦେଇଛନ୍ତି ।