୨୮ ଟି ବ୍ୟାଙ୍କକୁ କେମିତି ଠକିଲା ଏବିଜି ସିପୟାର୍ଡ, ଜାଣନ୍ତୁ ପୁରା କାହାଣୀ

୨୮ ଟି ବ୍ୟାଙ୍କକୁ କେମିତି ଠକିଲା ଏବିଜି ସିପୟାର୍ଡ, ଜାଣନ୍ତୁ ପୁରା କାହାଣୀ

କନକ ବ୍ୟୁରୋ : ନିରବ ମୋଦୀ, ବିଜୟ ମାଲ୍ୟା, ବିକ୍ରମ କୋଠାରୀଙ୍କୁ ଟପି ଯାଇଛି ଏବିଜି ସିପୟାର୍ଡ କମ୍ପାନୀ । ଏହି କମ୍ପାନୀ ଦେଶର ୨୮ ଟି ବ୍ୟାଙ୍କକୁ ଲୁଟି ୨୨,୮୪୨ କୋଟି ଟଙ୍କା ଠକି ନେଇଛି । ଏହାକୁ ଏବେ ଦେଶର ସବୁଠାରୁ ବଡ ବ୍ୟାଙ୍କ ଠକେଇ ବୋଲି କୁହାଯାଉଛି । ଏନେଇ ପ୍ରଥମେ ଭାରତୀୟ ଷ୍ଟେଟବ୍ୟାଙ୍କ ସିବିଆଇ ନିକଟରେ ଅଭିଯୋଗ କରିବା ପରେ କମ୍ପାନୀ ଲୁଟର ପୁରା ପେଡି ଖୋଲିଛି ସିବିଆଇ । ଏନେଇ ଫେବୃଆରୀ ୭ ତାରିଖରେ ସିବିଆଇ ମାମଲା ରୁଜୁ କରି ଯାଂଚ ଆରମ୍ଭ କରିଛି । ତେବେ ଏକ ଜାହଜ ମରାମତି କମ୍ପାନୀ କିଭଳି ଭାବେ ୨୨ ହଜାର କୋଟି ଟଙ୍କା ଲୁଟି ନେଲା ଆସନ୍ତୁ ଜାଣିବା ଏହାର ପୁରା କାହାଣୀ ।

ଅଭିଯୋଗ ପାଇବା ପରେ ସିବିଆଇ ପକ୍ଷରୁ ମାମଲା ରୁଜୁ କରାଯାଇ ଏବିଜି ସିପୟାର୍ଡ କମ୍ପାନୀର ଅଧ୍ୟକ୍ଷ ଋଷି କମଲେଶ ଅଗ୍ରୱାଲ, କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ସଂଥାନ ମୁଥସ୍ୱାମୀ ଓ ଅନ୍ୟ ୩ ଜଣ ନିର୍ଦ୍ଦେଶକ ଅଶ୍ୱନୀ କୁମାର, ସୁଶୀଲ କୁମାର ଅଗ୍ରୱାଲ ଓ ରବି ବିମନ ତେବେତିଆଙ୍କ ଅଭିଯୁକ୍ତ ଭାବେ ଗ୍ରହଣ କରିଛି ।

ପ୍ରଥମଥର ପାଇଁ ୨୦୧୯ ରେ ଏହି ଠକେଇ ବାବଦରେ ଫରେନସିକ ଅଡିଟ ରିପୋର୍ଟରେ ଚର୍ଚ୍ଚା ହୋଇଥିଲା । ଏହି ଚର୍ଚ୍ଚାରେ ଏବିଜି ସିପୟାର୍ଡକୁ ଋଣ ଦେଇଥିବା ବ୍ୟାଙ୍କମାନେ ଯୋଗ ଦେଇଥିଲେ । ଏହି ବୈଠକରେ ପରେ ଜଣାପଡିଥିଲା କି ଏବିଜି ସିପୟାର୍ଡ ଜୁଲାଇ ୨୦୧୨ ରୁ ଜୁନ ୨୦୧୭ ମଧ୍ୟରେ ୨୮ ଟି ବ୍ୟାଙ୍କରୁ ୨୨,୮୪୨ କୋଟି ଟଙ୍କା ଋଣ ନେଇଛି । ଅଭିଯୋଗ ରହିଥିଲା କି କମ୍ପାନୀ ଯେଉଁ ଉର୍ଦ୍ଦେଶ୍ୟରେ ଋଣ ନେଇଥିଲା ତାହା ନକରି ଟଙ୍କାକୁ ଅନ୍ୟ ବାଟରେ ଖର୍ଚ୍ଚ କରିଦେଇଛି ।

ଏନେଇ ୨୦୧୯ ନଭେମ୍ବର ମାସ ୮ ତାରିଖରେ ପ୍ରଥମଥର ପାଇଁ ଷ୍ଟେଟବ୍ୟାଙ୍କ ଅଫ୍ ଇଣ୍ଡିଆ ତରଫରୁ ସବିଆଇ ପାଖରେ ଅଭିଯୋଗ କରାଯାଇଥିଲା । ଅଭିଯୋଗ ପାଇବାର ଆନୁମାନିକ ୩ ବର୍ଷ ପରେ ମାମଲା ରୁଜୁ କରିଥିଲା । ସିବିଆଇର ସୂଚନା ମୁତାବକ ଏବିଜି ସିପୟାର୍ଡ କମ୍ପାନୀ ଦେଶର ୨୮ ଟି ବ୍ୟାଙ୍କରୁ ପାଖା ପାଖି ୨୩ ହଜାର କୋଟି ଟଙ୍କା ଋଣ ନେଇଛି ।

ଏହି ବ୍ୟାଙ୍କ ଠକେଇ ସାମ୍ନାକୁ ଆସିବା ପରେ ଦେଶରେ ଏହାକୁ ନେଇ ରାଜନୀତି ସରଗରମ ହୋଇଛି । ଏହା ପଛରେ ବିଜେପି ସରକଙ୍ର ହାତ ଥିବା ନେଇ ବିରୋଧୀ ଅଭିଯୋଗ କରିଥିବା ବେଳେ ଏହାକୁ ଖଣ୍ଡନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସୀତାରମଣ କହିଛନ୍ତି କି, ବିଜେପି ସରକାର ଆସିବା ପରେ ଖୁବ କମ ସମୟ ମଧ୍ୟରେ ଏହି ଘୋଟାଲାର ପର୍ଦ୍ଦାଫାସ ହୋଇ ପାରିଛି ।

କହିରଖୁ କି ୧୯୮୫ ମସିହାରେ ଏବିଜି ସିପୟାର୍ଡ କମ୍ପାନୀ ପ୍ରସ୍ତୁତ ହୋଇଥିଲା । ଏହି କମ୍ପାନୀର ମୁଖ୍ୟକାମ ଥିଲା କି ଖରାପ ହୋଇଯାଉଥିବା ଜଳ ଜାହାଜକୁ ମରାମତି କରିବା ଓ ନୂଆ ଜଳ ଜାହାଜ ନିର୍ମାଣ କରିବା । ଏନେଇ ସେ ବିଭିନ୍ନ କମ୍ପାନୀମାନଙ୍କ ଠାରୁ ଠିକାରେ କାମ ଆଣି କରୁଥିଲା । ଏହି ଆଧାରରେ ସେ ବ୍ୟାଙ୍କ ମାନଙ୍କ ଠାରୁ ଋଣ ଆଣୁଥିଲା । ହେଲେ ଋଣ ଟଙ୍କାକୁ ସେ କମ୍ପାନୀରେ ବିନିଯୋଗ ନକରି ଏଥିରେ ସମ୍ପତ୍ତି କିଣୁଥିବା କଥା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe