କନକ ବ୍ୟୁରୋ : ବିଜୟ ମାଲ୍ୟା, ନୀରବ ମୋଦୀଙ୍କ ପରେ ପୁଣି ଦେଶରେ ଏକ ସିପୟାର୍ଡ କମ୍ପାନୀ ବିଭିନ୍ନ ବ୍ୟାଙ୍କରୁ ୨୨,୮୪୨ କୋଟି ଟଙ୍କା ଠକି ନେଇଥିବା ସିବିଆଇ କହିଛି । ଏନେଇ ସିବଆଇ ତରଫରୁ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି । ସିବିଆଇର କହିବା ମୁତାବକ ଏବିଜି ସିପୟାର୍ଡ ଓ ଏହି କମ୍ପାନୀର ନିର୍ଦ୍ଦେଶକ ଋଷି ଅଗ୍ରୱାଲ, ସନ୍ଥନମ ମୁଥୁସ୍ୱାମୀ ଏବଂ ଅଶ୍ୱନୀ ଅଗ୍ରୱାଲ ବିଭିନ୍ନ ବ୍ୟାଙ୍କରୁ ଏହି ଟଙ୍କା ଋଣ ଆକାରରେ ନେଇ ଆଉ ଫେରସ୍ତ କରି ନାହାଁନ୍ତି । ଏବିଜି ସିପୟାର୍ଡ ଓ ତାର ସହଯୋଗୀ କମ୍ପାନୀ ଜାହାଜ ନିର୍ମାଣ ଓ ଏହାର ମରାମତି କାମ କରିଥାନ୍ତି । ଏହି କମ୍ପାନୀର କାର୍ଯ୍ୟାଳୟ ଗୁଜୁରାଟର ଦାହେଜ ଓ ସୁରଟ ଠାରେ ରହିଛି । ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ଅଭିଯୋଗ ମୁତାବକ କମ୍ପାନୀ ଏସବିଆଇରୁ ୨୯୨୫ କୋଟି ଟଙ୍କା ଋଣ ନେଇଛି । ଏହାସହ ଆଇସିଆଇସିଆଇ ବ୍ୟାଙ୍କରୁ ୭୦୯୮ କୋଟି, ଆଇଡିବିଆଇ ବ୍ୟାଙ୍କରୁ ୩୬୩୪ କୋଟି, ବ୍ୟାଙ୍କ ଅଫ୍ ବରୋଦାରୁ ୧୬୧୪ କୋଟି, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ୧୨୪୪ କୋଟି ଓ ଆଇଓବି ବ୍ୟାଙ୍କରୁ ୧୨୨୮ କୋଟି ଋଣ ନେଇଛି ।
ଏନେଇ ୨୦୧୯ ଜାନୁଆରୀ ୧୮ ତାରିଖରେ ଡିପୋଜିଟ କରାଯାଇଥିବା ରିପୋର୍ଟ ମୁତାବକ ଅଭିଯୁକ୍ତମାନେ ଯୋଜନାବଦ୍ଧ ଭାବେ ବ୍ୟାଙ୍କରୁ ଋଣ ନେଇ ଏହାକୁ ବିଭିନ୍ନ ସ୍ଥାନକୁ ପଠାଇ ଦେଇଛନ୍ତି । ସବିଆଇ ଦ୍ୱାରା ଦାଖଲ କରାଯାଇଥିବା ଅଭିଯୋଗ ମୁତାବକ ବ୍ୟାଙ୍କ ପାଣ୍ଠି ମୂଲ୍ୟରେ ପାଣ୍ଠିର ବିଭ୍ରାଟ, ଆର୍ଥିକ ଅନିୟମିତତା ଏବଂ ବେଆଇନ କାର୍ଯ୍ୟକଳାପ ମାଧ୍ୟମରେ ଏହି ଠକେଇ କରାଯାଇଛି । ଏନେଇ ସିବିଆଇ ଯାଂଚକୁ ଆଗକୁ ବଢାଇଛି । ଏନେଇ ସମସ୍ତ ଦସ୍ତାବିଜକୁ ତନ୍ନ ତନ୍ନ କରି ପରଖୁଛି ଏଜେନ୍ସି ।
କହିରଖୁ କି ଏହା ପୂର୍ବରୁ ହୀରା ବ୍ୟବସାୟୀ ନିରବ ମୋଦୀ ୧୪ ହଜାର କୋଟି, ବିଜୟ ମାଲ୍ୟା ୯ ହଜାର କୋଟି ଟଙ୍କା ବ୍ୟାଙ୍କରୁ ଋଣ ନେଇ ଏବେ ବିଦେଶରେ ଅୟଶ ଆରାମରେ ରହିଛନ୍ତି ।
Follow Us