ଆତଙ୍କବାଦୀ ସଙ୍ଗଠନ ସହ ଜଡିତ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେଲେ ଅବଦୁର ରେହେମାନ । ଅଲକାଇଦାର ପ୍ରସାର ପ୍ରଚାର କରୁଥିବା ନେଇ ଅବଦୁଲଙ୍କ ସମେତ ୪ ଜଣଙ୍କୁ ଦୋଷୀ ସାବ୍ୟସ୍ତ କଲେ ଦିଲ୍ଲୀ କୋର୍ଟ

108

କନକ ବ୍ୟୁରୋ : ଆତଙ୍କବାଦୀ ସଙ୍ଗଠନ ଅଲକାଇଦା ସହ ଜଡିତ ଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଓଡ଼ିଶାର ଅବଦୁର ରେହେମାନ । ଭାରତର ଏହି ଉଗ୍ରବାଦୀ ନେଟୱାର୍କର ପ୍ରସାର ପ୍ରଚାର ଅଭିଯୋଗରେ ଦିଲ୍ଲୀ ପୁଲିସ ଦ୍ୱାରା ଗିରଫ ହୋଇଥିବା ଅବଦୁର ରେହେମାନଙ୍କୁ ଦିଲ୍ଲୀ ପଟିଆଲା ହାଉସ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି । ପଟିଆଲା ହାଉସ କୋର୍ଟର ଅତିରିକ୍ତ ଦୌରା ଜଜ୍ ମାମଲାରେ ଶୁଣାଣି କରି ଅବଦୁର ରେହେମାନଙ୍କ ସମେତ ଅନ୍ୟ ୪ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଅବଦୁର ରେହେମାନ, ମହମ୍ମଦ ଆସିଫ, ଜାଫର ମାସୁଦ ଓ ଅବଦୁଲ ସାମିଙ୍କୁ ଅନଲଫୁଲ ଆକ୍ଟିଭିଟିଜ୍ ପ୍ରିଭେନସନ ଆକ୍ଟର ଧାରା ୧୮ ଏବଂ ୧୮-ବିରେ ଦୋଷୀ ସାବ୍ୟସ୍ତ କରାଯାଇଛି ।

ତେବେ ଅଭିଯୁକ୍ତମାନଙ୍କୁ ଦଣ୍ଡାଦେଶ ନେଇ ଆସନ୍ତା ସପ୍ତାହରେ ଶୁଣାଣି ଧାର୍ଯ୍ୟ କରାଯାଇଛି । ଯେଉଁ ଦଫାରେ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଛି ସେମାନଙ୍କୁ ଆଜୀବନ ସଜ୍ଜା ହୋଇପାରେ ବୋଲି କୁହାଯାଉଛି । ଉଲେଖଯୋଗ୍ୟ ୨୦୧୫ରେ ଦିଲ୍ଲୀ ପୁଲିସର ସ୍ପେଶାଳ ସେଲ ଅବଦୁର ରେହେମାନଙ୍କୁ କଟକ ଜଗତପୁର ଅଂଚଳରୁ ଗିରଫ କରିଥିଲା । ଏହି ଘଟଣା ସେତେବେଳେ ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିଲା । ପୁଲିସ ଦାଖଲ କରିଥିବା ଚାର୍ଜସିଟରେ ଅବଦୁର ରେହେମାନ ବେଆଇନ ଭାବେ ପାକିସ୍ତାନ ଗସ୍ତ କରି ପାକିସ୍ତାନର ଆତଙ୍କୀ ସଙ୍ଗଠନଗୁଡିକୁ ଭେଟିଥିବା କୁହାଯାଇଛି ।