କନକ ବ୍ୟୁରୋ : ଉତ୍ତରପ୍ରଦେଶ ସମାଜବାଦୀ ପାର୍ଟିର ବରିଷ୍ଠ ନେତା ଆଜମ ଖାନଙ୍କ ପରେ ଏବେ ତାଙ୍କ ପୁଅ ଅବ୍ଦୁଲ୍ଲା ଆଜମଙ୍କର ମଧ୍ୟ ବିଧାୟକ ପଦ ରଦ୍ଦ ହୋଇଛି । ୟୁପି ବିଧାନସଭା ସଚିବାଳୟରେ ଅବ୍ଦୁଲ୍ଲା ଆଜବଙ୍କ ଆସନକୁ ଖାଲି ଘୋଷଣା କରାଯାଇଛି । ମୁରାଦାବାଦର ଏକ ସ୍ୱତନ୍ତ୍ର ଅଦାଲତ ସୋମବାରଦିନ ୧୫ବର୍ଷ ତଳର ଏକ ପୁରୁଣା ମାମଲାରେ ସମାଜବାଦୀ ପାର୍ଟିର ମହାସଚିବ ଆଜମ ଖାନ ଓ ତାଙ୍କ ପୁଅ ଅବ୍ଦୁଲ୍ଲା ଆଜମଙ୍କୁ ୨ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଥିଲା ।

Advertisment

ଅବ୍ଦୁଲ୍ଲା ଆଜମ ରାମପୁରର ସ୍ୱାର ଆସନରୁ ବିଧାୟକ ଭାବେ ବିଜୟୀ ହୋଇଥିଲେ । ସେପଟେ ଜନପ୍ରତିନିଧି ନିୟମ ମୁତାବକ ଯଦି ଜଣେ ଜନପ୍ରତିନିଧିଙ୍କୁ  କୋର୍ଟ ୨ ବର୍ଷରୁ ଅଧିକ ଜେଲଦଣ୍ଡରେ ଦଣ୍ଡିତ କରେ ତେବେ ତାଙ୍କୁ ଦଣ୍ଡ ବିଧାନ ତାରିଖରୁ ଅଯୋଗ୍ୟ ଘୋଷଣା କରାଯାଇପାରିବ । ଏହାସହ ଜେଲରେ ସମୟ ବିତାଇବା ସହ ଆଗାମୀ ୬ବର୍ଷ ପର୍ଯ୍ୟନ୍ତ ସେ କୌଣସି ନିର୍ବାଚନ ଲଢିପାରିବେ ନାହିଁ । ସେହିଭଳି ସମାନ ମାମଲାରେ ପିତା ଆଜମ ଖାନଙ୍କୁ ମଧ୍ୟ ୨୦୨୨ ଅକ୍ଟୋବର ମାସରେ ଅଯୋଗ୍ୟ ଘୋଷଣା କରାଯାଇଥିଲା ।

ଜିଲ୍ଲା ଶାସକୀୟ ଅଧିବକ୍ତା (ଅପରାଧ) ନିତୀନ ଗୁପ୍ତା କହିଛନ୍ତି କି, ଯାଂଚ ବେଳେ ପୋଲିସ ସହ ହୋଇଥିବା ବିବାଦରେ ଆଜମ ଖାନଙ୍କ ସମେତ ୯ଜଣଙ୍କୁ ବିରୋଧରେ ଏମପି-ଏମଏଲଏ କୋର୍ଟରେ ମାମଲା ରୁଜୁ ହୋଇଥିଲା । ବିଚାରପତି ଜଷ୍ଟିସ ସ୍ମିତା ଗୋସ୍ୱାମୀ ଏହି ମାମଲାର ବିଚାର କରି ସୋମବାର ଦିନ ଆଜମ ଖାନ ଓ ତାଙ୍କ ପୁଅ ଅବ୍ଦୁଲ୍ଲା ଆଜମଙ୍କୁ ୨ବର୍ଷ ଲେଖାଏଁ ଜେଲ ଦଣ୍ଡରେ ଦଣ୍ଡିତ କରିଥିଲେ । ଏହାସହ ସେମାନଙ୍କ ଉପରେ ୩ହଜାର ଟଙ୍କା ଲେଖାଏଁ ଜରିମାନା ମଧ୍ୟ କରାଯାଇଛି ।