କନକ ବ୍ୟୁରୋ : ଏସିଆ କପକୁ ନେଇ ବିବାଦ ଥମିବାର ନାଁ ନେଉନାହିଁ । ଏସିଆ କପ୍ ଭେନ୍ୟୁରେ ପରିବର୍ତ୍ତନ ନହେଲେ ଟିମ୍ ଇଣ୍ଡିଆ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ପାକିସ୍ତାନ ଯିବ ନାହିଁ ବୋଲି ଏସିସି ବୈଠକରେ ସ୍ପଷ୍ଟ କରିଛି । ସୁରକ୍ଷା କାରଣରୁ ବିିସିସିଆଇ ଏଭଳି ନିଷ୍ପତ୍ତି ନେଉଥିବା କହିଛି । ଅନେକ ପାକିସ୍ତାନ କ୍ରିକେଟର ବିସିସିଆଇର ଏହି ନିଷ୍ପତିକୁ ବିରୋଧ କରୁଥିବାର ଦେଖିବାକୁ ମିଳିଛି । ତେବେ ବିସିସିଆଇର ଏହି ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି ପାକିସ୍ତାନର ପୂର୍ବତନ କ୍ରିକେଟର ଅବଦୁଲ ରଜାକ ।

Advertisment

ପାକିସ୍ତାନ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ରଜାକ କହିଛନ୍ତି, କ୍ରିକେଟକୁ ଆଗକୁ ବଢାଇବାକୁ ଏହା ଭଲ ନିଷ୍ପତ୍ତି । ଦୀର୍ଘ ବର୍ଷ ହେବ ଭାରତ ଓ ପାକିସ୍ତାନ ମଧ୍ୟରେ କୌଣସି ମ୍ୟାଚ୍ ହୋଇନାହିଁ । କେବଳ ଆଇସିସି ଟୁର୍ଣ୍ଣାମେଣ୍ଟରେ ଉଭୟ ଦେଶର ମ୍ୟାଚ୍ ଦେଖିବାକୁ ମିଳୁଛି । ଯଦି ଏସିଆ କପର ଭେନ୍ୟୁ ପରିବର୍ତ୍ତନ କରି ଦୁବାଇରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଏ ତେବେ ଏହା ସବୁଠୁ ଭଲ ବିକଳ୍ପ ହୋଇପାରିବ । ଏହା ହିଁ ସବୁଠୁ ଭଲ ନିଷ୍ପତ୍ତି ହେବ । କ୍ରିକେଟ ଓ କ୍ରିକେଟରଙ୍କ ପାଇଁ ଏହା ବେଶ ଜରୁରୀ । ଉଭୟ ଦେଶର କ୍ରିକେଟ ବୋର୍ଡ ଆଲୋଚନା ମାଧ୍ୟମରେ ଏହାର ସମାଧାନ କରିବା ଉଚିତ୍ । ଯାହାଦ୍ୱାରା ଏସିଆ କପ ବିବାଦ ଶେଷ ହେବ ।

ଏହାପୂର୍ବରୁ ପାକିସ୍ତାନ କ୍ରିକେଟ ବୋର୍ଡର ପୂର୍ବତନ ଚେୟାରମ୍ୟାନ୍ , ଆଇସିସି ଏହି ମାମଲାର ଗୁରୁତ୍ୱ ବୁଝି ବିସିସିଆଇକୁ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେବାକୁ କହିବା କଥା । ଯଦି ଟିମ୍ ଇଣ୍ଡିଆ ବିନା ପାକିସ୍ତାନରେ ଏସିଆ କପ୍ ଆୟୋଜନ ହୁଏ ତେବେ ଅନେକ ସ୍ପନସର ଏଥିରୁ ଦୂରେଇ ରହିବେ । ଯାହାଦ୍ୱାରା ପାକିସ୍ତାନ ବୋର୍ଡକୁ ଆର୍ଥିକ ରୂପେ କ୍ଷତି ସହିବାକୁ ପଡିବ ।

ବିସିସିଆଇର ଏଭଳି ନିଷ୍ପତ୍ତି ପରେ ପିସିବିର ଅଧ୍ୟକ୍ଷ ନଜମ ସେଟ୍ଟୀ କହିଥିଲେ, ଏସିଆ କପ୍ ଓ ଚାମ୍ପିୟନ୍ସ ଟ୍ରଫିର ଆୟୋଜକ ଅଧିକାର ପାକିସ୍ତାନ ଛାଡିପାରିବ ନାହିଁ । ଏସିଆ କପ୍ ଅନେକ ଦେଶକୁ ନେଇ ହେଉଥିବା ଟୁର୍ଣ୍ଣାମେଣ୍ଟ । ଟିମ୍ ଇଣ୍ଡିଆକୁ ସୁରକ୍ଷା ଦେବାକୁ ପାକିସ୍ତାନ ପ୍ରସ୍ତୁତ । ଏନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ମଧ୍ୟ ସରିଛି । ତେଣୁ ଏମିତି କୌଣସି କାରଣ ନାହିଁ ଯେଉଁଥିପାଇଁ ଭାରତ ନିଜ ଟିମକୁ ପାକିସ୍ତାନ ପଠାଇ ପାରିବ ନାହିଁ । ତେଣୁ ଯଦି ଭାରତ ନିଜ ଟିମକୁ ପାକିସ୍ତାନ ପଠାଇବ ନାହିଁ ତେବେ ପାକିସ୍ତାନ ମଧ୍ୟ ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପରେ ଭାଗ ନେବ ନାହିଁ । ଆଉ ଏହି ବୟାନ କ୍ରିକେଟପ୍ରେମୀଙ୍କୁ ନିରାଶ କରିଥିଲା । କାରଣ ସବୁବେଳେ ଭାରତ-ପାକିସ୍ତାନ ମ୍ୟାଚ୍ ଉପରେ କ୍ରିକେଟପ୍ରେମୀଙ୍କର ନଜର ଥାଏ । କିନ୍ତୁ ଭେନ୍ୟୁକୁ ନେଇ ଯଦି ଉଭୟ ବୋର୍ଡ ଟୁର୍ଣ୍ଣାମେଣ୍ଟରୁ ଓହରିବାକୁ ନିଷ୍ପତ୍ତି ନିଅନ୍ତି ତେବେ ହାଇଭୋଲଟେଜ ମ୍ୟାଚରୁ ବଞ୍ଚିତ ହେବେ କ୍ରିକେଟପ୍ରେମୀ ।

ଗତ ଗୋଟିଏ ଦଶନ୍ଧିରୁ ଅଧିକ ସମୟ ହେବ ଭାରତ-ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଭଲ ନାହିଁ । ଉଭୟ ଦେଶ ମଧ୍ୟରେ କୌଣସି ଦ୍ୱିପାକ୍ଷିକ ସିରିଜ ଖେଳାଯାଉନାହିଁ । କେବଳ ଆଇସିସି ଟୁର୍ଣ୍ଣାମେଣ୍ଟରେ ଉଭୟ ଦେଶ ପରସ୍ପରକୁ ଭେଟିଥାନ୍ତି । ଶେଷଥର ପାଇଁ ୨୦୨୨ ଟି-୨୦ ବିଶ୍ୱକପରେ ଉଭୟ ଭାରତ-ପାକିସ୍ତାନ ମୁହାଁମୁହିଁ ହୋଇଥିଲେ । ଆଉ ଏହି ମ୍ୟାଚରେ ବିଜୟୀ ହୋଇଥିଲା ଟିମ୍ ଇଣ୍ଡିଆ ।